ଇରାନରେ ଥମୁନି ହିଜାବ ବିବାଦ : ପୋଲିସ୍ ଗୁଳିମାଡ଼ରେ ଏଯାଏଁ ଗଲାଣି ୩୧ ଆନ୍ଦୋଳନକାରୀଙ୍କ ଜୀବନ

108

କନକ ବ୍ୟୁରୋ : ହିଜାବ ବିରୋଧୀ ଆନ୍ଦୋଳନକାରୀଙ୍କୁ ଗୁଳିମାଡ଼ । ଇରାନରେ ହିଜାବ ବିରୋଧୀ ଆନ୍ଦୋଳନ ଭୟାନକ ସ୍ଥିତି ସୃଷ୍ଟି କରିଛି । ହିଜାବ ପିନ୍ଧିନଥିବାରୁ ଇରାନ୍ ମୋରାଲିଟି ପୋଲିସ ନିର୍ଯାତନାରେ ମହସା ଆମିନୀ ନାମକ ଜଣେ ମହିଳାଙ୍କ ମୃତ୍ୟୁକୁ ନେଇ ସବୁଠି ହିଂସାତ୍ମକ ବିକ୍ଷୋଭ ଚାଲିଛି । ରାଜଧାନୀ ତେହରାନ୍ ସମେତ ପ୍ରାୟ ୩୦ଟି ପ୍ରମୁଖ ସହରରେ ଲୋକେ ରାସ୍ତାକୁ ଓହ୍ଲାଇବା ସହ ପ୍ରତିବାଦ ଜାରି ରଖିଛନ୍ତି ।

ଆନ୍ଦୋଳନକାରୀଙ୍କୁ ବଳ ପ୍ରୟୋଗ କରି ଘଉଡ଼ାଇବା ପାଇଁ ସରକାରଙ୍କ ନିର୍ଦ୍ଦେଶ ପରେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୩୧ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି । ଶତାଧିକ ଲୋକ ଏଥିରେ ଆହତ ହୋଇଛନ୍ତି । ପୋଲିସ ହଜାରରେ ଅଧିକ ଲୋକଙ୍କୁ ଗିରଫ ମଧ୍ୟ କରିଛି । ଏହା ସତ୍ତେ୍ୱ ମହିଳା ହିଜାବ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ସେମାନେ ହିଜାବ ଜାଳି, କେଶ କାଟି ପୋଲିସ ଏବଂ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଉଛନ୍ତି । ସରକାରଙ୍କ ଏକଛତ୍ର ନୀତି ବିରୋଧରେ ଯୁବଗୋଷ୍ଠୀ ଆପ୍ଲିକେସନ ମଧ୍ୟ ବନାଇଛନ୍ତି । ଏହି ଆପକୁ ୫ଦିନରେ ୧୦ଲକ୍ଷ ଲୋକ ଡାଉନଲୋଡ୍ କଲେଣି । ଯୁବଗୋଷ୍ଠୀ ଏହା ମାଧ୍ୟମରେ ଗୋପନୀୟ ବାର୍ତ୍ତା ପଠାଉଛନ୍ତି । ଏହାକୁ ଦେଖି ତେହେରାନରେ ଇଣ୍ଟରନେଟ୍ ବନ୍ଦ କରିଦିଆଯାଇଛି । ଏପରିକି ଇନଷ୍ଟାଗ୍ରମକୁ ମଧ୍ୟ ନିଷିଦ୍ଧ କରାଯାଇଛି ।

ଏହି ମାମଲା ୧୩ତାରିଖରୁ ଆରମ୍ଭ ହୋଇଥିଲା । ଏହି ଦିନ ଇରାନର ମୋରାଲ ପୋଲିସ ହିଜାବ ପିନ୍ଧି ନଥିବା ଅଭିଯୋଗରେ ଜଣେ ମହିଳା ମହସା ଅମିନୀଙ୍କୁ ଗିରଫ କରିଥିଲା । ଏହାର ତିନି ଦିନ ପରେ ମହିଳାଙ୍କ ମୃତଦେହ ପରିବାର ଲୋକଙ୍କୁ ପ୍ରଦାନ କରାଯାଇଥିଲା । ପୋଲିସ ନିର୍ଯାତନା ସହି ନ ପାରି ମହିଳାଙ୍କ ମୃତ୍ୟୁ ହୋଇଥିଲା । ସୋସିଆଲ ମିଡିଆ ମାଧ୍ୟମରେ ଏହି ଖବର ଲୋକଙ୍କ ନିକଟରେ ପହଞ୍ଚିଥିଲା । ଇରାନ୍ ମାନବାଧିକାର ସଂସ୍ଥାର ନିର୍ଦ୍ଦେଶକ କହିଛନ୍ତି, ଲୋକମାନେ ସେମାନଙ୍କ ମୌଳିକ ଅଧିକାର ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି । କିନ୍ତୁ ସରକାର ସେମାନଙ୍କ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ବୁଲେଟରେ ଜବାବ ଦେଉଛନ୍ତି ।