ସାଇକୃପାରୁ ୩୩ ଛାତ୍ରଛାତ୍ରୀ କରୋନାରେ ସଂକ୍ରମିତ : ପୁଣି ଫେରିଲା କଣ୍ଟେ‌ନମେଣ୍ଟ ଜୋନ୍‌

ସେପଟେ, ଓମିକ୍ରନକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ, ଆଲର୍ଟ ରହିବାକୁ ଦେଲେ ନିର୍ଦ୍ଦେଶ

492

କନକ ବ୍ୟୁରୋ : ଢେଙ୍କାନାଳର ଏକ ଘରୋଇ କଲେଜରେ କରୋନା ସଂକ୍ରମିତ ଚିହ୍ନଟ । ସାଇକ୍ରୁପା ଯୁକ୍ତ ଦୁଇ ଆବାସିକ ମହାବିଦ୍ୟାଳୟର ୩୩ ଜଣ ଛାତ୍ରଛାତ୍ରୀ କରୋନାରେ ସଂକ୍ରମିତ ହୋଇଛନ୍ତି । ଏହାପରେ ସଂପୃକ୍ତ ମହାବିଦ୍ୟାଳୟକୁ ମାଇକ୍ରୋ କଂଟେନମେଂଟ ଜୋନ୍ ଭାବରେ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ମୋଟ୍ ୨୮୦ ଛାତ୍ରଛାତ୍ରୀଙ୍କର କରୋନା ପରୀକ୍ଷା ହୋଇଥିଲା । ସେଥିମଧ୍ୟରୁ ୩୩ ଜଣ ଏଯାବତ କରୋନାରେ ସଂକ୍ରମିତ ହୋଇଛନ୍ତି । ସଂକ୍ରମିତଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ନଥିବା ସୂଚନା ରହିିିଛି । ତେବେ ଏହି ଛାତ୍ର କେମିତି ସଂକ୍ରମିତ ହେଲେ ତାହା ଏବେ ବଡ ପ୍ରଶ୍ନ । ୩୩ ଜଣ ଛାତ୍ର ସଂକ୍ରମିତ ହୋଇଥିବାରୁ ସେମାନେ କାହା କାହା ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ଚିହ୍ନଟ କରିବା ପ୍ରଶାସନ ପାଇଁ ବଡ ଚ୍ୟାଲେଞ୍ଜ ।

କେବଳ ସଂପୃକ୍ତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ କିମ୍ବା ଅଭିଭାବକ ମହଲ ନୁହେଁ, ସମଗ୍ର ସହରବାସୀଙ୍କ ମଧ୍ୟରେ ଏଥିନେଇ ଭୟ ଖେଳିଯାଇଛି । ଅନ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରଛାତ୍ରୀ କିପରି ପଢ଼ି‌ବେ, ସେଥିନେଇ ଆଶଙ୍କା ପ୍ରକାଶ ପାଇଛି । କେଉଁଠାରୁ କିପରି ଏତେ ପିଲା ଏକାଥରେ ସଂକ୍ରମିତ ହେଲେ, ସେ ସଂପର୍କରେ କଣ୍ଟାକ୍ଟ ଟ୍ରେସିଂ କରାନଗଲେ ଜିଲ୍ଲାରେ ସଂକ୍ରମଣ ବଢ଼ିବା ଆଶଙ୍କା ଦେଖାଯାଇଛି । ଏହି ଗୋଟିଏ ଅନୁଷ୍ଠାନକୁ ନେଇ ସମଗ୍ର କୁଞ୍ଜକାନ୍ତ ଅଞ୍ଚଳକୁ ୧୦ ଦିନ ପାଇଁ ନାକାବନ୍ଦୀ କରାଯାଇଛି । ୧ ତାରିଖ ସକାଳ ୭ଟାରୁ ଆସନ୍ତା ୧୦ ତାରିଖ ସକାଳ ୭ଟା ପର୍ଯ୍ୟନ୍ତ ସଂପୃକ୍ତ ଅଂଚଳକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍ ଘୋଷଣା କରାଯାଇଛି ।

ସେପଟେ, ‘ଓମିକ୍ରନ୍‌’ ଏବେ ସାରା ବିଶ୍ବରେ ଦ୍ରୁତଗତିରେ ବ୍ୟାପୁଥିବାରୁ ଏନେଇ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ସତର୍କ କରାଇଛନ୍ତି । ସମସ୍ତେ କୋଭିଡ କଟକଣା ମାନିବାକୁ ଆହ୍ବାନ ଦେବା ସହ ପୁଲିସ ପକ୍ଷରୁ ଉଲ୍ଲଂଘନକାରୀଙ୍କ ଠାରୁ ଜରିମାନା ଆଦାୟ କରିବାକୁ, ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବ୍ୟାପକ ସଚେତନତା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ, ପ୍ରଥମରୁ ହିଁ ଓଡିଶା ଏହି ମହାମାରୀ ମୁକାବିଲା ପାଇଁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଆସିଛି । ଆହ୍ବାନମୂଳକ ପରିସ୍ଥିତି ସତ୍ତ୍ବେ ଜନସାଧାରଣଙ୍କ ସହଯୋଗରେ ଓଡିଶା ସଫଳତାର ସହିତ ପ୍ରଥମ ଓ ଦ୍ବିତୀୟ ଲହରୀର ମୁକାବିଲା କରିଥିଲା ଏବଂ ବର୍ତ୍ତମାନ ପରିସ୍ଥିତିର ଆମେ ମଧ୍ୟ ସଫଳ ମୁକାବିଲା କରିପାରିବା ।

କୋଭିଡ ମୁକାବିଲା ପାଇଁ ଆମର ଥିବା ପ୍ରସ୍ତୁତିକୁ ପୁଣି ଥରେ ପୁନଃ ସକ୍ରିୟ କରିବା ସହ ଡାକ୍ତର, ନର୍ସ, ସ୍ବାସ୍ଥ୍ୟକର୍ମୀଙ୍କ ସମେତ ଏଥିରେ ସଂଶ୍ଲିଷ୍ଟ ସବୁ ଅଧିକାରୀଙ୍କୁ ଜାଗ୍ରତ ରଖିବା ପାଇଁ ପରାମର୍ଶ ଦେଇଛନ୍ତି । କୋଭିଡ ନିୟମର ଯେପରି କଡାକଡି ପାଳନ କରାଯିବ, ସେଥିପ୍ରତି ସତର୍କ ପଦକ୍ଷେପ ନେବାପାଇଁ ମୁଖ୍ୟମନ୍ତ୍ରୀ ପୁଲିସ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ମାସ୍କ ପିନ୍ଧିବା, ହାତ ଧୋଇବା ଓ ସାମାଜିକ ଦୂରତା ରକ୍ଷା କରିବା ଆଦି କୋଭିଡ ନିୟମ ସଂପର୍କରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ସୂଚନା ଓ ଲୋକସଂପର୍କ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ପଞ୍ଚାୟତ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ମିସନ ଶକ୍ତି ଗ୍ରୁପ ପର୍ଯ୍ୟନ୍ତ ସମାଜର ସବୁ ବର୍ଗର ଲୋକଙ୍କୁ ସାମିଲ କରି ସଚେତନତା ତଥା କୋଭିଡ ନିୟମ ଅନୁପାଳନକୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।