ଭୟଙ୍କର ରୂପ ନେଇ ଘଣ୍ଟାପ୍ରତି ୧୭ କିମି ବେଗରେ ମାଡିଆସୁଛି ‘ଫୋନି’ । ବାତ୍ୟାର ତାଣ୍ଡବ ଦେଖିପାରେ ଓଡିଶା, ଲ୍ୟାଣ୍ଡଫଲ୍ ବେଳେ ୨୦୦ କିମି ବେଗରେ ବୋହିପାରେ ପବନ ।

373

କନକ ବ୍ୟୁରୋ : ଅତି ଭୟଙ୍କର ରୂପ ନେଇ ହାରାହାରି ଘଂଟା ପ୍ରତି ୧୭ କିଲୋମିଟର ବେଗରେ ମାଡ଼ି ଆସୁଛି ବାତ୍ୟା ଫୋନି । ସଂଧ୍ୟା ସୁଦ୍ଧା ଏହା ପୁରୀ ଠାରୁ ମାତ୍ର ୩୨୦ କିଲୋମିଟର ଦୂରରେ ରହିଛି । ପୁରୀର ଦକ୍ଷିଣ ଦକ୍ଷିଣ-ପୂର୍ବ ଦିଗରେ ରହିଛି ବାତ୍ୟାର କେନ୍ଦ୍ର ସ୍ଥଳ । ସେହିପରି ବିଶାଖାପାଟଣା ଠାରୁ ରହିଛି ମାତ୍ର ୧୭୦ କିଲୋମିଟର ଦୂରରେ । ଭାରତ ପାଣିପାଗ ବିଭାଗ ଅନୁମାନ କରୁଛି କାଲି ସକାଳ ୮ଟାରୁ ୧୦ଟା ମଧ୍ୟରେ ପୁରୀ ଉପକୂଳ ନିକଟବର୍ତି ଅଂଚଳରେ ମାଡ ହେବ ବାତ୍ୟା । ଲ୍ୟାଣ୍ଡଫଲ ହେବା ପରେ ପବନର ବେଗ ଘଂଟା ପ୍ରତି ୧୭୦ରୁ ୧୮୦ କିଲୋମିଟର ହେବ । ଏପରିକି ଘଂଟାପ୍ରତି ୨୦୦ କିଲୋମିଟର କିମ୍ବା ଏହାଠାରୁ ଅଧିକ ବେଗରେ ପବନର ଝଟକା ଲାଗିପାରେ । ସେହିପରି ଦେଢ଼ ମିଟର ଉଚ୍ଚତାର ଜୁଆର ଆସିବା ନେଇ ଆକଳନ କରାଯାଉଛି । ପ୍ରବଳ ଝଡ଼ ବର୍ଷାର ଆଶଙ୍କା ଥିବା ଯୋଗୁଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଗଂଜାମ, ଗଜପତି ସମେତ କଟକ, ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, କେନ୍ଦ୍ରାପଡ଼ା ଆଦି ଜିଲ୍ଲାରେ ଏହି ବାତ୍ୟାର ପ୍ରକୋପ ଅଧିକ ମାତ୍ରାରେ ଅନୁଭୂତ ହେବ ।

ଭାରତର ସାଟେଲାଇଟ୍ ଉତୋଳନ କରିଥିବା ବାତ୍ୟାର ଏହି ଚିତ୍ର ଦେଖିବାକୁ ଯେତିକି କୌତୁହଳପୂର୍ଣ୍ଣ, ଏହା ପ୍ରଭାବ କିନ୍ତୁ ବେଶ୍ ଭୟଙ୍କର । ବଙ୍ଗୋପସାଗରକୁ ହଲଚଲ କରି ଦେଇଥିବା ଏହି ବାତ୍ୟା ଏବେ ପୁରୀ ଆଡକୁ ମାଡିଆସୁଛି । ଗତକାଲି ଠାରୁ ଫୋନି ରି-କର୍ଭ କରିବା ପରେ ଓଡ଼ିଶା ଉପକୂଳ ଆଡକୁ ମାଡିଆସୁଛି । ପଶ୍ଚିମ-କେନ୍ଦ୍ର ବଙ୍ଗୋପସାଗରରୁ ଉତ୍ତର ଉତ୍ତର-ପୂର୍ବ ମୁହାଁ ହୋଇ ଗତି କରୁଛି ଫୋନି । ଘଂଟା ପ୍ରତି ୬ରୁ ୭ କିଲୋମିଟର ବେଗରେ ଆସୁଥିବା ବାତ୍ୟା ତା’ର ଗତି ବଢ଼ାଇଛି । ଗତ ୬ ଘଂଟାରେ ହାରିହାରି ୧୭ କିଲୋମିଟର ବେଗରେ ମାଡ଼ି ଆସୁଛି ଫୋନି । ଫଳରେ ପୁରୀ ଉପକୂଳ ଠାରୁ ଦୂରତା କମିବା ସହ ଲ୍ୟାଣ୍ଡଫଲର ସମୟ ପାଖେଇ ଆସୁଛି ।

ପୂର୍ବରୁ ଆସନ୍ତକାଲି ଅପରାହ୍ନରେ ଲ୍ୟାଣ୍ଡଫଲ ଆଶଙ୍କା ରହିଥିବା ବେଳେ ବାତ୍ୟାର ଗତିକୁ ହିସାବ କରିବା ପରେ ଜଣାପଡ଼ିଛି ଯେ, କାଲି ସକାଳେ ସ୍ଥଳଭାଗ ଛୁଇଁବ ଫୋନି । ଆଜି ସଂଧ୍ୟା ୬ଟାରେ ଏହି ସ୍ଥାନରେ ରହିଛି ବାତ୍ୟାର କେନ୍ଦ୍ରସ୍ଥଳ । ଆଜି ରାତି ୧୨ଟା ସୁଦ୍ଧା ଓଡ଼ିଶା ଉପକୂଳର ନିକଟବର୍ତି ହେବା ପରେ ଆସନ୍ତାକାଲି ସକାଳ ୬ଟାରେ ଆହୁରି ନିକଟବର୍ତି ହେବ । ଏହାପରେ ଯେକୌଣସି ସମୟରେ ସ୍ଥଳ ଭାଗରେ ମାଡ଼ ହୋଇପାରେ ବାତ୍ୟା ଫୋନି । ସ୍ଥଳ ଭାଗରେ ମାଡ ହେବା ପରେ ଫୋନି ଭୀଷଣ ରୂପ ନେବା ସହ ବାତ୍ୟାର ତାଣ୍ଡବ ଦେଖିବ ଓଡ଼ିଶା । ଅନୁମାନ କରାଯାଉଛି, ଏହି ସମୟରେ ଘଂଟାକୁ ୧୭୦ରୁ ୧୮୦ କିଲୋମିଟର ବେଗରେ ପବନ ବହିବା ସହ ୨୦୦ କିଲୋମିଟର କିମ୍ବା ତା’ଠାରୁ ଅଧିକ ବେଗରେ ଝଟକା ଦେଇପାରେ ଫୋନି । ଓଡ଼ିଶାର ଉପକୂଳ ଜିଲ୍ଲାରେ କାଲି ମଧ୍ୟାହ୍ନ କିମ୍ବା ଅପରାହ୍ନ ପର୍ଯ୍ୟନ୍ତ ଏହାର ପ୍ରକୋପ ରହିବା ନେଇ ଅନୁମାନ କରାଯାଉଛି ।