କଳାହାଣ୍ଡି କୋକସରା କେନ୍ଦୁଗୁଡା ବସ୍ ଦୁର୍ଘଟଣା: ୨୦ ଯାତ୍ରୀ ଆହତ,୭ ଜଣ ଗୁରୁତରଙ୍କୁ ଭବାନୀପାଟଣା ହସ୍ପିଟାଲକୁ ସ୍ଥାନାନ୍ତର

ଧର୍ମଗଡରୁ ହାଇଦ୍ରାବାଦକୁ ଶ୍ରମିକ ନେଇଥିବା ଯାଉଥିବାବେଳେ ହୋଇଛି ଦୁର୍ଘଟଣା

79

କନକ ବ୍ୟୁରୋ: ଶ୍ରମିକଙ୍କୁ ନେଇ ହାଇଦ୍ରାବାଦ ଯାଉଥିବାବେଳେ ଓଲଟିଲା ବସ୍ । ଦୁର୍ଘଟଣାରେ ୩୦ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ନିକଟସ୍ଥ କୋକସରା ହସ୍ପିଟାଲରେ ଭର୍ତି କରାଯାଇଥିଲା । ସାମାନ୍ୟ ଆହତ ହୋଇଥିବା ଯାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଛି ଓ ଗୁରୁତର ଥିବା ୭ ଜଣ ଯାତ୍ରୀଙ୍କୁ ଭବାନୀପାଟଣା ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । କଳାହାଣ୍ଡି ଜିଲ୍ଲା କୋକସରା ବଡ କେନ୍ଦୁଗୁଡା ବିଜୁ ଏକ୍ସପ୍ରେସ ନିକଟରେ ଏହି ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ ଗୁପ୍ତା ନାମକ ଏକ ଘରୋଇ ବସ୍ ଧର୍ମଗଡରୁ ହାଇଦ୍ରାବାଦକୁ ପ୍ରାୟ ୫୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା ।

ସୂଚନା ଅନୁସାରେ, ଛତିଶଗଡ଼ ରାଜ୍ୟ ଦେଭୋଗରୁ ହାଇଦ୍ରାବାଦକୁ ଯାଉଥିବା ଗୁପ୍ତା ନାମକ ଏକ ଘରୋଇ ବସ (ସିଜି ୧୭ ଏଫ୍‌ ୮୭୧୯) ରବିବାର ସନ୍ଧ୍ୟାରେ କୋକସରା ବ୍ଲକ୍‌ ବଡ଼କେନ୍ଦୁଗୁଡ଼ା ନିକଟରେ ଦୁର୍ଘଟଣାଗ୍ରସ୍ତ ‌ହୋଇଛି। ଏଥିରେ ଥିବା ୫୦ରୁ ଅଧିକ ଯାତ୍ରୀଙ୍କ ମଧ୍ୟରୁ ୧୯ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରତର ଥିବା ସୂଚନା ମିଳିଛି। ଖବର ପାଇ ଆମପାଣି ଥାନା ପୁଲିସ ଓ ଆମ୍ବୁଲାନ୍ସ ପହଂଚି ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କୋକସରା ଡାକ୍ତରଖାନାକୁ ଆଣିଥିଲେ।

ସମସ୍ତ ଆହତଙ୍କୁ କୋକସରା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତରମାନଙ୍କୁ ଭବାନୀପାଟଣା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ବସ୍‌ରେ କଳାହାଣ୍ଡି ଓ ଛତିଶଗଡ଼ରୁ ହାଇଦ୍ରାବାଦକୁ ପ୍ରତିଦିନ ଦାଦନ ଚାଲାଣ କରାଯାଉଥିବା ଅଭିଯୋଗ ହୋଇଆସୁଛି। ଆଜିର ଦୁର୍ଘଟଣା ପରେ କୋକସରା ତହସିଲଦାର ମନୋଜ ପାଢ଼ୀ, ଧର୍ମଗଡ ଏସ୍‌ଡପିଓ ନାରାୟଣ ନାୟକ, ଧର୍ମଗଡ଼ ଉପଜିଲ୍ଲାପାଳ ଦିବାକର ଟି.ଏସ୍‌. ପହଞ୍ଚି ଅନୁଧ୍ୟାନ କରୁଛନ୍ତି। ଅନ୍ୟପକ୍ଷରେ ୧୫ ଜଣ ବସ୍ ଯାତ୍ରୀଙ୍କୁ କେନ୍ଦୁଗୁଡ଼ା ସ୍କୁଲରେ ରଖାଯାଇଛି।