ରାଜ୍ୟରେ ପଦୋନ୍ନତି ଅପେକ୍ଷାରେ ୩୦ହଜାର କନେଷ୍ଟବଳ ! ୧୬ ବର୍ଷ ହେଲା ବସିନାହିଁ ବୋର୍ଡ, ଆଶା ଆଶଙ୍କାରେ କାର୍ଯ୍ୟରତ କର୍ମଚାରୀ

71

କନକ ବ୍ୟୁରୋ : ଓଡ଼ିଶା ପୁଲିସ ବିଭାଗରେ ୩୦ ହଜାର କନଷ୍ଟେବଳଙ୍କ କାନ୍ଧରେ ଲାଗିପାରୁନି ଷ୍ଟାର। ସେମାନେ କନଷ୍ଟେବଳରୁ ଏଏସ୍ଆଇ ପାହ୍ୟାକୁ ପଦୋନ୍ନତି ପାଇପାରୁ ନାହାନ୍ତି। ସାଧାରଣ ବର୍ଗର ଏହି କନେଷ୍ଟବଳ ୨୩ ବର୍ଷ କନେଷ୍ଟବଳ ଚାକିରି କଲେଣି। କିନ୍ତୁ କନେଷ୍ଟବଳ ପାହ୍ୟାରେ ଅଟକି ରହିଛନ୍ତି। ଯଦିଓ ଓଡ଼ିଶା ପୁଲିସ ମାନୁଆଲ୍ ରୁଲ୍(ପିଏମ୍ଆର୍)ରେ କନେଷ୍ଟବଳ ଚାକିରିର ୭ ବର୍ଷ ପରେ ଜଣେ ଏଏସ୍ଆଇ ପାହ୍ୟା ପାଇଁ ଯୋଗ୍ୟ ହୋଇଥାଏ। କିନ୍ତୁ ୧୬ ବର୍ଷ ହେବ ପୁଲିସ ବିଭାଗ ପକ୍ଷରୁ ପଦୋନ୍ନତି ବୋର୍ଡ ବସିପାରିଲା ନାହିଁ। ଚାକିରିର ଅଧା ବର୍ଷ ବିନା ପଦୋନ୍ନତିରେ କଟିଲାଣି। ଅନୁସୂଚିତ ଜାତି ଓ ଜନଜାତି ବର୍ଗର କନେଷ୍ଟବଳ ୧୬ ବର୍ଷ ଭିତରେ ତିନି ଥର ବୋର୍ଡ ବସିଥିବା ବେଳେ ସାଧାରଣ ବର୍ଗ ବଞ୍ଚିତ ହୋଇଥିବାରୁ, ବିଭାଗରେ ଏବେ କର୍ମଚାରୀଙ୍କ ମନୋବଳ ଭାଙ୍ଗି ଗଲାଣି। ଏହାର ସିଧାସଳଖ ପ୍ରଭାବ କାର୍ଯ୍ୟ କ୍ଷେତ୍ରରେ ବି ପଡ଼ୁଥିବା କୁହାଯାଉଛି।

 

ସାଧାରଣ ପ୍ରଶାସନ ବିଭାଗ ଅଧୀନରେ ଥିବା ଦୁର୍ନୀତି ନିବାରଣ ବିଭାଗ, ଗୃହ ବିଭାଗ ଅଧୀନରେ ଅଗ୍ନିଶମ ବିଭାଗ, ରେଳବାଇ ପୁଲିସ, ପୁଲିସ ବିଭାଗର ୩୬ଟି ପୁଲିସ ଜିଲ୍ଲାରେ ଏଏସ୍ଆଇ ପଦବି ପୂରଣ କରାଯିବାକୁ ଯୋଜନା ହୋଇଥିଲା। ଏଥିପାଇଁ କଟକ ପୁଲିସ ମୁଖ୍ୟାଳୟ ପକ୍ଷରୁ ଗତ ୨୦୧୭ ଜୁଲାଇ ୨୧ ତାରିଖରେ ସ୍ୱତନ୍ତ୍ର ଭାବେ ସାଧାରଣ ବର୍ଗର କନେଷ୍ଟବଳଙ୍କୁ ଏଏସ୍ଆଇ ପାହ୍ୟାକୁ ପଦୋନ୍ନତି ସଂକ୍ରାନ୍ତରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୨୦୧୭ ଜାନୁଆରି ୧ ତାରିଖ ସୁଦ୍ଧା ଯେଉଁ କନେଷ୍ଟବଳ ସାତ ବର୍ଷ କାଳ କାର୍ଯ୍ୟ କରିଥିବେ, ସେମାନେ ଏଏସ୍ଆଇ ଲିଖିତ ପରୀକ୍ଷା ପାଇଁ ଯୋଗ୍ୟ ବିବେଚିତ ହେବେ ବୋଲି ଚିଠିରେ ଉଲ୍ଲେଖ କରାଯାଇଥିଲା। ୨୦୧୭ ଅଗଷ୍ଟ ୧୦ ତାରିଖ ସୁଦ୍ଧା ଉପରୋକ୍ତ ମାନଦଣ୍ଡ ପୂରଣ କରିଥିବା କନେଷ୍ଟବଳ ନିଜ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟଳୟରେ ସମ୍ମତିପତ୍ର ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ୨୦୧୭ ଡିସେମ୍ବର ୩୧ ତାରିଖ ସୁଦ୍ଧା ବିଭାଗରେ ଯେତେ ସଂଖ୍ୟକ ଏଏସ୍ଆଇ ପଦବି ଖାଲି ପଡ଼ିଥିବ, ସେହି ଅନୁଯାୟୀ ସାଧାରଣ ବର୍ଗରେ ଉତ୍ତୀର୍ଣ୍ଣ କନେଷ୍ଟବଳଙ୍କୁ ପଦୋନ୍ନତି କରାଯିବାକୁ ନିଷ୍ପତ୍ତି ହୋଇଥିଲା। ରାଜ୍ୟ ପୁଲିସ ବିଭାଗ ଚିଠି ଆଧାରରେ କନେଷ୍ଟବଳ ଜିଲ୍ଲା ଏସପି/ଡିସିପିଙ୍କ ନିକଟରେ ସମ୍ମତିପତ୍ର ଦାଖଲ କରିଥିଲେ। କିନ୍ତୁ ସେବେଠୁ ସମ୍ପୃକ୍ତ କନଷ୍ଟେବଳଙ୍କ ପାଇଁ କୌଣସି ଲିଖିତ ପରୀକ୍ଷା କରାଗଲା ନାହିଁ।

 

ପୁଲିସ ବିଭାଗ ପକ୍ଷରୁ ଶେଷ ଥର ପାଇଁ କନେଷ୍ଟବଳରୁ ଏଏସ୍ଆଇ ପଦବି ପାଇଁ ୨୦୦୨ ମସିହାରେ ଉଭୟ ସାଧାରଣ ବର୍ଗ ଏବଂ ଅନୁସୁଚିତ ଜାତି ଓ ଜନଜାତି ବର୍ଗଙ୍କ ପାଇଁ ବୋର୍ଡ ବସିଥିଲା। ପରେ ରାଜ୍ୟ ସରକାର ଦୁଇଟି ବର୍ଗଙ୍କ ପାଇଁ ପୃଥକ ବୋର୍ଡ ବସାଇବାକୁ ନିଷ୍ପତ୍ତି ହୋଇଥିଲା। ସେବେଠୁ ସାଧାରଣ ବର୍ଗଙ୍କ ପାଇଁ ଆଦୌ ବୋର୍ଡ ବସିନଥିବା ବେଳେ ଅନୁସୁଚିତ ଜାତି ଓ ଜନଜାତି ବର୍ଗ ପାଇଁ ୨୦୧୨, ୨୦୧୩ ଓ ୨୦୧୪ ବର୍ଷ ତିନି ଥର ଲଗାତର ବୋର୍ଡ ବସିଥିଲା। ଯଦ୍ୱାରା ୨୦୦୨ ମସିହା ପରଠାରୁ ଆଜି ତାରିଖ ସୁଦ୍ଧା ରାଜ୍ୟରେ ରେଳବାଇ, ପୁଲିସ ଏବଂ ଭିଜିଲାନ୍ସରେ କାର୍ଯ୍ୟରତ ପାଖାପାଖି ୪୦ ହଜାର କନଷ୍ଟେବଳଙ୍କ ମଧ୍ୟରୁ ୭ ବର୍ଷ ଚାକିରି କରିଥିବା ପାଖାପାଖି ୩୦ ହଜାର କନଷ୍ଟେବଳ ଅତିକ୍ରମ କରିସାରିଲେଣି। ପୁଲିସ ବିଭାଗରେ ଏଭଳି ଅବ୍ୟବସ୍ଥାକୁ ନେଇ କନଷ୍ଟେବଳଙ୍କ ମହଲରେ ଅସନ୍ତୋଷ ବଢ଼ିବାକୁ ଲାଗିଲାଣି। ବିଭାଗ ପକ୍ଷରୁ ତୁରନ୍ତ ଏ କ୍ଷେତ୍ରରେ ପଦକ୍ଷେପ ଗ୍ରହଣ କରିବାକୁ କାର୍ଯ୍ୟରତ କନଷ୍ଟେବଳଙ୍କ ମଧ୍ୟରେ ଦାବି ହେଲାଣି।