ବିଭିନ୍ନ ମୌଳିକ ସୁବିଧାରୁ ବଂଚିତ ଗାଁର ଲୋକେ । ଭୂମିହୀନ ଉଦଳା ରାଢି ପଂଚାୟତର ୩୦ରୁ ଅଧିକ ପରିବାର, ଗମନାଗମନରୁ ନେଇ ବିପର୍ଯ୍ୟସ୍ତ ଶିକ୍ଷା ଓ ସ୍ୱାସ୍ଥ୍ୟ

58

କନକ ବ୍ୟୁରୋ : ବିଭିନ୍ନ ମୌଳିକ ସୁବିଧାରୁ ବଂଚିତ ରହିଛନ୍ତି ଗାଁର ଲୋକ । ଗାଁରେ ରୁହନ୍ତି ୩୦ରୁ ଅଧିକ ପରିବାର । ହେଲେ ମୁଣ୍ଡ ଗୁଂଜିବାକୁ କାହାର ଭଲ ଘର ଖଣ୍ଡିଏ ନଥିବା ବେଳେ ସମସ୍ତେ ଭୂମିହୀନ । ଅନ୍ୟ ଲୋକଙ୍କ ବ୍ୟତୀତ ବୃଦ୍ଧ ବୃଦ୍ଧାଙ୍କ ପାଇଁ ଭତା ଗଣ୍ଡାକ ମିଳିବାର ସୁବିିଧା ମଧ୍ୟ ନାହିଁ । ଉଦଳା ବ୍ଲକ ରାଢି ପଂଚାୟତ ୧୬ ନଂ ୱାର୍ଡର ପାତ୍ରସାହିର ଲୋକଙ୍କ ଅନେକ ସମସ୍ୟା । ଭୂମିହୀନ ଲୋକେ ଜାଗା ପାଇଁ ବାରମ୍ବାର ସରକାରୀ ଅଫିସ୍ ଦୌଡିଛନ୍ତି । ଅନେକ ଗୁହାରୀ ବି କରିଛନ୍ତି । ହେଲେ ଫଳ ଶୂନ । ସେପଟେ ନିର୍ବାଚନ ସମୟରେ ଭୋଟ୍ ନେବାକୁ ଆସୁଥିବା ନେତାଏ ପୁଳା ପୁଳା ପ୍ରତିଶୃତି ଦେଇ ଭୋଟ ହାତେଇନେବା ପରେ ଦିନେ ହେଲେ ଏହି ଗ୍ରାମବାସୀଙ୍କ ଦୁଃଖ ଶୁଣିନାହାନ୍ତି । ଶେଷରେ ଗ୍ରାମବାସୀମାନେ ନିର୍ବାଚନରେ ଭୋଟ ବର୍ଜ୍ଜନ କରିବେ ବୋଲି ଦେଇଛନ୍ତି ଚେତାବନୀ ।

ଭୋଟ ଦେବା ମୌଳିକ ଅଧିକାର । ହେଲେ ଯେତେବେଳେ ସରକାରୀବାବୁ, ରାଜନେତାମାନେ ସେମାନଙ୍କୁ ପଟ୍ଟା ପ୍ରଦାନ କରିବା ଭଳି ମୌଳିକ ସୁବିଧାରୁ ବଂଚାଇ ରଖିଛନ୍ତି ସେତେବେଳେ ଗ୍ରାମବାସୀ ଏହାର ପ୍ରତିବାଦ କରିଛନ୍ତି । ଗାଁର ଲୋକେ କଣ ପାଇଁ ଭୋଟ ଦେଇ ସରକାର ଗଢିବାରେ ସହାୟକ ହେବେ ବୋଲି କହିଛନ୍ତି । ତେଣୁ ଭୋଟ୍ ବର୍ଜନ କରିବାର ନିଷ୍ପତି ନେଇଛନ୍ତି ଗାଁର ଲୋକମାନେ ।

ସମସ୍ୟା ଭିତରେ ରହିଥିବା ଏହି ଗାଁର ଲୋକଙ୍କୁ ଜମି ପଟ୍ଟା ଯୋଗାଇବା ସହ ଅନ୍ୟ ମୌଳିକ ସୁବିଧା ସବୁ ଯୋଗାଇବା ଜରୁରୀ ହୋଇପଡିଛି ।