ପାକିସ୍ତାନ ରାଜନୀତିରେ ସରୁନି ଡ୍ରାମା: ରାଷ୍ଟ୍ରପତିଙ୍କ ଅନୁପସ୍ଥିତିରେ ଶପଥ ନେଲେ କ୍ୟାବିନେଟର ୩୧ ମନ୍ତ୍ରୀ

166

କନକ ବ୍ୟୁରୋ: ପାକିସ୍ତାନ ରାଜନୀତିରେ ଝଡ ଶେଷ ହେବାର ନାଁ ନେଉନି । ଇମ୍ରାନ ଖାନ୍ଙ୍କ ସରକାର ଭାଙ୍ଗିବା ଆଉ ନୂଆ ସରକାର ଗଠନ ହେବା ପରଠାରୁ ପ୍ରତିଦିନ ନୂଆ ନୂଆ ରାଜନୈତିକ ଡ୍ରାମା ଦେଖିବାକୁ ମିଳିଛି । ମଙ୍ଗଳବାର ରାଷ୍ଟ୍ରପତି ଆରିଫ ଅଲବୀଙ୍କ ଅନୁପସ୍ଥିତିରେ ନୂଆ କ୍ୟାବିନେଟ୍ର ଗଠନ ହେବା ସହ ୩୧ଜଣ ମନ୍ତ୍ରୀଙ୍କୁ ଶପଥ ପାଠ କରାଯାଇଛି ।

ମଙ୍ଗଳବାର ରାଷ୍ଟ୍ରପତିଙ୍କ ଅନୁପସ୍ଥିତିରେ ଶପଥ ନେଇଛନ୍ତି ପାକିସ୍ତାନର ନୂଆ ସରକାରଙ୍କ କ୍ୟାବିନେଟ୍ । ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ରାଷ୍ଟ୍ରପତି ଆରିଫ ଅଲବୀ ଛୁଟିରେ ଥିବାବେଳେ ତାଙ୍କ ଅନୁପସ୍ଥିତିରେ ମନ୍ତ୍ରୀମଣ୍ଡଳର ସମସ୍ତ ମନ୍ତ୍ରୀ ଓ ରାଜ୍ୟମନ୍ତ୍ରୀ ମାନେ ଶପଥ ନେଇଛନ୍ତି । ସିନେଟ୍ ଚ୍ୟାରମାନ ସାଦିକ ସଂଜରାନୀ ସମସ୍ତ ୩୧ କ୍ୟାବିନେଟ୍ ମନ୍ତ୍ରୀ, ୩ଜଣ ରାଷ୍ଟ୍ରମନ୍ତ୍ରୀଙ୍କ ସମେତ ୩ଜଣ ପରାମର୍ଶଦାତାଙ୍କୁ ଶପଥ ପାଠ କରାଇଛନ୍ତି । ମଙ୍ଗଳବାର ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି । ତେବେ ଶପଥ ଗ୍ରହଣ ଉତ୍ସବରେ ରାଷ୍ଟ୍ରପତି ଆରିଫ ଅଲବୀଙ୍କ ଉପସ୍ଥିତିକୁ ନେଇ ନୂଆ ସରକାର ଅସନ୍ତୁଷ୍ଟ ଥିବା ଜଣାପଡିଛି । ପାକିସ୍ତାନ ମୁସିଲିମ୍ ଲିଗ୍ – ନବାଜର ନେତ୍ରୀ ତଥା ପ୍ରଧାନମନ୍ତ୍ରୀ ଶାହବାଜଙ୍କ ଝିଆରୀ ମାରିଅମ ନୱାଜ ସରିଫ ଟ୍ୱିଟ୍ କରି ରାଷ୍ଟ୍ରପତିଙ୍କୁ ଟାର୍ଗେଟ କରି ଲେଖିଛନ୍ତି
– ଯଦି ସାମ୍ବିଧାନିକ କର୍ତବ୍ୟ ପାଳନ କରିବାକୁ ତୁମର ସାହସ ନାହିଁ ତାହାଲେ ତୁମେ ଇସ୍ତଫା ଦେଇ ଘରକୁ ପଳାଇ ଯିବା ଉଚିତ୍ । ଲୋକଙ୍କ ଉପରେ ଟ୍ୟାକ୍ସର ଚାପ ପକାଇବାର ଆବଶ୍ୟକତା ନାହିଁ ।

ତେବେ ଖାସ କଥା ହେଉଛି ରାଷ୍ଟ୍ରପତି ଆରିଫ ଅଲବୀ ନୂଆ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କୁ ମଧ୍ୟ ଶପଥ ପାଠ କରାଇ ନଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ଘନିଷ୍ଠ ଭାବେ ପରିଚିତ ରାଷ୍ଟ୍ରପତି ଆରିଫ ଅଲବୀଙ୍କ ଭୂମିକାକୁ ନେଇ ନୂଆ ସରକାର ଅସନ୍ତୁଷ୍ଟ ଥିବା ଦେଖିବାକୁ ମିଳୁଛି ।

ଆରିଫ ଅଲବୀ ଓ ଇମ୍ରାନ ଖାନ ବେଶ ଘନିଷ୍ଠ ଥିଲେ । ରାଷ୍ଟ୍ରପତି ଅଲବୀ ଇମ୍ରାନଙ୍କ ସରକାର ବଂଚାଇବାକୁ ଅନେକ ଚେଷ୍ଟା ବି କରିଥିଲେ । ଆଉ ତାଙ୍କ ସରକାର ଭାଙ୍ଗିବା ପରେ ଶାହବାଜଙ୍କ ସରକାରରେ ସେ କୌଣସି ରୁଚି ଦେଖାଉନଥିବା ଅଭିଯୋଗ ହୋଇଛି । ନିଜ ସ୍ୱାସ୍ଥ୍ୟ ସମସ୍ୟାର ଆଳ ଦେଖାଇ ଶପଥ ଗ୍ରହଣ ସମାରୋହରୁ ରାଷ୍ଟ୍ରପତି ଦୂରରେ ରହୁଥିବା ଚର୍ଚ୍ଚା ହେଉଛି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କୁ ଶପଥ ପାଠ ପୂର୍ବରୁ ବି ଅସୁସ୍ଥ ହୋଇଥିଲେ ରାଷ୍ଟ୍ରପତି ଅଲବୀ । ସିନେଟ୍ ଚେୟାରମ୍ୟାନ ହିଁ ଶାହବାଜଙ୍କୁ ଶପଥ ପାଠ କରାଇଥିଲେ ।

ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ୩୧ଜଣ କ୍ୟାବିନେଟ, ୩ ରାଷ୍ଟ୍ରମନ୍ତ୍ରୀ ଏବଂ ୩ଜଣ ପରାମର୍ଶଦାତାଙ୍କୁ ନିଜ ମନ୍ତ୍ରୀମଣ୍ଡଳରେ ନିୟୋଜିତ କରିଛନ୍ତି । ହେଲେ ଏଥିରେ ବିରୋଧୀ ଦଳ ପ୍ରମୁଖ ନେତା ବିଲାୱଲ ଭୁଟ୍ଟୋଙ୍କୁ ମିଳି ନାହିଁ କୌଣସି ବି ଦାୟିତ୍ୱ । ତାଙ୍କ ଦଳ ପିପିପିର ୯ଜଣ ସାଂସଦଙ୍କୁ ମନ୍ତ୍ରୀପଦ ମିଳିଛି । ସେହିପରି ନୂଆ ମନ୍ତ୍ରୀମଣ୍ଡଳରେ ୨୦ଜଣ ସାଂସଦ ପ୍ରଥମ ଥର ପାଇଁ ମନ୍ତ୍ରୀପଦ ହାସଲ କରିଛନ୍ତି ।

ବିଲାବଲ ବିରୋଧୀ ଦଳର ଜଶେ ପ୍ରମୁଖ ନେତା ଭାବେ ଜଣାଯାଆନ୍ତି । ଇମ୍ରାନଙ୍କ ସରକାର ଭାଙ୍ଗିବା ପଛରେ ତାଙ୍କ ଦଳର ବି ବଡ ଭୂମିକା ରହିଛି । ଆଉ ନୂଆ ସରକାର ଗଠନ ହେବା ପରେ ତାଙ୍କୁ ମନ୍ତ୍ରୀ ପଦ ନମିଳିବା ପାକ୍ ସରକାରରେ ବିବାଦ ଛିଡା କରିବ ଏଥିରେ ସନ୍ଦେହ ନାହିଁ ।