କନକ ବ୍ୟୁରୋ: ସବୁ ସରିଗଲା... ଘରର ଶିରି ତୁଟିଗଲା । ଆଖି ଆଗରେ ଲିଭିଗଲା ତିନି ତିନିଟି ଜୀବନ । ପୁଅ ମାଆକୁ ହରାଇଲା, ସ୍ୱାମୀ ସ୍ତ୍ରୀକୁ ହରାଇଲା ଆଉ ସର୍ବସ୍ୱାନ୍ତ ହୋଇଗଲା ପୂରା ପରିବାର । ହାତ ଧରାଧୁରି ହୋଇ ଗୋଟିଏ ପରିବାରରେ ୩ ଜଣଙ୍କ ଆକସ୍ମିକ ମୃତ୍ୟୁ ପରେ ସ୍ତବ୍ଧ ହୋଇଯାଇଛି ସାଲେପୁର । ବିଦ୍ୟୁତ ଆଘାତରେ ଶାଶୁଙ୍କ ସହ ୨ ବୋହୂଙ୍କ ଦେହାନ୍ତ ପରେ ବାହୁନି କାନ୍ଦୁଛି ବେତେଇ ଗାଁ । ଆଉ ସମ୍ପର୍କୀୟଙ୍କ ଲୁହ, କୋହ, କାନ୍ଦରେ ବତୁରି ଯାଉଛି ସମସ୍ତଙ୍କ ଛାତି ।
ସାଲେପୁର ବେତେଇ ଗାଁର ପ୍ରଭାତ ମଲ୍ଲିକଙ୍କ ପତ୍ନୀ ନନ୍ଦୀତା, ଗାଧୋଇସାରି ଘର ଅଗଣାରେ ଲୁଗା ଶୁଖାଉଥିବା ବେଳେ ଘର ପାଖରେ ଯାଇଥିବା ବିଦ୍ୟୁତ ତାର ଲାଗିଥିଲା । ଆଉ ଓଦା ଲୁଗା ତାର ସଂସ୍ପର୍ଶରେ ଆସିବା ପରେ ନନ୍ଦୀତାଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା । ବୋହୂ ତଳେ ପଡିଯାଇଥିବା ଦେଖି ଘର ଭିତରୁ ଶାଶୁ ଦୌଡି ଆସିଥିଲେ ଆଉ ତାଙ୍କୁ ଧରିପକାଇ ସେ ବି ଛଟପଟ ହୋଇଥିଲେ । ତେବେ ଶାଶୁ-ଯାଆଙ୍କର ଏଭଳି ଅବସ୍ଥାରେ ବିଚଳିତ ହୋଇ ସେମାନଙ୍କୁ ରକ୍ଷା କରିବାକୁ ଧାଇଁ ଆସିଥିଲେ ସାନ ବୋହୂ ପୁଷ୍ପଲତା । ମାତ୍ର ବିଦ୍ୟୁତର ସେ ଭୟଙ୍କର ତରଙ୍ଗରୁ ସେ ବି ବର୍ତ୍ତି ପାରି ନଥିଲେ ।
ଘଟଣା ପରେ ଆମ୍ବୁଲାନ୍ସକୁ ଗାଁ ଲୋକେ ଖବର ଦେଇଥିଲେ ବି ରାସ୍ତା ନଥିବାରୁ ଗାଁକୁ ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା । ବାଧ୍ୟ ହୋଇ ଲୋକେ ୩ ଜଣଙ୍କୁ ବାଇକରେ ବସାଇ ଗାଁ ମୁଣ୍ଡରେ ଥିବା ଅଟୋରେ ମେଡିକାଲ ଆଣିଥିଲେ । ମାତ୍ର ମେଡିକାଲରେ ପହଞ୍ଚିଲା ବେଳକୁ ସବୁ ସରିଯାଇଥିଲା । ବିଳମ୍ବ ପାଇଁ ବାଟରେ ହିଁ ୩ ଜଣଙ୍କ ପ୍ରାଣ ବାୟୁ ଉଡିଯାଇଥିଲା । ତେବେ ରାସ୍ତା ଭଲ ଥିଲେ ହୁଏତ ୩ଟି ଜୀବନ ବଞ୍ଚିଯାଇଥାନ୍ତା ବୋଲି ଲୋକେ ଅଭିଯୋଗ କରିଛନ୍ତି ।
ସେପଟେ ମୃତ୍ୟୁ ପରେ କଟକ ଖାନନଗର ଶ୍ମଶାନରେ ଏକାଠି ଜଳିଛି ୩ ଜଣଙ୍କ ଜୁଇ । ସ୍ନେହ, ସମ୍ପର୍କରେ ବାନ୍ଧି ହୋଇଥିବା ଶାଶୁ-ବୋହୂ ହାତଧରା ହୋଇ ସ୍ୱର୍ଗକୁ ଯାତ୍ରା କରିଛନ୍ତି । ଶାଶୁ-ବୋହୂଙ୍କ ଅକାଳରେ ବିୟୋଗ ପରେ ସମସ୍ତେ ଭାଙ୍ଗିପଡିଥିବା ବେଳେ ପରିବାର ୪ଟି ଜୀବନକୁ ହରାଇଛି । କାରଣ ସାନ ବୋହୂ ପୁଷ୍ପଲତାଙ୍କ ପେଟରେ ଥିଲା ୪ ମାସର ଶିଶୁ । ତେବେ ଦୀପାବଳି ପୂର୍ବରୁ ସାରା ପରିବାର ପାଇଁ ୩ ଜଣ ଆଣିଥିବା ଏ ଅନ୍ଧାରକୁ ସଂଯୋଗ କୁହାଯିବ ନା ଦୁର୍ଯୋଗ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/10/JUI_00000.png)
/kanak/media/post_attachments/wp-content/uploads/2019/10/SASU-BOHU-1024x576.jpg)