ବନ୍ୟା ପ୍ରଭାବିତ ଚାଷୀ ପାଇଁ ବଡ ଘୋଷଣା । ୩୦୦ କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଗତ ମାସ ବନ୍ୟାରେ ପ୍ରଭାବିତ ହୋଇଥିଲେ ଚାଷୀ

663

କନକ ବ୍ୟୁରୋ: ବନ୍ୟା ପ୍ରଭାବିତ ଚାଷୀଙ୍କ ପାଇଁ ୩୦୦ କୋଟିର ପ୍ୟାକେଜ୍ ଘୋଷଣା କଲେ ରାଜ୍ୟ ସରକାର । ଗତମାସ ବନ୍ୟାରେ ପ୍ରଭାବିତ ହୋଇଥିବା ଚାଷୀଭାଇଙ୍କ ପାଇଁ ୩ଶହ କୋଟିର ଆର୍ଥିକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଗତ ଅଗଷ୍ଟ ମାସର ଶେଷ ସପ୍ତାହରେ ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥିବା ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଥିବା ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୦୦ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କରିଛନ୍ତି । ବନ୍ୟା ଯୋଗୁଁ ୩୩ ପ୍ରତିଶତ ଫସଲ କ୍ଷତି ହୋଇଥିବା କ୍ଷୁଦ୍ର ଓ ମଧ୍ୟମ ଚାଷୀଙ୍କୁ ସହାୟତା ମିଳିବ । ସେହିପରି ଅଣଜଳସେଚିତ ଜମି ଲାଗି ହେକ୍ଟର ପିଛା ୬୮୦୦ ଟଙ୍କା ଇନପୁଟ ସବସିଡି ମିଳିବ । ଜଳସେଚନ ଜମି ପାଇଁ ୧୩ ହଜାର ୫୦୦ ଟଙ୍କା ଓ ବାରମାସି ଫସଲ ପାଇଁ ୧୮ ହଜାର ଟଙ୍କା ମିଳିବ ।

୫୦ ପ୍ରତିଶତ ସବ୍‌ସିଡିରେ ଚାଷୀମାନଙ୍କୁ ୨୦୦୦ ପମ୍ପ ସେଟ୍‌ ଦିଆଯିବ । ଏହା ସର୍ବାଧିକ ୧୫ ହଜାର ଟଙ୍କା ହେବ । ସେହିପିର ୧ ଲକ୍ଷ ଚାଷୀଙ୍କୁ ତାଲିମ ଦିଆଯିବ । ରବି ଫସଲ ପାଇଁ ଉନ୍ନତମାନର ବିହନ ଯୋଗାଇ ଦିଆଯିବ । ଏଥି ପାଇଁ ଚାଷୀଙ୍କୁ ସର୍ବାଧିକ ୭୫ ପ୍ରତିଶତ ରିହାତି ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି । ସେହିପରି ୧ ଲକ୍ଷ ଚାଷୀଙ୍କୁ ଭେଜିଟେବୁଲ କିଟ୍‌ ଦିଆଯିବ । ଏହି କିଟରେ ପାଳଙ୍ଗ, ବିନ୍‌ସ, ଟମାଟୋ, ଲଙ୍କା, ଶିମ୍ବ ଓ ମୂଳା ମଂଜି ରହିବ। ଏହାର ମୂଲ୍ୟ ୧୩୦ ଟଙ୍କା ।

୧୦ ହଜାର ଛତୁଚାଷୀଙ୍କୁ ୫୦୦ ଟଙ୍କାରେ ଘର ମରାମତି ପାଇଁ ସହାୟତା ରାଶି ମିଳିବ । ସେହିପରି ରାଜ୍ୟ ସରକାର ବନ୍ୟାରେ ପ୍ରଭାବିତ ଅନ୍ୟ ଚାଷୀଙ୍କୁ ଉଚିତ ସହାୟତା ଯୋଗାଇ ଦେବାକୁ ମଧ୍ୟ ଲକ୍ଷ୍ୟ ରଖିଛନ୍ତି ।