‘କରୋନା’ ପାଇଁ ଦେଶବ୍ୟାପି କଟକଣା: ଦେଶର ୩୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ୫୪୮ ଜିଲ୍ଲାରେ ଲକଡାଉନ; ପଞ୍ଜାବ ଓ ମହାରାଷ୍ଟ୍ରରେ କର୍ଫ୍ୟୁ

867

କନକ ବ୍ୟୁରୋ: ଦେଶରେ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୪୯୮ ଜଣ ଏହି ମହାମାରୀରେ ସଂକ୍ରମିତ ହୋଇଛନ୍ତି । ଆଉ ଏହାକୁ ଦୃଷ୍ଟିରେ ରଖି ଦେଶର ୩୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ତାଲାବନ୍ଦ ଘୋଷଣା କରିଛନ୍ତି । ଏଥିରେ ଦେଶର ପ୍ରାୟ ୫୪୮ଟି ଜିଲ୍ଲା ରହିଛି । ଯେଉଁଠି ସମ୍ପୂର୍ଣ୍ଣ ତାଲାବନ୍ଦ ଘୋଷଣା କରାଯାଇଛି । ଏହା ବ୍ୟତିତ ତିନୋଟି ରାଜ୍ୟର କିଛି ଜିଲ୍ଲାରେ ଲକଡାଉନ ଘୋଷଣା କରାଯାଇଛି । ଏହି ତିନି ରାଜ୍ୟ ହେଉଛନ୍ତି ଉତରପ୍ରଦେଶ, ମଧ୍ୟପ୍ରଦେଶ ଓ ଓଡିଶା । ତେବେ ମିଜୋରାମ ଓ ସିକିମ ଏପର୍ଯ୍ୟନ୍ତ କୌଣସି ପ୍ରକାର କଟକଣା ଲାଗୁ କରିନାହାଁନ୍ତି ।

ସେପଟେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଦେଶର ପ୍ରଥମ ରାଜ୍ୟ ଭାବେ ପଂଜାବରେ ସଂପୂର୍ଣ୍ଣ କର୍ଫ୍ୟୁ ଘୋଷଣା କରାଯାଇଛି । ମୁଖ୍ୟ ଶାସନ ସଚିବ, ପୁଲିସ ଡିଜି ସ୍ଥିତିର ସମୀକ୍ଷା କରିବା ପରେ ଏନେଇ ପଂଜାବ ମୁଖ୍ୟମନ୍ତ୍ରୀ ଅମ୍ରିନ୍ଦର୍ ସିଂ ବିଦ୍ଧିବଧ ଭାବେ ପଂଜାବରେ ସଂପୂର୍ଣ୍ଣ କର୍ଫ୍ୟୁ ଘୋଷଣା କରିଛନ୍ତି । ତେବେ ନିର୍ଦ୍ଧିଷ୍ଟ କେତେକ କ୍ଷେତ୍ରରେ ସ୍ୱତନ୍ତ୍ର ଅନୁମତି ନେଇ ଏବଂ ଗମନାଗମନର କାରଣ ଦର୍ଶାଇ କର୍ଫ୍ୟୁ ସମୟରେ ଯାତାୟତ କରିପାରିବେ । ଦୀର୍ଘ ୩ ଦଶନ୍ଧି ପରେ ପଂଜାବରେ ପ୍ରଥମ ଥର ପାଇଁ ସଂପୂର୍ଣ୍ଣ କର୍ଫ୍ୟୁ ଜାରି ହୋଇଛି । ସେପଟେ ମହାରାଷ୍ଟ୍ରରେ ମଧ୍ୟ କର୍ଫ୍ୟୁ ଘୋଷଣା କରାଯାଇଛି । ମହାରାଷ୍ଟ୍ରରେ ରାଜ୍ୟ ବ୍ୟାପୀ କର୍ଫ୍ୟୁ ଘୋଷଣା କରାଯାଇଥିବା ବେଳେ ଜିଲ୍ଲାର ସୀମାକୁ ମଧ୍ୟ ସିଲ କରିଦିଆଯାଇଛି ।