ମାଓ ମୁକାବିଲା ପାଇଁ ଛତିଶଗଡ ସରକାରଙ୍କ ନୂଆ ରଣନୀତି । ନକ୍ସଲ ପ୍ରଭାବିତ ଅଂଚଳରେ ୩୦ ଆଂଟି ନକ୍ସଲ ମହିଳା କମାଣ୍ଡୋ ନିୟୋଜିତ

ଦାନ୍ତେୱାଡା ଓ ବସ୍ତର ଅଂଚଳରେ ରଖିଛନ୍ତି ନଜର; ଲାଲବାହିନୀ ଛାଡିଥିବା ୧୦ ଲେଡି କମାଣ୍ଡୋ ସାମିଲ

83

କନକ ବ୍ୟୁରୋ: ଛତିଶଗଡରେ ମାଓ ମୁକାବିଲା ପାଇଁ ସ୍ଥାନୀୟ ପୋଲିସର ନିଆରା ଉଦ୍ୟମ । ପ୍ରଥମ ଥର ପାଇଁ ଦାନ୍ତେୱାଡା ଓ ବସ୍ତର ଅଂଚଳରେ ମୁତୟନ ହୋଇଛନ୍ତି ୩୦ ଜଣ ମହିଳା ଆଂଟି ନକ୍ସଲ କମାଣ୍ଡୋ । ଜଙ୍ଗଲରେ ଏହି ଆଂଟି-ନକ୍ସଲ କମାଣ୍ଡୋ କିଭିଳି ସବୁ ପରିସ୍ଥିତିର ମୁକାବିଲା କରିପାରେବି ଓ ନକ୍ସଲଙ୍କ ମୁହାଁମୁହିଁ ଲଢେଇ କରିବେ ସେ ନେଇ ସେମାନଙ୍କୁ ତାଲିମ ଦିଆଯାଇଛି । ଘଂଚ ଜଙ୍ଗଲରେ ମୋଟର ସାଇକେଲରେ ପାଟ୍ରୋଲିଂ କରିବା, ନକ୍ସଲଙ୍କ ଆକ୍ରମଣ ଯୋଜନାର କିଭଳି ମୁକାବିଲା କରିବା, ନକ୍ସଲ ଗତିବିଧି ଉପରେ ନଜର ରଖିବା ସମ୍ପର୍କରେ ଏହି ମହିଳା ଆଂଟି କମାଣ୍ଡୋ ଟ୍ରେନିଂ ନେଇଛନ୍ତି ।

ସବୁଠାରୁ ବଡ କଥା ହେଲା, ଏମାନଙ୍କ ମଧ୍ୟରେ ଅଛନ୍ତି ୧୦ଜଣ ଆତ୍ମସମର୍ପଣ କରିଥିବା ମହିଳା ମାଓବାଦୀ । ଦାଣ୍ଡେୱାଡା ଏସପିଙ୍କ କହିବା ଅନୁସାରେ, ସାଲୱା ଜୁଡମ ସହ ଜଡିତ ଥିବା କିଛି ମହିଳାଙ୍କୁ ବି ଏହି ନକ୍ସଲ ବିରୋଧୀ କମାଣ୍ଡୋ ୟୁନିଟରେ ସାମିଲ କରାଯାଇଛି । ଏହି ସ୍କାଡର ନାଁ ରଖାଯାଇ ‘ଦାନ୍ତେଶ୍ୱରୀ ଲଡାକେ’ ।

ଛତିଶଗଡ ପୋଲିସ ଓ ପାରା ମିଲିଟାରୀ ଫୋର୍ସରେ ପୂର୍ବରୁ ମହିଳାଙ୍କୁ ନିଯୁକ୍ତି ଦିଆଯାଇଥିଲା । କିନ୍ତୁ ପ୍ରଥମ ଥର ଲାଗି ମାଓବାଦୀଙ୍କ ସହ ମୁହାଁମୁହିଁ ଲଢେଇ ପାଇଁ ଆଂଟି ନକ୍ସଲ କମାଣ୍ଡୋଙ୍କୁ ନିଯୁକ୍ତି ଦିଆଯାଇଛି । ନକ୍ସଲ ବିରୋଧୀ ଫୋର୍ସର ଫ୍ରଂଟଲାଇନରେ ରହି ଏମାନେ ମାଓବାଦୀଙ୍କ ମୁକାବିଲା କରିବେ । କମାଣ୍ଡେ ବି ଶପଥ ନେଇଛନ୍ତି, ବସ୍ତର ଅଂଚଳକୁ ମାଓବାଦୀଙ୍କ କବଳରୁ ମୁକ୍ତ କରିବାକୁ ।