ଛାତ୍ରଛାତ୍ରୀଙ୍କ ପାଣି ପିଇବା ପାଇଁ ଦିନକୁ ୩ ଥର ବାଜିବ ବେଲ୍ । ଆରମ୍ଭ ହେଲା ସରକାରଙ୍କ ‘ପାଣି ପିଅନ୍ତୁ ସୁସ୍ଥ ରୁହନ୍ତୁ’ କାର୍ଯ୍ୟକ୍ରମ ।

811

କନକ ବ୍ୟୁରୋ : ଏଣିକି ବିଦ୍ୟାଳୟରେ ତିନି ଥର ବାଜିବ ପାଣି ପିଇବା ଘଣ୍ଟି । ଗଂଜାମ ଜିଲ୍ଲାରେ ଆରମ୍ଭ ହୋଇଛି ସରକାରଙ୍କ ‘ପାଣି ପିଅନ୍ତୁ ସୁସ୍ଥ ରୁହନ୍ତୁ’ କାର୍ଯ୍ୟକ୍ରମ । ଆଜି ଜିଲ୍ଲାର ସବୁ ସ୍କୁଲରେ ପାଣି ପିଇବା ଘଂଟି ବାଜିଛି । ଦିନର ପ୍ରଥମ ପର୍ଯ୍ୟାୟରେ ୧୧ଟା ୪୦ରେ ପାଣି ପିଇବା ପାଇଁ ପ୍ରଥମ ବେଲ୍ ବାଜିଛି । ଏହିପରି ଦିନକୁ ୩ ଥର ପାଣି ପିଇବା ଘଂଟି ବାଜିବ ।

ତେବେ ଏପରି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଠିକ୍ ସମୟରେ ଛାତ୍ରଛାତ୍ରୀ ପାଣି ପିଇବେ ଏବଂ ସୁସ୍ଥ ରହିବେ । ସ୍କୁଲରେ ଅନେକ ସମୟରେ ଛାତ୍ରଛାତ୍ରୀ ସଠିକ୍ ପରିମାଣର ପାଣି ପିଇନଥାନ୍ତି । ତେଣୁ ଛାତ୍ରଛାତ୍ରୀ କିଭଳି ଠିକ୍ ସମୟରେ ପାଣି ପିଇବେ ସେଥିପାଇଁ ୱାଟର ବେଲର ବ୍ୟବସ୍ଥା କରିଛନ୍ତି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ତେବେ ଜିଲ୍ଲାପାଳଙ୍କ ଏଭଳି ପଦକ୍ଷେପକୁ ସମସ୍ତେ ପ୍ରଶଂସା କରୁଛନ୍ତି ।