ରାଜଧାନୀକୁ ଡରାଉଛି ଡେଙ୍ଗୁ : ଆଉ ୩୦ ରୋଗୀ ଚିହ୍ନଟ ପରେ ମୋଟ ସଂଖ୍ୟା ପହଂଚିଲା ୪୨୧

171

କନକ ବ୍ୟୁରୋ : କରୋନା ପରେ ରାଜଧାନୀକୁ ପୁଣି ଡରାଇଲା ଡେଙ୍ଗୁ । ଗତକାଲି ରାଜଧାନୀରେ ଆଉ ୩୦ ରୋଗୀ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ୩୯୧ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ । ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ ୪୨୧ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଆଉ ଏହା ବିଏମସିର ଚିନ୍ତା ବଢାଇଦେଇଛି । ବିଶେଷକରି ବସ୍ତି ଓ ସାହି ଅଂଚଳରେ ଡେଙ୍ଗୁ ବ୍ୟାପୁଛି । ଶୈଳଶ୍ରୀବିହାର ଓ ନୀଳାଦ୍ରିବିହାର ଭଳି ଅଂଚଳରେ ଡେଙ୍ଗୁର ପ୍ରକୋପ ଅଧିକ ରହିଛି ।

ସେପଟେ ଡେଙ୍ଗୁ ପ୍ରତିକାର ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ସହ ସଫେଇ ଓ ମଶା ଧୂଆଁ ଛାଡ଼ିବା କାର୍ଯ୍ୟ ତ୍ୱରାନିତ କରାଯାଇଛି । ମଶା ଜନ୍ମ ନେଉଥିବା ସ୍ଥାନକୁ ଚିହ୍ନଟ କରାଯାଇ, ମଶା ମାରିବାକୁ ଉଦ୍ୟମ ହେଉଛି । ପ୍ରାୟ ଏକ ହଜାର ୯୩ଟି ଏଭଳି ସ୍ଥାନ ଚିହ୍ନଟ କରିଛି ବିଏମସି। ଶେଷ ଖବର ସୁଦ୍ଧା ୪ ହଜାର ୯୦୧ ଘର ଏବଂ ୨୦ ହଜାର ୩୫୦ ଲୋକଙ୍କ ନମୁନା ପରୀକ୍ଷା କରାଯାଇଛି ।

ଏଡିସ୍ ମଶା କାମୁଡ଼ିବା ଦ୍ୱାରା ଡେଙ୍ଗୁ ରୋଗ ହୋଇଥାଏ । ବଡ଼ କଥା ହେଉଛି, ଯଦି ଠିକ୍ ସମୟରେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ପଦକ୍ଷେପ ନିଆନଯାଏ, ମାତ୍ର ୨ରୁ ୩ ଦିନ ଭିତରେ ଏହା ଗୋଟିଏ ପରିବାରର ୩ରୁ ୪ ଜଣଙ୍କୁ ଏକାଥରକେ ଆକ୍ରନ୍ତ କରିପାରେ ।