କନକ ବ୍ୟୁରୋ : ବ୍ରାଜିଲର ଜଣେ ତିନି ବର୍ଷର ବାଳକ ନିଜ ବନ୍ଧୁଙ୍କୁ ସୁଇମିଂ ପୁଲରେ ବୁଡ଼ିଯିବାରୁ ରକ୍ଷା କରିବା ପରେ ସେହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ସୋସିଆଲ୍ ମିଡିଆ ୟୁଜର୍ସ ଭିଡିଓଟିକୁ ବହୁଳ ମାତ୍ରାରେ ସେୟାର୍ କରିବା ସହ କୁନି ବାଳକର ବୀରତ୍ୱକୁ ପ୍ରଶଂସା କରି ଚାଲିଛନ୍ତି।
ରିଓ ଡି ଜେନିରୋର ଉତ୍ତରରେ ଅବସ୍ଥିତ ଇଟାପେରୁନା ନିବାସୀ ଆର୍ଥର୍ ଡି ଅଲିଭାଇରାଙ୍କୁ ତାଙ୍କର ଏପରି ସାହସିକତା ପାଇଁ ପୁରସ୍କୃତ କରାଯାଇଛି। ସେ ତାଙ୍କ ବନ୍ଧୁକୁ ପାଣିରୁ ବୁଡ଼ିଯିବାରୁ ବଞ୍ଚାଇବା ବେଳେ ତାଙ୍କ ମାଆ ସେହି ଦୃଶ୍ୟର ଭିଡିଓ ଉତ୍ତୋଳନ କରି ସୋସିଆଲ୍ ମିଡିଆରେ ସେୟାର୍ କରିବା ପରେ ଏହି ଭିଡିଓଟିକୁ ବହୁ ଗ୍ରହଣୀୟତା ମିଳିଛି।
ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି ଯେ ଦୁଇ ତିନି ବର୍ଷର ବାଳକ ସୁଇମିଂ ପୁଲ୍ ନିକଟରେ ଅଛି। ସେହି ସମୟୟରେ ହଠାତ୍ ବାଳକଟିର ବନ୍ଧୁ ହେନ୍ରିକ୍ ଭାରସାମ୍ୟ ହରାଇ ପୁଲ୍ରେ ପଡ଼ିଯିବା ପରେ ସେଠାରେ ଲାଗିଥିବା ଏକ ଇନଫ୍ଲେଟେବଲ୍ ରିଙ୍ଗ ଧରିବାକୁ ଚେଷ୍ଟା କରିଥିଲେ। ହେନ୍ରିକ୍ ପାଣିରେ ପଡ଼ି ଯିବା ପରେ ବଞ୍ଚିବା ପାଇଁ ସଂଘର୍ଷ କରିବା ସହ ସାହାଯ୍ୟ ଲୋଡ଼ିଥିଲେ। ସେଠାରେ ଅନ୍ୟ କେହି ବଡ଼ ଲୋକ ନଥିବା କାରଣରୁ ୩ ବର୍ଷର କୁନି ବାଳକ ଆର୍ଥର୍ ନିଜେ ତାଙ୍କ ବନ୍ଧୁକୁ ବଞ୍ଚାାଇବା ପାଇଁ ଉଦ୍ୟମ କରିଥିଲେ ଓ ସଫଳ ମଧ୍ୟ ହେଲେ।
କୁନି ପିଲାମାନଙ୍କ ବାପାମାଆଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଆର୍ଥରଙ୍କ ମାଆ ସୋସିଆଲ୍ ମିଡିଆରେ ଏହି ଭିଡିଓ ସେୟାର୍ କରିଥିଲେ। ସେ ଏହି ଭିଡିଓ ପୋଷ୍ଟ୍ କରି ସେଥିରେ ପର୍ତ୍ତୁଗୀଜ୍ ଭାଷାରେ ଲେଖିଛନ୍ତି, ‘ଯେଉଁମାନଙ୍କ ଘରେ ସୁଇମିଂ ପୁଲ୍ ଅଛି ସେମାନଙ୍କ ଲାଗି ଏହି ଭିଡିଓ ଏକ ସଚେତନତା ବାର୍ତ୍ତା ପରି। ଈଶ୍ବରଙ୍କୁ ଧନ୍ୟବାଦ ଯେ ଅନ୍ତିମଟା ସୁଖମୟ ହୋଇପାରିଛି।’
ଆର୍ଥର ଏବେ ବ୍ରାଜିଲରେ ଇଣ୍ଟରନେଟ୍ ସେନସେସନ ପାଲଟି ଯାଇଛନ୍ତି । ଏହି ଭିଡିଓ ସୋସିଆଲ ମିଡିଆରେ ଅନେକଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ସ୍ଥାନୀୟ ପୁଲିସ୍ ଅଧିକାରୀମାନେ ତୁରନ୍ତ କୁନି ବାଳକଟିକୁ ଉତ୍ସାହିତ କରିବାକୁ ପରସ୍କୃତ କରିଥିଲେ।