୧୭ରୁ ଅସମ୍ଭାଳ ହୋଇପାରେ ତାତି: ଆଜିର ତାପମାତ୍ରାଠାରୁ ବଢ଼ିପାରେ ୧୪ରୁ ୧୫ ଡ୍ରିଗୀ

581

କନକ ବ୍ୟୁରୋ: ୪-୫ ଦିନର କୋହଲା ପାଗ ପରେ ରାଜ୍ୟରେ ଅନୁଭୁତ ହୋଇପାରେ ପ୍ରବଳ ଗରମ ସହ ଗୁଳୁଗୁଳି । କାଳବୈଶାଖୀ ଯୋଗୁଁ ବର୍ତମାନ ପାଗ ଥଣ୍ଡା ରହିଥିବା ବେଳେ ୧୫ ତାରିଖରୁ ବିଭିନ୍ନ ସ୍ଥାନରେ ତାତି ଡେଇଁପାରେ ୪୦ ଡିଗ୍ରୀ । ୧୭ ତାରିଖ ବେଳକୁ ସ୍ଥିତି ଅସମ୍ଭାଳ ହୋଇପାରେ ବୋଲି ଆକଳନ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

କାଳବୈଶାଖୀ ବର୍ଷା ଯୋଗୁଁ କିଛି ଦିନ ଧରି ପାରଦ ତଳମୁହାଁ ରହିଥିବା ବେଳେ ଏଣିକି ବଦଳିବ ପାଗ । ୧୫ ତାରିଖରୁ ଅଧିକାଂଶ ଜିଲ୍ଲାରେ ୪୦ ଡିଗ୍ରୀ ଟପିଯିବ ତାତି । ଏ ନେଇ ସତର୍କ କରାଇଛି ପାଣିପାଗ ବିଭାଗ । ଉପାନ୍ତରୁ ଉପକୂଳ ଓଡ଼ିଶା ସବୁଠି ହୋଇପାରେ ଗ୍ରୀଷ୍ମ ପ୍ରବାହ । ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉତ୍ତର ଉପକୂଳ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇପାରେ । ୪ରୁ ୫ ଦିନ ମଧ୍ୟରେ ସ୍ୱାଭାବିକ ଠାରୁ ୬ରୁ ୮ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ ତାପମାତ୍ରା ।

ଆସନ୍ତା ୧୭ରୁ ୨୦ ତାରିଖ ପର୍ଯ୍ୟନ୍ତ ସ୍ଥିତି ହୋଇପାରେ ସାଙ୍ଘାତିକ
ଆଭ୍ୟନ୍ତରୀଣ ଜିଲ୍ଲାରେ ଛୁଇଁପାରେ ୪୩ରୁ ୪୫ ଡିଗ୍ରୀ ସେଲିସିୟସ

ଆଜି ମଧ୍ୟ ରାଜ୍ୟର କିଛି ଜିଲ୍ଲାରେ ମେଘୁଆ ପାଗ ରହିଥିବା ବେଳେ ହାଲୁକା ବର୍ଷା ହୋଇଛି । ଆସନ୍ତାକାଲି ମଧ୍ୟ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇପାରେ । ତେବେ ପରେ କଲବଲ କରିବ ଖରା ।

୧୪ ତାରିଖରୁ ପାଗ ବଦଳିବା ଆଶଙ୍କା
ଶୁଷ୍କ ବାୟୁ ଯୋଗୁଁ ବଢ଼ିବ ତାତି
ଅଧିକ ଆଦ୍ରତା ପାଇଁ ଅସହ୍ୟ ହେବ ଗୁଳୁଗୁଳି

୧୪ ତାରିଖରେ ବୌଦ୍ଧ, ଅନୁଗୁଳ, ନୟାଗଡ଼, ଖୋର୍ଦ୍ଧା ଓ କଟକ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୧୫ ତାରିଖରେ ଅନୁଗୁଳ, ଢେଙ୍କାନାଳ, କଟକ, ନୟାଗଡ଼, କୋରାପୁଟ ଓ ମାଲକାନଗିରିର କିଛି ସ୍ଥାନରେ ହିଟ୍ ୱେଭ ଆଶଙ୍କା ରହିଛି । ଆଉ ୧୬ ତାରିଖରେ ୧୩ଟି ଜିଲ୍ଲାରେ ତାତି ବଢ଼ିବ । ଏହି ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।