ଶିକ୍ଷାନୁଷ୍ଠାନରେ ମାଡିଚାଲିଛି ମହାମାରୀ । ଭବାନୀପାଟଣା ପ୍ରଗତି କଲେଜରୁ ୩୨ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ । 

178

କନକ ବ୍ୟୁରୋ: ରାଜ୍ୟର ଗୋଟିଏ ପରେ ଗୋଟିଏ ଶିକ୍ଷାନୁଷ୍ଠାନରେ ଏବେ ମାଡିଚାଲିଛି ମହାମାରୀ । ବର୍ତ୍ତମାନର ତାଜା ଖବର ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଥିବା ପ୍ରଗତି କଲେଜରୁ ଏକାଥରକେ ୩୨ ଛାତ୍ରଛାତ୍ରୀ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଇନଚାର୍ଜ ଅଧିକାରୀ ସୂଚନା ଦେଇଛନ୍ତି । ତେବେ ଏକାଥରକେ ଗୋଟିଏ ଶିକ୍ଷାନୁଷ୍ଠାନରୁ ଏତେ ସଂଖ୍ୟକ ଛାତ୍ରଛାତ୍ରୀ ସଂକ୍ରମିତ ଚିହ୍ନଟ ହେବା ଜିଲ୍ଲା ପ୍ରଶାସନର ଚିନ୍ତା ବଢାଇଛି ।

ଏହା ପୂର୍ବରୁ ମଧ୍ୟ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଛାତ୍ରଛାତ୍ରୀମାନେ କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ଦେଖିବାକୁ ମିଳିଥିଲା । ବିଶେଷ କରି ରାଉରକେଲା ଏନଆଇଟି ଏକାଧିକ ଛାତ୍ରଛାତ୍ରୀ ସଂକ୍ରମିତ ଚିହ୍ନଟ ହୋଇଥିଲେ । ସେହିପରି ଗୋଟିଏ ଦିନ ପୂର୍ବରୁ ଖୋର୍ଦ୍ଧା ଆଇଆଇଟିରୁ ଆଉ ଦୁଇ ନୂଆ ସଂକ୍ରମିତ ଚିହ୍ନଟ ହେବା ସହିତ ମୋଟ କୋଭିଡ୍ ଆକ୍ରାନ୍ତ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୧୦କୁ ବୃଦ୍ଧି ପାଇଥିଲା । ତେବେ ଦେଶରେ କୋଭିଡର ଦ୍ୱିତୀୟ ଲହର ଆରମ୍ଭ ହୋଇଥିବାବେଳେ ଛାତ୍ରଛାତ୍ରୀମାନେ ସଂକ୍ରମତ ଚିହ୍ନଟ ହେବା ଚିନ୍ତାର ବିଷୟ ପାଲଟିଛି ।