ପକ୍ଷୀଙ୍କୁ କାଳ ହେଉଛି ସୁଉଚ୍ଚ କୋଠା : ୱାର୍ଲ୍ଡ ଟ୍ରେଡ୍ ସେଣ୍ଟର ନିକଟରେ ମାଳମାଳ ମଲା ପକ୍ଷୀ, ପରିବେଶବିତଙ୍କ ମଧ୍ୟରେ କ୍ଷୋଭ

172

କନକ ବ୍ୟୁରୋ: ପରିବେଶରେ ମାଦକତା ଭରିଦିଏ ପକ୍ଷୀଙ୍କ ଖିଚିରିମିଚିରି ଶବ୍ଦ । ଏହି କୋମଳ ସୃଷ୍ଟି ପାଇଁ ଲୋକେ ଅନେକ କିଛି ସୁବିଧା କରୁଛନ୍ତି । ହେଲେ ଆମର ଅତ୍ୟାଧୁନିକ ଜୀବନ ଶୈଳୀ ଏମାନଙ୍କ ପାଇଁ ହେଉଛି କାଳ । ୱାର୍ଲ୍ଡ ଟ୍ରେଡ୍ ସେଣ୍ଟର ନିକଟରୁ  ୩୦୦ରୁ ଅଧିକ ପକ୍ଷୀଙ୍କ ମୃତଦେହ ମିଳିବା ପରେ ପକ୍ଷୀ ପ୍ରେମୀ ତଥା ପରିବେଶ ବିଜ୍ଞାନୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।  । ସ୍କାଏ ସ୍କ୍ରାପର୍ସରେ ବ୍ୟବହୃତ କାଚରେ ବାଡେଇ ହୋଇ ଏମାନଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି ।

ଆମେରିକାର ନଭଶ୍ଚୁମ୍ବି ଟାୱାର ଗୁଡିକ ଏମାନଙ୍କ ପାଇଁ ଘାତକ ପ୍ରମାଣିତ ହେଉଛି, ଯେଉଁଥିରେ ଧକ୍କା ଖାଇ ଏମାନଙ୍କର ମୃତ୍ୟୁ ହେଉଛି ।କୁହାଯାଉଛି ଯେ, ପେଣ୍ଟାଗନ ଟାୱାର ଭାଙ୍ଗିବା ପରେ ଏଠାରେ ନିର୍ମିତ ହୋଇଥିବା ସୁଉଚ୍ଚ ଟାୱାରର ଚାରିପଟେ କାଚ ସଂଲଗ୍ନ ହୋଇଛି । ଯାହା ରାତିରେ ପକ୍ଷୀ ମାନଙ୍କ ମନରେ ଭ୍ରମ ସୃଷ୍ଟି କରୁଛି । ରାତିରେ କାଚ ଝରକାରେ ଆଲୋକ ପଡିବା ଫଳରେ ଏହା ଆକାଶର ଭ୍ରମ ସୃଷ୍ଟି କରୁଥିବାରୁ ପକ୍ଷୀ ଗୁଡିକ ଏହା ଆଡକୁ ଉଡିଯିବା ସମୟରେ ଏଥିରେ ଧକ୍କା ହୋଇ ପ୍ରାଣ ହରାଇଥିବା ଆମେରିକାର ଜନୈକ ପରିବେଶବିତ୍ ମତ ଦେଇଛନ୍ତି ।

କହିରଖୁଁ କି, ଆମେରିକାର କର୍ଣ୍ଣେଲ ଲ୍ୟାବ୍ ଅଫ୍ ଆର୍ନିଥୋଲୋଜିର ରିପୋର୍ଟ ମୁତାବକ, ଆମରିକାର ସ୍କାଏ ସ୍କ୍ରାପରରେ ଧକ୍କା ଖାଇ ପ୍ରତିବର୍ଷ ୬୦ କୋଟି ପକ୍ଷୀ ପ୍ରାଣ ହରାଉଛନ୍ତି । ଚିକାଗୋ, ହଷ୍ଟନ୍ ଓ ଡାଲାସ ସହର ପକ୍ଷୀ ମାନଙ୍କ ପାଇଁ  ସବୁଠୁ ବିପଜ୍ଜନକ ସ୍ଥାନ ବୋଲି ଏହି ରିପୋର୍ଟରେ ପ୍ରକାଶ ପାଇଛି । ଶିତ ଋତୁରେ କାନାଡାରୁ ଦକ୍ଷଣ ଆମେରିକା ଯିବା ବାଟରେ ଏହି ସହରରେ ଏହି କାରଣରୁ ଅଧିକ ପ୍ରବାସୀ ପକ୍ଷୀ ପ୍ରାଣ ହରାଉଥିବା ଜଣାପଡିଛି । ଏନେଇ ଆମେରିକା ସରକାର କିଛି ନିୟମ କରିଥିଲେ ତାହା ପକ୍ଷୀମାନଙ୍କୁ କୌଣସି ଭାବେ ସୁରକ୍ଷା ଦେଇପାରୁନଥିବା ପରିବେଶବିତ୍ ମାନେ କ୍ଷୋଭ ପ୍ରକାଶ କରିଛନ୍ତି ।