କନକ ବ୍ୟୁରୋ: ଧସିଲା ଇନ୍ଦ୍ରାବତୀ ଜଳଭଣ୍ଡାରର ଡାହାଣ କେନାଲ । ଜଳମଗ୍ନ ହେଲା ଜମି, ଘରେ ଘରେ ପଶିଲା ପାଣି । ଆଜି ଭୋର ୩ଟା ସମୟରେ କଲମପୁର ବ୍ଲକ ଅନ୍ତର୍ଗତ ଦେପୁର ଗାଁ ନିକଟରେ ୩୦ ଫୁଟର ଘାଇ ସୃଷ୍ଟି ହୋଇଛି । ଫଳରେ ଭୋରୁ ଭୋରୁ ଗାଁ ଗଣ୍ଡାରେ ପାଣି ପଶିଯାଇଛି । ଗାଁ ଦାଣ୍ଡରେ ୩ ଫୁଟ ଉଚ୍ଚର ପାଣି ପ୍ରବାହିତ ହୋଇଛି । ହେକ୍ଟର ହେକ୍ଟର ଜମି ଜଳମଗ୍ନ ହୋଇଛି । ଘରେ ପାଣି ପଶିଯିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଘରେ ଥିବା ଧାନ, ଚାଉଳ, ଡାଲି ଓ ଖାଦ୍ୟ ସାମଗ୍ରୀ ଓଦା ହୋଇଯାଇଛିି । ଆସବାବପତ୍ର ମଧ୍ୟ ପାଣିରେ ବୁଡିଛି । ଲୋକମାନେ ଘରୁ ପାଣି କାଢୁଥିବା ଦେଖିବାକୁ ମିଳିଛି । ଘାଇ ସଂପର୍କରେ ସୂଚନା ପାଇଁ ପ୍ରଶାସନିକ ଅଧିକାରୀ, ଇନ୍ଦ୍ରାବତୀ ଜଳସେଚନ୍ ପ୍ରକଳ୍ପ କର୍ତୃପକ୍ଷ ସ୍ଥିତିର ଅନୁଧ୍ୟାନ କରିଛନ୍ତି । ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଛନ୍ତି ।