ଜମ୍ମୁ-କାଶ୍ମୀରରେ ଚାଲିଛି ଅପରେସନ ଆତଙ୍କୀ କ୍ଲିନ୍: ଖୋଜି ଖୋଜି ଆତଙ୍କବାଦୀଙ୍କୁ ନିପାତ କରୁଛନ୍ତି ସୁରକ୍ଷାକର୍ମୀ । ଡିଏସପି ଦବିନ୍ଦରଙ୍କ ଆତଙ୍କୀ ଲିଙ୍କ ପର୍ଦ୍ଦାଫାସ ପରେ ଆକ୍ସନ ମୋଡରେ ପୋଲିସ, ଯବାନ

366

କନକ ବ୍ୟୁରୋ: ଜାମ୍ମୁ କାଶ୍ମୀରରେ ସୁରକ୍ଷାବଳକୁ ବଡ଼ ସଫଳତା । ଆତଙ୍କୀ ଏବଂ ସୁରକ୍ଷା କର୍ମୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟ ସମୟରେ ସୁରକ୍ଷାକର୍ମୀ ତିନି ଜଣ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି । ଜାମ୍ମୁ ପୁଲୱାମା ଜିଲ୍ଲାରେ ଆତଙ୍କୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ସହ ସର୍ଚ୍ଚ ଅପରେସନ୍ ଜାରି ରହିଛି ।

ତେବେ ଆଜି ସକାଳେ ୫୫ ରାଷ୍ଟ୍ରୀୟ ରାଇଫଲ ଏବଂ ଜାମ୍ମୁ କାଶ୍ମୀର ପୋଲିସର ସ୍ୱତନ୍ତ୍ର ଟିମଙ୍କୁ ଆତଙ୍କବାଦୀଙ୍କ ସୁଚନା ମିଳିଥିଲା । ଏହା ପରେ ସର୍ଚ୍ଚ ଅପରେସନ ଜାରି ରହିଥିଲା । ସୁରକ୍ଷାକର୍ମୀଙ୍କ ଏନକାଉଂଟରରେ ୩ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ଏମାନେ ସମସ୍ତେ ହିଜବୁଲ ମୁଜାଉଦ୍ଦିନର ବୋଲି ଜଣାପଡ଼ିଛି ।

ତେବେ ଗତ କିଛି ଦିନ ହେବ ଅପରେସନ ଅଲ ଆଉଟ କରୁଛି ଭାରତୀୟ ସେନା । ଜାମ୍ମୁ କାଶ୍ମୀରରେ ଲୁଚି ରହିଥିବା ଆତଙ୍କବାଦୀଙ୍କୁ ଗୋଡେଇ ଗୋଡେଇ ମାରୁଛନ୍ତି ପୋଲିସ ଓ ଯବାନ । କିଛି ଦିନ ତଳେ ଜମ୍ମୁରୁ ଆତଙ୍କବାଦୀଙ୍କୁ ଗିରଫ କରିବା ସହ ବିପୁଳ ବିସ୍ଫୋରକ ଓ ମାରଣାସ୍ତ୍ର ଜବତ କରାଯାଇଥିଲା । ଆତଙ୍କବାଦୀମାନେ ଜାନୁୟାରୀ ୨୬ରେ ବଡ ଦୁର୍ଘଟଣା ଘଟାଇବାକୁ ଯୋଜନା କରିଥିବା ବେଳେ ଏହାକୁ ପଣ୍ଡ କରିଥିଲା ଯବାନ ।

ସେପଟେ ଆତଙ୍କବାଦୀଙ୍କ ସହ ଡିଏସପି ଦବିନ୍ଦର ସିଂହ ଗିରଫ ହେବା ପରେ ଜମ୍ମୁରୁ ଆତଙ୍କୀ ସଫା କରିବାକୁ ଅଭିଯାନ ଆରମ୍ଭ କରିଛି ପୋଲିସ ।