ଆଧାର ସହ ପାନ୍ ଲିଙ୍କ୍ କରିନାହାନ୍ତି କି ? ଗଣିବାକୁ ପଡିପାରେ ୧୦ ହଜାର ଟଙ୍କାର ଜରିମାନା? ଜାଣନ୍ତୁ ଆଧାର-ପାନ୍ ଲିଙ୍କର ପୂରା ପ୍ରକ୍ରିୟା । 

2,030

କନକ ବ୍ୟୁରୋ : ପାନକାର୍ଡଧାରୀ ଧ୍ୟାନ ଦିଅନ୍ତୁ । ଯଦି ଆପଣଙ୍କ ପାଖରେ ପାନକାର୍ଡ ଅଛି କିନ୍ତୁ ଏହାକୁ ଆପଣ ଆଧାରକାର୍ଡ ସହ ଲିଙ୍କ୍ କରି ନାହାନ୍ତି ତେବେ ବଡ ସମସ୍ୟାରେ ପଡିପାରନ୍ତି । କାରଣ ଆଧାର-ପାନକାର୍ଡ ଲିଙ୍କ୍ କରିବା ପାଇଁ ଆଉ ହାତରେ ମାତ୍ର ୨୭ ଦିନ ରହିଛି । ତେଣୁ ଏହି ଡେଡଲାଇନ ଭିତରେ ପାନ୍ ସହ ଆଧାର ଲିଙ୍କ୍ କରିବାକୁ କୁହାଯାଇଛି । ଏହାପରେ ମଧ୍ୟ ଯଦି କୌଣସି ପାନକାର୍ଡଧାରୀ ଆଧାର ସହ ଲିଙ୍କ୍ ନ କରନ୍ତି ତେବେ ପାନକାର୍ଡ ସମ୍ପୂର୍ଣ୍ଣ ରୂପେ ନିଷ୍କ୍ରିୟ ହୋଇଯିବ ।

ତେବେ ଏହି ନିଷ୍କ୍ରିୟ ପାନକାର୍ଡକୁ ଯଦି ପରବର୍ତ୍ତୀ ସମୟରେ କେହି ବ୍ୟବହାର କରନ୍ତି ତେବେ ତାଙ୍କ ଠାରୁ ୧୦ ହଜାର ଟଙ୍କା ଜରିମାନା ଆଦାୟ କରାଯିବ । ତେବେ ପାନକାର୍ଡ ନିଷ୍କ୍ରିୟ ହୋଇଯିବା ପରେ ଅନେକ ଗୁଡିଏ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ । ଯେପରିକି ବ୍ୟାଙ୍କିଙ୍ଗ ଟ୍ରାଞ୍ଜାକସନ, ଜମି କିଣାବିକାରେ ସମସ୍ୟା ଉପୁଜିବ । ଏପରିକି ବ୍ୟାଙ୍କ ଆକାଉଣ୍ଟରୁ ୫୦ ହଜାରରୁ ଅଧିକ ଟଙ୍କା କାରବାର କଲେ ପାନ୍ କାର୍ଡ ଦେଖାଇବାକୁ ପଡିବ ।

ଏହାପୂର୍ବରୁ ଅନେକ ଥର ପାନ୍ ସହ ଆଧାର ଲିଙ୍କ୍ କରିବାକୁ ଡେଡଲାଇନ ଦିଆଯାଇଛି । କିନ୍ତୁ ମାର୍ଚ୍ଚ ୩୧ ଶେଷ ଡେଡଲାଇନ ବୋଲି କୁହାଯାଇଛି ।ସିବିଡିଟି ମୁତାବକ ୨୭ ଜାନୁଆରୀ ୨୦୨୦ ପର୍ୟ୍ୟନ୍ତ ୩୦.୭୫ କୋଟି ପାନ କାର୍ଡକୁ ଆଧାର ସହ ଯୋଡାଯାଇଛି । କିନ୍ତୁ ଏବେ ମଧ୍ୟ ୧୭.୫୮ କୋଟି ପାନକାର୍ଡ ଆଧାର ସହ ଲିଙ୍କ୍ କରାଯାଇନାହିଁ । ଆୟକର ନିୟମର ଧାରା ୧୩୯ ଏଏ(୨) ଅନୁଯାୟୀ, ୧ ଜୁଲାଇ ୨୦୧୭ ପର୍ଯ୍ୟନ୍ତ ଯେଉଁମାନଙ୍କୁ ପାନକାର୍ଡ ଆବଣ୍ଟିତ କରାଯାଇଛି ସେମାନଙ୍କୁ ଆଧାର କାର୍ଡ ସହ ପାନକୁ ସଂଯୋଗ କରିବାକୁ ପଡିବ । ଆଉ ଏଥିପାଇଁ ମାର୍ଚ୍ଚ ୩୧  ଯାଏଁ ଡେଡଲାଇନ ଦିଆଯାଇଛି ।

ତେବେ ଆଧାରକାର୍ଡ ସହ ପାନକାର୍ଡ କିଭଳି ଲିଙ୍କ୍ କରାଯାଏ ତାହା ଉପରେ ଥରେ ନଜର ପକାନ୍ତୁ ।

– ପ୍ରଥମେ ଆୟକର ବିଭାଗର ୱେବସାଇଟ incometaxindiaefilling.gov.inରେ କ୍ଲିକ୍ କରନ୍ତୁ

– ଏଠାରେ ବାମ ପାଶ୍ୱର୍ରେ ଆଧାର ଲିଙ୍କ୍ କରିବାକୁ ବିକଳ୍ପ ଆସିବ

– ଏଠାରେ କ୍ଲିକ କରିବା ପରେ ନୂଆ ପେଜ ଖୋଲିବ, ଯାହାର ଉପରପାଶ୍ୱର୍ରେ ଲାଲରଙ୍ଗରେ click here ବିକଳ୍ପ ରହିବ

– ଯଦି ପୂର୍ବରୁ ପାନ୍-ଆଧାର ଲିଙ୍କ୍ କରିଥାନ୍ତି ତେବେ ଏହାର ଷ୍ଟାଟସ ବିକଳ୍ପ ଉପରେ କ୍ଲିକ୍ କରି ଏହାକୁ ଭେରିଫାଇ କରିପାରିବେ

– ଲିଙ୍କ୍ ହୋଇନଥିଲେ click here ବିକଳ୍ପର ନିମ୍ନରେ ଦିଆଯାଇଥିବା ବକ୍ସରେ ପାନ୍, ଆଧାର ନମ୍ବର, ନିଜ ନାଁ ଓ ଦିଆଯାଇଥିବା କାପଚା ଏଣ୍ଟର କରିବାକୁ ପଡିବ

– ଏହାପରେ Link Aadhar ବିକଳ୍ପ ଉପରେ କ୍ଲିକ କରିବାକୁ ପଡିବ  । ଏହାସହ ଏହି ପ୍ରୋସେସ ପୂରା ହେବ ।

ଆୟକର ବିଭାଗ ମୁତାବକ, ୫୬୭୬୭୮ କିମ୍ବା ୫୬୧୬୧ ନମ୍ବରରେ ଏସଏମଏସ ପଠାଇ ଆଧାର-ପାନ୍ ଲିଙ୍କର ଷ୍ଟାଟସ କଣ ତାହା ଜାଣିପାରିବେ ଲୋକେ । ଆଧାର-ପାନ୍ ଲିଙ୍କ୍ କରିବାର ଡେଡଲାଇନ ସରିବା ପରେ ଆୟକର ବିଭାଗ ପକ୍ଷରୁ ଲିଙ୍କ୍ ହୋଇନଥିବା ସମସ୍ତ ପାନ୍ କାର୍ଡକୁ ଡିଆକ୍ଟିଭେଟ କରାଯିବ । ତେବେ ନୂଆ ପାନ୍ କାର୍ଡ ଆବେଦନ କରୁଥିଲେ ଆବେଦନକାରୀଙ୍କୁ ଆଧାର ନମ୍ବର ଦେବା ଅପରିହାର୍ଯ୍ୟ ।