କନକ ବ୍ୟୁରୋ: ଏ ଦୁଇ ନିରିହ ଆଖି ନୂଆ ନୂଆ ଦୁନିଆ ଦେଖୁଛି । ସମାଜକୁ ଚିହ୍ନୁଛି, ଜୀବନକୁ ଜାଣୁଛି । ହସିଖେଳି ନିଜ ପିଲାବେଳର ମଜା ନେବାକୁ ଏ ଆଖିରେ ଆଖିଏ ଉତ୍ସୁକତା ଥିଲେ ହେଁ ଶରୀର କିନ୍ତୁ ସାଥ୍ ଦେଉନି । ଖେଳକୁଦର ସବୁ ଇଚ୍ଛା ଏଇ ଆଖିରେ ହିଁ ମରିଯାଉଛି । ପେଟ ଅସ୍ୱାଭାବିକ ଭାବେ ବଢୁଥିବାରୁ ଏମିତି ପଡି ରହୁଛି କୁନିପୁଅ ସାଇରାମ ।

Advertisment

କାମାକ୍ଷାନଗର ମହୁଲପାଳ ଗାଁର ଲିଟୁ ବେହେରାଙ୍କ ପୁଅ ସାଇରାମ । ବୟସ ୩ ବର୍ଷ ୬ ମାସ । ଏତେ ଛୋଟ ବୟସରୁ କିଡନୀ ରୋଗରେ ପୀଡିତ ସାଇ । ଜନ୍ମର ବର୍ଷ ପରେ ଦେହ ହଠାତ୍ ଖରାପ ହେବା ପରେ ତାକୁ କାମାକ୍ଷାନଗର ଠାରୁ ଢେଙ୍କାନାଳ ଏବଂ ପରେ କଟକ ବଡ ମେଡିକାଲରେ ଦେଖାଇଥିବା ପରେ ସାଇର କିଡନୀ ରୋଗ ହୋଇଥିବା ଜଣାପଡିଲା । ଆଉ ପୁଅର ଏମିତି ରୋଗରେ ବାପାମାଆ ଭାଙ୍ଗି ପଡିବା ସହ ତା ଚିକିତ୍ସାରେ ସବୁ କିଛି ସାରିଦେଲେ ।

ଗରିବ ଘର ହୋଇଥିବାରୁ ଖଟି ଖାଇଲେ କୁଟୁମ୍ବ ଚଳେ । ତା ଭିତରେ ପୁଅର ରୋଗ ଭଲ କରିବାକୁ ବା ଟଙ୍କା ଆସିବ କେଉଁଠୁ । ରାସନ କାର୍ଡରେ ନାଁ ନଥିବାରୁ ସେମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କାର୍ଡର ସୁବିଧା ବି ମିଳି ନାହିଁ । ଏମିତି ପରିସ୍ଥିତି ପୁଅର ଚିକିତ୍ସା କେମିତି ହେବ ଭାଳେଣି ପଡିଛି । ସେପଟେ ସାଇର ଦେହ ଦିନକୁ ଦିନ ବିଗିଡିବାରେ ଲାଗିଥିବା ବେଳେ ଜିଲ୍ଲା ପ୍ରଶାସନକୁ ନିବେଦନ କରିଛନ୍ତି ଜଣେ ଏ ଗରିବ ପରିବାର ।

ତେବେ ସାଇରାମର ଏ ଘଟଣା ସରକାରଙ୍କ ସ୍ମାର୍ଟକାର୍ଡର ସତକୁ ପଦାରେ ପକାଇଛି । ସରକାର ସୁସ୍ଥ ଓଡିଶା ଗଠନ ପାଇଁ ଯେଉଁ ବିଜୁ ସ୍ମାର୍ଟକାର୍ଡକୁ ଗରିବଙ୍କ ପାଇଁ କରିଛନ୍ତି ତାହା ଏ ଅସହାୟ ପରିବାର ପାଖରେ ପହଞ୍ଚି ପାରୁନି । କୁନିପୁଅର ଏ ଅବସ୍ଥା ସରକାରଙ୍କୁ ପ୍ରଶ୍ନ କରୁଛି କାହା ପାଇଁ ବିଏସକେୱାଇ ?