ଏପଟେ ଅଭିନନ୍ଦନଙ୍କୁ ହସ୍ତାନ୍ତର କରି ଶାନ୍ତିର ପାଠ ପଢାଉଛି ପାକ୍ : ସେପଟେ କ୍ରିଷ୍ଣା ଘାଟି ଓ ପୁଂଚରେ ରାତି ସାରା ଅସ୍ତ୍ରବିରତି ଉଲଂଘନ । ୩ ଆତଙ୍କୀ ସଫା, ୫ ସୁରକ୍ଷାକର୍ମୀ ସହିଦ

193

କନକ ବ୍ୟୁରୋ : ଗୋଟିଏ ପଟେ ସାରା ଦେଶ ଯେତେବେଳେ ପାକିସ୍ତାନରେ ବନ୍ଦୀ ଥିବା ବାୟୁସେନା ପାଇଲଟ୍ ଅଭିନନ୍ଦନ ବର୍ଥମାନଙ୍କ ଫେରିବା ବାଟକୁ ଚାହିଁ ବସିଥିଲା , ସେତେବେଳେ ଜାମ୍ମୁ କାଶ୍ମୀରରେ ଚାଲିଥିଲା ଆତଙ୍କୀଙ୍କ ତାଣ୍ଡବ । ଶୁକ୍ରବାର ଜାମ୍ମୁକାଶ୍ମୀରର ହିନ୍ଦୱଡା ଓ କୁପୱାରାର ବାବା ଗୁଂଡ ଅଂଚଳରେ ଆତଙ୍କୀ ଛପିଥିବା ସୂଚନା ପାଇବା ପରେ ଆରମ୍ଭ ହୋଇଥିଲା ଅପରେସନ । ଜାମ୍ମୁକାଶ୍ମୀର ପୋଲିସ, ଏସଓଜି ଓ ସିଆରପିଏଫ୍ ଅପେରସନରେ ସାମିଲ ହୋଇଥିଲେ । ସେନା ଜବାନ ପୁରା ଅଂଚଳକୁ କର୍ଡନ କରି ଅପରେସନ ଆରମ୍ଭ କରିବା ମାତ୍ରେ ଆତଙ୍କୀ ଘର ଭିତରେ ଛପି ରହି ଗୁଳିମାଡ କରିଥିଲେ । ଏଥିରେ ୯ ଜଣ ସୁରକ୍ଷାକର୍ମୀ ଆହତ ହୋଇଥିଲେ । ପରେ ଏମାନଙ୍କ ମଧ୍ୟରୁ ୫ ଜଣ ସହିଦ ହୋଇଛନ୍ତିା

ସହିଦଙ୍କ ମଧ୍ୟରେ ୨ ସିଆରପିଏଫ୍ ଯବାନ ବି ଅଛନ୍ତି । ବାକି ୩ ଜଣ ଜାମ୍ମୁ କାଶ୍ମୀର ପୋଲିସ ବୋଲି ଜଣାପଡିଛି । ସେନା ଗୁଳିରେ ମୋଟ୍ ୩ ଜଣ ଆତଙ୍କୀ ଟଳିଛନ୍ତି । ମୃତ ଆତଙ୍କୀ ଜୈସ-ଏ-ମହମ୍ମଦର ବୋଲି ଜଣାପଡିଛି । ସେପଟେ ଜାମ୍ମୁକାଶ୍ମୀରର କ୍ରିଷ୍ଣା ଘାଟି ଅଂଚଳରେ ପାକିସ୍ତାନ ପଟୁ ଜୋରଦାର ଗୁଳିଗୋଳା ବର୍ଷା ହୋଇଛି । ଏଥିରେ ୩ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଗୋଟିଏ ପଟେ ପାକିସ୍ତାନ ଶାନ୍ତିର ନାରା ଦେଉଥିବାବେଳେ, ସେପଟେ ଅସ୍ତ୍ରବିରତି ଉଲଂଘନ ଓ ଆତଙ୍କୀ ଅନୁପ୍ରବେଶ ପରି ଘଟଣା ଜରିଆରେ, ଘାଟିରେ କ୍ରମାଗତ ଅଶାନ୍ତି ଖେଳାଇ ଆସୁଛି ।