କନକ ବ୍ୟୁରୋ : ଭାରତୀୟ ଷ୍ଟେଟବ୍ୟାଙ୍କ ସମେତ ଦେଶର ବିଭିନ୍ନ ବ୍ୟାଙ୍କ ଗରିବ ଲୋକମାନଙ୍କ ଜିରୋ ବାଲାନ୍ସ ଖାତାରୁ ବିଭିନ୍ନ ସେବାକର ଲଗାଇ ଶହ ଶହ କୋଟି ଟଙ୍କା ଲୁଟ୍ କରିଥିବା ଜଣାପଡିଛି । ଆଇଆଇଟି ବମ୍ବେ ଦ୍ୱାରା କରାଯାଇଥିବା ଏକ ସର୍ଭେ ରିପୋର୍ଟରେ ପ୍ରକାଶ କରିଛି କି ଶୂନ୍ୟ ବାଲାନ୍ସ ଖାତାଧାରୀ ମାନେ ସେମାନଙ୍କ ଖାତାରୁ ୪ ଥରରୁ ଅଧିକ ଟଙ୍କା ବାହାର କଲେ ପ୍ରତିଥର ୧୭.୭୦ ଟଙ୍କା କର ଆଦାୟ କରିବାକୁ ନିଷ୍ପତ୍ତି ନେଇଥିଲା । ଏହି କର ବାବଦରେ ଭାରତୟ ଷ୍ଟେଟ ବ୍ୟାଙ୍କ ୨୦୧୫ ରୁ ୨୦୨୦ ମଧ୍ୟରେ ୧୨ କୋଟି ଖାତାଧାରକଙ୍କ ଠାରୁ ୩୦୦ କୋଟିରୁ ଅଧିକ ଟଙ୍କା ଆଦାୟ କରିଛି । ଏହାକୁ ନେଇ ଆଇଆଇଟି ବମ୍ବେର ଜଣେ ଗବେଷକ କହିଛନ୍ତି କି ଏଭଳି କରି ଏସବିଆଇ ରିଜର୍ଭ ବ୍ୟାଙ୍କର ନିୟମ ଉଲ୍ଲଙ୍ଘନ କରିଛି ।

Advertisment

ସେହିଭଳି ଦେଶର ଅନ୍ୟଏକ ବଡ ବ୍ୟାଙ୍କ ପଞ୍ଚାବ ନ୍ୟାସନାଲ ବ୍ୟାଙ୍କ ୨୦୧୫ ରୁ ୨୦୨୦ ମସିହା ମଧ୍ୟରେ ୩.୯ କୋଟି ଗରିବ ଖାତା ଧାରକ ମାନଙ୍କ ଠାରୁ ୯.୯ କୋଟି ଟଙ୍କା ଆଦାୟ କରିଛି । ଏନେଇ ଗବେଷଣା କରୁଥିବା ଆଇଆଇଟି ବମ୍ବେର ପ୍ରଫେସର ଆଶିସ୍ ଦାସ କହିଛନ୍ତି କି ଜମାଖାତାରୁ ଡିଜିଟାଲ କାରବାର ସହ ୪ ଥରରୁ ଅଧିକ ଟଙ୍କା ବାହାର କଲେ ବ୍ୟାଙ୍କ ଯେଭଳି ଭାବେ ପ୍ରତି ଟ୍ରାନଜାକସନ୍ ଉପରେ ୧୭.୭୦ ଟଙ୍କା କର ଆଦାୟ କରୁଛି ତାହା ରିଜର୍ଭବ୍ୟାଙ୍କ ନିୟମର ଖୋଲା ଖୋଲି ଉଲ୍ଲଙ୍ଘନ । କହିରଖୁ କି ଗରିବ ଲୋକମାନଙ୍କର ଜିରୋ ବାଲାନ୍ସ ଆକାଉଣ୍ଟ ସବୁଠାରୁ ଅଧିକ ଏସବିଆଇ ପାଖରେ ଅଛି । ପ୍ରଫେସର ଶ୍ରୀ ଦାସ କହିଛନ୍ତି କି, ସେବା କର ନାମରେ ଗରିବ ଲୋକମାନଙ୍କ ଠାରୁ ଏଭଳି କର ଆଦାୟ କରିବା ଅନୁଚିତ୍ ।

ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୧୩ ସେପ୍ଟେମ୍ବର ମାସରେ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ କି ଜମାଖାତାରୁ ମାସକୁ ୪ ଥରରୁ ଅଧିକ ଟଙ୍କା ଉଠାଣ ଉପରେ କୌଣସି ବ୍ୟାଙ୍କ କର ଆଦାୟ କରିପାରିବ ନାହିଁ ।