କନକ ବ୍ୟୁରୋ : ଠକମାନେ ଫୋନ୍ କରି ଏକାଧିକ ଲୋକଙ୍କ ବ୍ୟାଙ୍କ ଖାତାରୁ ଟଙ୍କା ଗାଏବ କରିନେଉଥିବା ଖବର ସବୁଦିନ ସାମ୍ନାକୁ ଆସୁଛି । ତେଣୁ ଆପଣ ମଧ୍ୟ ଏଭଳି ଠକଙ୍କ ହାବୁଡରେ କେମିତି ନପଡିବେ ସେଥିପାଇଁ ଚିନ୍ତାରେ ଥିବେ । ବିଶେଷ କରି ଭୁବନେଶ୍ୱରରେ ଜାମତାରା ଗ୍ୟାଙ୍ଗ ସକ୍ରିୟ ଥିବା ଖବର ପରେ ଚିନ୍ତା ବଢି ଯାଇଛି । ପ୍ରାୟ ୧୦ ଦିନର ଅପରେସନ୍ ଓ ଛକାପଞ୍ଝା ପରେ ଠକ ଗ୍ୟାଙ୍ଗର ୩ ଜଣ ଧରା ପଡିଛନ୍ତି । ବିଶେଷ କରି ଏମାନେ ବିଭିନ୍ନ ଉପାୟରେ ଲୋକଙ୍କ ମୋବାଇଲ ଫୋନ ସଂଗ୍ରହ କରି ସେମାନଙ୍କୁ ଫୋନ କରୁଥିଲେ ଓ ବ୍ୟାଙ୍କ ତଥ୍ୟ ହାସଲ କରି ଟଙ୍କା ଉଡାଇ ନେଉଥିଲେ ।

Advertisment

ଦିନକୁ ଦିନ ସାଇବର ଅପରାଧ ବଢି ଚାଲିଥିବାବେଳେ ଏଭଳି ଗ୍ୟାଙ୍ଗ ଧରା ପଡିବା ସାଇବର ପୋଲିସ ପାଇଁ ବଡ ସଫଳତା । ହେଲେ ସାଇବର ବିଶେଷଜ୍ଞ କହିଛନ୍ତି ଏମାନେ କେମିତି ଅପରେଟ୍ କରନ୍ତି । ବିଶେଷ କରି ସପିଂ ମଲ, ରେଷ୍ଟୁରାଂଟ କିମ୍ବା ଅନ୍ୟ ବ୍ୟବସାୟିକ ସଂସ୍ଥାରେ ଆପଣ ଅଜଣା ଲୋକଙ୍କୁ ମୋବାଇଲ ନମ୍ବର ଦେଲେ ଏହାକୁ ହାସଲ କରିନିଅନ୍ତି ଏହି ଅପରାଧୀ । ଆଉ ତା ପରେ ମୋବାଇଲ ନମ୍ବର ସହ ଲିଙ୍କ ହୋଇଥିବା ବ୍ୟାଙ୍କ ଖାତା କିମ୍ବା ଅନଲାଇନ ଟ୍ରାଞ୍ଜାକ୍ସନ ଆପରୁ ଟଙ୍କା ଗାଏବ କରିଦିଅନ୍ତି । ତେଣୁ ସାଇବର ବିଶେଷଜ୍ଞଙ୍କ କହିବା ହେଲା ମଲରେ ଦିଅନ୍ତୁ ନାହିଁ ମୋବାଇଲ ଫୋନ୍ ।

ସାଇବର ଠକେଇରୁ ବର୍ତିବେ କିପରି ?

- ଅଜଣା ନମ୍ବର ସହ କଥା ହଅନ୍ତୁ ନାହିଁ
- ସର୍ଭେ ପାଇଁ ଦିଅନ୍ତୁ ନାହିଁ ବ୍ୟକ୍ତିଗତ ସୂଚନା
- ଅଫର ଲୋଭରେ ପଡନ୍ତୁ ନାହିଁ
- ହ୍ୱାଟସପ୍ରେ ଦିଅନ୍ତୁ ନାହିଁ କୌଣସି ସୂଚନା
- ଏକା ସାଙ୍ଗରେ ଦିଅନ୍ତୁନି ଆଧାର କାର୍ଡ, ପାନ କାର୍ଡ
- ଅଜଣା ନମ୍ବରକୁ କଲ କରନ୍ତୁ ନାହିଁ
- ମୋବାଇଲ ନମ୍ବରରୁ ଆସୁଥିବା ମେସେଜ ଅଣଦେଖା କରନ୍ତୁ
- ଅଜଣା ଲିଙ୍କରେ କ୍ଲିକ୍ କରନ୍ତୁ ନାହିଁ
- ଏନି ଡେକ୍ସ ଆପରେ କାହା ସହ ଯୋଗାଯୋଗ କରନ୍ତୁ ନାହିଁ
- ଡରରେ ପଡି ଦିଅନ୍ତୁ ନାହିଁ ବ୍ୟକ୍ତିଗତ ସୂଚନା
- କୌଣସି ବି ପରିସ୍ଥିତିରେ ବ୍ୟାଙ୍କ ସହ ଜଡିତ ସୂଚନା ଦିଅନ୍ତୁ ନାହିଁ
- କେବେ କି ଅଜଣା ଲୋକଙ୍କ ସହ ସେୟାର କରନ୍ତୁନି ଓଟିପି