କରୋନା ଟିକାକରଣରେ ୩୨ ହଜାର କୋଟିର ଦୁର୍ନୀତି , ସୁପ୍ରିମକୋର୍ଟରେ ଦାଖଲ ହେଲା ଯାଚିକା

521

କନକ ବ୍ୟୁରୋ : କରୋନା କାଳରେ କରୋନା ଟିକାକରଣକୁ ନେଇ ପୁଣି ଏକ ଅଭିଯୋଗ ସୁପ୍ରିମକୋର୍ଟରେ ଦାଖଲ ହୋଇଛି । ଏହି ଯାଚିକାରେ ଦାବି କରାଯାଇଛି କି ଦେଶରେ ଚାଲିଥିବା ଟିକାକରଣ ଅଭିଯାନରେ ୩୨ ହଜାର କୋଟିର ଦୁର୍ନୀତି ହୋଇଛି ।

ଦେଶରେ ଚାଲିିଥିବା କରୋନା ମହାମାରୀକୁ ନେଇ ଦେଶର ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ଅଭିଯୋଗମାନ ଦାଖଲ ହୋଇଛି । ଏନେଇ ହାଇକୋର୍ଟରେ ବି ଶୁଣାଣି ଜାରି ରହିଛି । ହେଲେ କରୋନା ଟିକାକରଣ ବେଳେ ୩୨ ହଜାର କୋଟିର ଦୁର୍ନୀତି ହୋଇଥିବା ନେଇ ଆଜି ଏକ ଅଭିଯୋଗ ସୁପ୍ରିିମକୋର୍ଟରେ ଦାଖଲ ହେବା ପରେ ଏହା ଏବେ ଚର୍ଚ୍ଚାର ପରିସରକୁ ଆସିଛି ।

ଏହି ଯାଚିକାକୁ ଓକିଲ ଦୀପକ ଆନନ୍ଦ ମସିହ ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି । ଏହି ଯାଚିକାରେ କେବଳ ଦୁର୍ନୀତି କଥା କୁହାଯାଇନାହିଁ , ଏହାସହ କରୋନାରୁ ବଞ୍ଚିବା ପାଇଁ ସରକାର ଜାରିକରୁଥିବା ବିଭିନ୍ନ ନିୟମ ଉପରେ ବି ପ୍ରଶ୍ନ ଉଠାଯାଇଛି । ଅଭିଯୋଗକାରୀ କହିଛନ୍ତି କି ବିଶ୍ୱର ପଶ୍ଚିମଦେଶମାନେ କରୋନା ଟିକା ପ୍ରସ୍ତୁତ କରିବା ପରେ ଏହାର ମୂଲ୍ୟ ୧୫୦-୨୦୦ ଟଙ୍କା ଭିତରେ ରହିଛି । ଅନ୍ୟପଟେ ଭାରତରେ ଟିକାର ମୂଲ୍ୟ କେମିତି ୬୦୦ ଟଙ୍କା ହେଲା ବୋଲି ସେ ଅଭିଯୋଗ କରିଛନ୍ତି । ଏହାସହ ଏବେ ଦେଶରେ ୧୮ ବର୍ଷରୁ ୪୪ ବର୍ଷ ମଧ୍ୟରେ ୮୦ କୋଟି ଲୋକଙ୍କୁ ଟିକା ଦିଆଯିବ  । ଏହାକୁ ହିସାବ କଲେ ୩୨ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଥିବା କଥା ସାମ୍ନାକୁ ଆସିବ ବୋଲି ସେ କହିଥିଲେ ।