ଆତଙ୍କୀଙ୍କୁ ମୁହଁତୋଡ ଜବାବ । ପାକିସ୍ତାନରୁ ଆସି ଭାରତରେ ଆକ୍ରମଣ କରିବାକୁ ଥିଲା ଯୋଜନା, ପୁଲୱାମାରେ ୩ ଆତଙ୍କବାଦୀଙ୍କୁ ନିପାତ କଲେ ଭାରତୀୟ ବୀର ଯବାନ ।

187

କନକ ବ୍ୟୁରୋ : ବୁଧବାର ସକାଳେ ଜାମ୍ମୁ କାଶ୍ମୀରର ପୁଲୱାମା ଜିଲ୍ଲାରେ ସୁରକ୍ଷା ବାହିନୀ ସହ ହୋଇଥିବା ଗୁଳିବିନିମୟରେ ଲସ୍କର-ଏ-ତୋଇବା ଆତଙ୍କବାଦୀ ସଂଗଠନର ୩ ଆତଙ୍କବାଦୀ ନିହତ ହୋଇଛନ୍ତି । ନିହତଙ୍କ ମଧ୍ୟରେ କୁଖ୍ୟାତ ଆତଙ୍କବାଦୀ ଅବୁ ହୁରାଇରା ଥିବା ଜଣାପଡ଼ିଛି ।

ଦକ୍ଷିଣ କାଶ୍ମୀର ଜିଲ୍ଲାର ପୁଲୱାମା ସହରର ଏକ ଅଞ୍ଚଳରେ ଆତଙ୍କବାଦୀ ଲୁଚିଥିବା ସୂଚନା ପାଇବା ପରେ ସୁରକ୍ଷାବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା । ଏହି ସମୟରେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀର ଯବାନମାନଙ୍କ ଉପରକୁ ଗୁଳି ଚଳାଇବାରୁ ତୁରନ୍ତ ତାହାର ଜବାବ ଦିଆଯାଇଥିଲା ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି ।

ନିହତ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଲସ୍କର କମାଣ୍ଡର ଆଇଜାଜ ଓରଫ ଅବୁ ହୁରାଇରା ବୋଲି ଚିହ୍ନଟ ହୋଇଛି । ସେ ଜଣେ ପାକିସ୍ତାନୀ ନାଗରିକ ବୋଲି ଅଧିକାରୀ ଜଣକ କହିଛନ୍ତି । ଉକ୍ତ ଅଞ୍ଚଳରେ ଏବେ ବି ସର୍ଚ୍ଚ ଅପରେସନ ଚାଲିଛି । ଭାରତୀୟ ସେନା, ସିଆରପିଏଫ ଓ ଜମ୍ମୁ ଓ କଶ୍ମୀର ପୁଲିସ ପକ୍ଷରୁ ମିଳିତ ଭାବେ ଏହି ଅପରେସନ କରାଯାଇଥିଲା ।