କରୋନା ଲେଖୁଛି କଷ୍ଟର କାହାଣୀ । ମାତ୍ର ୧୫ ଦିନ ଭିତରେ ଗୋଟିଏ ଗାଁର ୩୦ ଲୋକଙ୍କ ଜୀବନ ନେଲାଣି ମହାମାରୀ କରୋନା ।

668

କନକ ବ୍ୟୁରୋ : ଦିନକୁ ଦିନ କରୋନା ଭୂତାଣୁ ଅଧିକ ସଂକ୍ରମିତ ହେଉଥିବା ବେଳେ, ସଂକ୍ରମଣରେ ମୃତ୍ୟୁର ଖବର ମଧ୍ୟ ସାମ୍ନାକୁ ଆସୁଛି । ଆଉ ଏହାରି ଭିତରେ କାନପୁରରୁ ଆସିଛି ଚିନ୍ତା ବଢାଇବା ଭଳି ଖବର । ଉତ୍ତରପ୍ରଦେଶର କାନପୁର ସହରଠାରୁ ମାତ୍ର ୫୦ କିଲୋମିଟର ଦୂର ଘାଟମପୁରର ପରାସ ଗାଁ । ଏହି ଗାଁଟି କାନପୁରର ସବୁଠାରୁ ବଡ ଗାଁ ଅଟେ । ଆଉ ଏଠାକାର ଜନସଂଖ୍ୟା ପାଖାପାଖି ୧୦ ହଜାରରୁ ଅଧିକ । କରୋନା ସଂକ୍ରମଣରେ ମାତ୍ର ୧୫ ଦିନ ଭିତରେ ଏହି ଗାଁର ୩୦ଜଣ ଲୋକଙ୍କର ଜୀବନ ଗଲାଣି ।

କାନପୁରର ପରାସ ଗାଁରେ ଆତଙ୍କ ଖେଳାଇଛି କରୋନା । ଭୂତାଣୁ ନେଲାଣି ଅନେକ କରୋନା ସଂକ୍ରମିତଙ୍କ ଜୀବନ । ଅଧିକାଂଶ ଘରେ ଲୋକେ ଅସୁସ୍ଥ ଥିବା ବେଳେ, ସେମାନଙ୍କ ଠାରେ କରୋନାର ସମସ୍ତ ଲକ୍ଷଣ ରହିଥିବା ଜଣାପଡିଛି । ଆଉ ଏପରି ସ୍ଥିତିରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ବିପର୍ଯ୍ୟସ୍ଥ ହୋଇପଡିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଡାକ୍ତର ତ ଦୂରର କଥା ଗାଁରେ ଗୋଟିଏ ହସ୍ପିଟାଲ ନଥିବା ବେଳେ ଟେଷ୍ଟିଂ ମଧ୍ୟ କରାଯାଉନଥିବା କହିଛନ୍ତି ଗାଁଲୋକେ ।