ସୋପୋରୋରୁ ଆସିଲା ସ୍ତବ୍ଧ କରିଦେଲା ଭଳି ଖବର : ଚାରିଆଡ଼ୁ ଫୁଟୁଛି ଗୁଳି , ତଳେ ପଡ଼ିଛି ଜେଜେଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଶରୀର … ଆଉ ଜେଜେଙ୍କୁ ଜଗିଛି ନାତି ।

6,391

ରଣକ୍ଷେତ୍ରରେ ପଡ଼ିଛି ୬୦ ବର୍ଷୀୟ ବୃଦ୍ଧଙ୍କ ମୃତଶରୀର । ରକ୍ତରେ ଜୁଡ଼ୁବୁଡ଼ୁ ଜେଜେବାପାଙ୍କ ମୃତଶରୀରକୁ ଜଗିବସିଛି ୩ ବର୍ଷର କଅଁଳା ନାତି । ଅନବରତ ଗୁଳି ଚାଲୁଥିବା ଭିତରେ ଛୁଆଟି ଜେଜେଙ୍କ ପାଖରେ ଏମିତି ବସିିଛି ସତେ ଯେମିତି ଜେଜେ ନାତିଟୋକା ସଙ୍ଗେ ଉଠି ଖେଳିବେ । ହେଲେ ଅଫେରା ରାଇଜକୁ ଜେଜେ ଚାଲିଯାଇଛନ୍ତି ବୋଲି ଅବୋଧ ନାତିଟୋକା କେମିତି ଜାଣିବ !

ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଏବଂ ଭାରତୀୟ ସେନା ମୁହାଁମୁହିଁ ବେଳେ ଦେଖିବାକୁ ମିଳିଥିଲା ଏଭଳି କିଛି ହୃଦବିଦାରକ ଦୃଶ୍ୟ । ପ୍ରତିଦିନ ଘାଟିରେ ଆତଙ୍କବାଦୀ ଏବଂ ସେନା ଭିତରେ ଗୁଳିବିନିମୟ ହେବା ଏକ ସାଧାରଣ ଘଟଣା । ଦେଶପାଇଁ ନିଜ ଜୀବନକୁ ବାଜି ଲଗାଇ ଆତଙ୍କବାଦୀଙ୍କ ସହ ଲଢନ୍ତିି ବୀର ଯବାନ । ବେଳେବେଳେ ଦୁର୍ଭାଗ୍ୟବଶତଃ ଭାରତକୁ ତା’ର ବୀର ଯବାନଙ୍କୁ ହରାଇବାକୁ ପଡ଼େ ତ ଆଉ କେତେବେଳେ ଆସେ ଆତଙ୍କୀ ନିପାତ ହେବାର ଖୁସିଖବର । ପ୍ରତିଦିନ ଭଳି ଆଜି ମଧ୍ୟ ସୋପୋରରେ ସେନା-ଆତଙ୍କୀଙ୍କ ଭିତରେ ମୁହାଁମୁହିଁ ହୋଇଥିଲା । ହେଲେ ଆଜି ଘାଟିର ଏନକାଉଣ୍ଟର ସାଇଟର ଦୃଶ୍ୟ ଯନ୍ତ୍ରଣାଦାୟକ ଥିଲା ।

ବୁଧବାର ଜମ୍ମୁ-କାଶ୍ମୀରର ସୋପୋରରେ ସିଆପିଏଫ୍ ଯବାନଙ୍କ ଉପରକୁ ଆତଙ୍କବାଦୀ ଆକ୍ରମଣ କରିଥିଲେ । ଏହି ଘଟଣାରେ ୧୭୯ ବାଟାଲିୟାନର ଜଣେ ଯବାନ୍ ସହିଦ୍ ହୋଇଗଲେ । ଆଉ ଏଥିମଧ୍ୟରେ ଜଣେ ୬୦ ବର୍ଷୀୟ ନାଗରିକଙ୍କ ମଧ୍ୟ ମୃତ୍ୟୁ ହୋଇଗଲା । ଘଟଣାସ୍ଥଳରୁ ତାଙ୍କର ଏକ ଫଟୋ ସାମ୍ନାକୁ ଆସିଛି । ଯେଉଁଥିରେ ଜେଜେଙ୍କ ସହ ବଜାର ବୁଲି ଆସିଥିବା ୩ ବର୍ଷର ନାତି ଜେଜେଙ୍କ ଉଠିବାକୁ ଅପେକ୍ଷା କରିବସିଛି । ଏପଟେ ନିର୍ଦ୍ଦୟ ଆତଙ୍କବାଦୀ ଅନବରତ ଗୁଳି ଚଲାଉଛନ୍ତି । ଏଭଳି ସ୍ଥିତିରେ ଭାରତର ଜଣେ ଯବାନ କୁନିଶିଶୁଟିକୁ କୋଳରେ ଉଠାଇ ଏନକାଉଣ୍ଟର ସାଇଟରୁ ହଟାଇଥିଲେ ।