ଆସନ୍ତାକାଲି ସ୍ଥଳଭାଗ ଛୁଇଁବ ବାତ୍ୟା ୟାସ୍ : ପାରାଦ୍ୱୀପରୁ ୩୨୦ କିଲୋମିଟର ଦୂରରେ ରହିଛି ବାତ୍ୟା

338

କନକ ବ୍ୟୁରୋ : ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ‘ୟାସ୍’ ଆଜି ଭୀଷଣ ବାତ୍ୟାର ରୂପ ନେବା ପରେ ଉତରପଶ୍ଚିମ ଆଡକୁ ଗତି କରୁଛି । ବଙ୍ଗୋପସାଗରରେ ବିରାଟ ଆକାରରେ ସୃଷ୍ଟି ହୋଇଥିବା ଏହି ଝଡ ଶେଷ ଖବର ସୁଦ୍ଧା ଘଂଟାକୁ ୯ କିଲୋମିଟର ବେଗରେ ଉତର ଓଡିଶା ଆଡକୁ ଆସୁଛି । ଏହା ପାରାଦୀପରୁ ୩୨୦ କିଲୋମିଟର ଓ ବାଲେଶ୍ୱରରୁ ୪୩୦ କିଲୋମିଟର ଦୂରରେ ରହିଛି । ସେପଟେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା କ୍ରମରେ ଭାରତୀୟ ପାଣିପାଗ ବିଭାଗ କହିଛି ଏହି ବାତ୍ୟା, ବାଲେଶ୍ୱରରୁ ଭଦ୍ରକ ମଧ୍ୟରେ ଅର୍ଥାତ ଚାନ୍ଦବାଲିରୁ ଚାନ୍ଦିପୁର ମଧ୍ୟରେ ଲ୍ୟାଣ୍ଡଫଲ କରିବ ।

କାଲି ସକାଳେ ଏହା ସ୍ଥଳଭାଗ ନିକଟରେ ପହଂଚିବ ଏବଂ ମଧ୍ୟାହ୍ନ ସୁଦ୍ଧା ବାତ୍ୟା ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି । ସ୍ଥଳଭାଗ ଅତିକ୍ରମ କରିବା ସମୟରେ ପବନର ବେଗ ୧୬୫ କିଲୋମିଟର ପ୍ରତି ଘଂଟା ରହିପାରେ । ଏବଂ ପବନ ଝଟକା ଦେଇ ଘଂଟା ପ୍ରତି ୧୮୫ କିଲୋମିଟରକୁ ମଧ୍ୟ ଯାଇପାରେ । ଓଡିଶାରେ ବାତ୍ୟା ସ୍ଥଳଭାଗ ଛୁଇଁବା ନେଇ ଭାରତୀୟ ପାଣିପାଗ ବିଭାଗର

ଆକଳନ ପରେ ସାରା ଓଡିଶା ପ୍ରସ୍ତୁତି ପାଇଁ ତତ୍ପର ହୋଇଛି । କାରଣ ଗୋଟିଏ ପଟେ କରୋନା ମାଡି ଚାଲିଛି, ଏବଂ ଅନ୍ୟପଟେ ବାତ୍ୟା ଆଉ ଏକ ବିପଦ ନେଇ ଆସିଛି । ବାଲେଶ୍ୱର-ଭଦ୍ରକ ଉପକୂଳରେ ମାଡ କରିବା ପରେ ଏହି ବାତ୍ୟା ବାରିପଦା ଦେଇ ଝାଡଖଣ୍ଡ ଆଡକୁ ମୁହାଁଇ କ୍ରମଶଃ ଦୁର୍ବଳ ହୋଇଯିବ । ଏସଆରସି କହିଛନ୍ତି, ବାତ୍ୟା ବାଲେଶ୍ୱର , ମୟୁରଭଞ୍ଜ, ଓ କେଉଁଝରର କିଛି ଅଂଶକୁ କଭର କରି ଝାଡଖଣ୍ଡ ଆଡେ ଯିବ ।