କନକ ବ୍ୟୁରୋ: ଦୁଇଟି ଗୋଷ୍ଠୀ ମଧ୍ୟରେ ଉପୁଜି ଥିବା ଜମି ବିବାଦ ଘଟଣାକୁ ନେଇ ୪୦ରୁ ଊର୍ଦ୍ଧ୍ବ ବୋମାମାଡ଼ ହୋଇଛି। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନାଥପୁର ଗାଁରେ ଆଜି ଅପରାହ୍ନରେ ଏହି ଅଭାବନୀୟ ଘଟଣା ଘଟିଛି। ବୋମାମାଡ଼ରେ ୩୦ ଘର ଜଳିଯାଇଥିବା ସୂଚନା ମିଳିଛି। ପୁଲିସ ପହଞ୍ଚିବା ପରେ ସ୍ଥିତି ନିୟନ୍ତ୍ରିତ ଅଛି।
ସୂଚନା ଅନୁସାରେ ସାତପଡ଼ା ଅଞ୍ଚଳରେ ଥିବା ନାଥପୁର ଗାଁରେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଦ୍ବାରା ପ୍ରାୟ ୪୦ଟି ବୋମାମାଡ଼ ହୋଇଥିଲା। ଜମି ଜବରଦଖଲକୁ ନେଇ ଏହି ବୋମାମାଡ଼ ହୋଇଥିବା ନେଇ ଜଣାପଡ଼ିଛି। ଅଭିଯୋଗରୁ ଜଣାଯାଇଛି ଯେ, ୩୫ ମୌଜାର ଜମିକୁ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ବହୁଦିନ ହେଲା ଜବରଦଖଲରେ କରିଥିଲେ।ଏନେଇ ଆଜି ୩୫ ମୌଜାର ଲୋକେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଥିଲେ। କିନ୍ତୁ ବୈଠକରେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକଙ୍କୁ ଡକାଯିବାରୁ ଉତ୍ତେଜନା ଦେଖାଯାଇଥିଲା।
ତେବେ ବୋମାମାଡ଼ ଘଟଣା ସଂପର୍କରେ ସୂଚନା ମିଳିବା ପରେ ସୂଚନା ପାଇଁ ପୁରୀ ଅତିରିକ୍ତ ଏସ୍ପି ମିହିର ପଣ୍ଡା, ଏସଡିପିଓ କିଶୋର ଚନ୍ଦ୍ର ମୁଣ୍ଡ ଓ ବ୍ରହ୍ମଗିରି ଆଇଆଇସି ମନୋଜ ଶତପଥୀ ପହଞ୍ଚିଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ଉତ୍ତେଜନା ସ୍ଥଳୀରେ ୩ ପ୍ଲାଟୁନ ପୁଲିସ ମୁତୟନ ଅଛନ୍ତି।
Follow Us