ମହିଳା ବିଜେପିର କୋକେଇ ଶୋଭାଯାତ୍ରା । ନବୀନ ନିବାସ ଆଡକୁ ବଢୁଥିବା ବେଳେ ୩୦୦ ଜଣଙ୍କୁ ଅଟକ ରଖିଲା ପୋଲିସ ।

164

କନକ ବ୍ୟୁରୋ :  ମମିତା ମେହେର ହତ୍ୟା ଘଟଣାରେ ବିଜେପିର ଜୋରଦାର ପ୍ରତିବାଦ । ବିଜେପି ମହିଳା ମୋର୍ଚ୍ଚାର କର୍ମୀ ମାନେ ବିଜେପି କାର୍ଯ୍ୟାଳୟରୁ ବାହାରି ଶୋଭାଯାତ୍ରା କରିଛନ୍ତି । ଦଳୀୟ କାର୍ଯ୍ୟାଳୟରୁ ନବୀନ ନିବାସକୁ ଅଗ୍ରସର ହେଉଥିବା ବେଳେ ଶିଶୁଭବନ ଛକରେ ଅଟକାଇଥିଲା ପୋଲିସ । ଏହି ସମୟରେ ବିଜେପି ମହିଳା କର୍ମୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ବିଜେପି ମହିଳା ମୋର୍ଚ୍ଚା କର୍ମୀମାନେ ୨ଟି ବ୍ୟାରିକେଡ ଭାଙ୍ଗିଥିଲେ । ଘଟଣାସ୍ଥଳରେ ଉପସ୍ଥିତ ଥିବା ପୋଲିସ ବିଜେପି କର୍ମୀଙ୍କୁ ଅଟକାଇବା ସହ ସେଠାରୁ ଉଠାଇ ନେଇଥିଲା ।

ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ବେଳେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଡିସିପି ଉମାଶଙ୍କର ଦାସ । ନବୀନ ନିବାସ ଯିବାକୁ ଚେଷ୍ଟା କରିବା ବେଳେ ଶିଶୁଭବନ ଛକରେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା । ବ୍ୟାରିକେଡ଼ ଭାଙ୍ଗିବାକୁ ଚେଷ୍ଟା କରିଥିଲେ ବିଜେପି କର୍ମୀ । ଏହି ଘଟଣାରେ ଉଭୟ ପୁରୁଷ ଓ ମହିଳା ପାଖାପାଖି ୩୦୦ ଜଣଙ୍କୁ ଅଟକ ରଖାଯାଇଛି । ଆବଶ୍ୟକୀୟ ନ୍ୟାୟିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଡ଼ିସିପି

ମୁଖ୍ୟମନ୍ତ୍ରୀ ତୁରନ୍ତ ଏହି ଘଟଣାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରୁଛି ବିଜେପି । ତୁରନ୍ତ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବି କରିଛନ୍ତି । ଏହି ଶୋଭାଯାତ୍ରାରେ ଶତାଧିକ ବିଜେପି କର୍ମୀ ଏକାଠି ହୋଇ ନାରାବାଜି କରିଛନ୍ତି । ରାଜ୍ୟରେ ନ୍ୟାୟ ବ୍ୟବସ୍ଥାର ମୃତ୍ୟୁ ହୋଇଥିବା କହିଛି ବିଜେପି ।

ବିଜେପି ମହିଳା କର୍ମୀ ମାନେ ନବୀନ ନିବାସକୁ ଅଗ୍ରସର ହେଉଥିବା ବେଳେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା । ଏହାସତ୍ୱେ ଜଣେ ବିଜେପି ମହିଳା କର୍ମୀ ନବୀନ ନିବାସ ପର୍ଯ୍ୟନ୍ତ ପହଂଚି ଯାଇଥିଲେ । କଡା ସୁରକ୍ଷା ବ୍ୟବସ୍ଥା ସତ୍ୱେ ବିଜେପି ମହିଳା କର୍ମୀ ଜଣକ କିପରି ନବୀନ ନିବାସ ପର୍ଯ୍ୟନ୍ତ ପହଂଚିଲେ ତାକୁ ନେଇ ପ୍ରଶ୍ନ ଉଠିଛି ।