ପାହାଡ ଉପରେ ଚିରନିଦ୍ରାରେ ପାହାଡ କନ୍ୟା କଳ୍ପନା ଦାଶ । ହିମାଳୟ ଶୃଙ୍ଗ ଏଭରେଷ୍ଟରୁ କଳ୍ପନାଙ୍କ ମରଶରୀର ଆଣିବା ପାଇଁ ଆରମ୍ଭ ହେଲା ଅଭିଯାନ ।

308

କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହୋଇଛି ପର୍ବତାରୋହୀ କଳ୍ପନା ଦାଶଙ୍କ ମରଶରୀର ଉଦ୍ଧାରକାର୍ଯ୍ୟ । ରାଜ୍ୟ ସରକାରଙ୍କ ନିଯୁକ୍ତ ଶେର୍ପାଙ୍କ ଏକ ଟିମ୍ ଏହି ଅଭିଯାନରେ ବାହାରିଛନ୍ତି । ଏପଟେ ମରଶରୀରକୁ ଚିହ୍ନଟ ଓ ଗ୍ରହଣ କରିବା ଲାଗି ଆସନ୍ତାକାଲି ପର୍ବତାରୋହୀ ଗଣେଶ ଜେନା, କଳ୍ପନା ଦାଶଙ୍କ ଭାଇ ପ୍ରଦୀପ ଦାଶଙ୍କ ସମେତ ତିନି ଜଣିଆ ଟିମ୍ କାଠମାଣ୍ଡୁ ଅଭିମୁଖେ ଯିବେ । ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ତେବେ କେବେ କଳ୍ପନାଙ୍କ ପାର୍ôଥବ ଶରୀର ଓଡ଼ିଶାରେ ପହଁଚିବ, ଏ ନେଇ କିଛି ସ୍ପଷ୍ଟ ହୋଇନାହିଁ । କାରଣ ପ୍ରତିକୂଳ ପରିବେଶରେ ଏହି ଉଦ୍ଧାରକାର୍ଯ୍ୟରେ ଅନେକ ଚ୍ୟାଲେଂଜ ରହିଛି ।

ପାହାଡ଼ ଉପରେ ଚିରନିଦ୍ରାରେ ଶୋଇ ଯାଇଛନ୍ତି ପାହାଡ଼ର କନ୍ୟା କଳ୍ପନା ଦାଶ । ଯେଉଁ ଏଭରେଷ୍ଟ ତାଙ୍କୁ ସାରା ଦୁନିଆରେ ପରିଚିତ କରିଥିଲା, ସେହି ଏଭରେଷ୍ଟ କୋଳରେ ଶେଷ ନିଶ୍ୱାସ ନେଇଛନ୍ତି କଳ୍ପନା । ଏଭରେଷ୍ଟ ଉପରେ କଳ୍ପନାଙ୍କର ଶେଷ ଫଟୋ ସାମନାକୁ ଆସିଛି । ଗୋଟିଏ ଫଟୋ ଏଭରେଷ୍ଟ ଆରୋହଣ ସମୟର ହୋଇଥିବା ବେଳେ ଅନ୍ୟ ଫଟୋଟି ହେଉଛି ମୃତ୍ୟୁ ବେଳର । ସମ୍ଭବତଃ କଳ୍ପନାଙ୍କ ସହଯୋଗୀ ଶେର୍ପା ଏହି ଫଟୋସବୁ ଉଠାଇଛନ୍ତି ।

କେବେ ଫେରିବ କଳ୍ପନାଙ୍କ ମରଶରୀର ? ୮ହଜାର ମିଟରରୁ ଅଧିକ ଉଚ୍ଚରୁ କେମିତି ହେବ ଉଦ୍ଧାରକାର୍ଯ୍ୟ ? ଏବେ ସବୁକିଛି ନିର୍ଭର କରୁଛି ସେଠାକାର ପାଣିପାଗ ଉପରେ । ରାଜ୍ୟ ସରକାର ଯେଉଁ ଯୋଜନା କରିଛନ୍ତି, ଯଦି ପାଗ ଭଲ ରୁହେ, ତେବେ ଏହି ଅପରେସନ୍ ଶୀଘ୍ର ଶେଷ ହେବ । ନହେଲେ କଳ୍ପନାଙ୍କ ପାର୍ôଥବ ଶରୀର ଫେରିବା ପାଇଁ ବିଳମ୍ବ ହେବା ଆଶଙ୍କା ରହିଛି ।

ସରକାରଙ୍କ ଯୋଜନା ଅନୁଯାୟୀ ବିଶେଷ ତାଲିମପ୍ରାପ୍ତ ଶେର୍ପାଙ୍କ ଏକ ଟିମ୍ ରବିବାର ଏ ନେଇ ପ୍ରସ୍ତୁତି କରିଥିଲେ । ଅକ୍ସିଜେନ୍ ମାସ୍କ, ଆବଶ୍ୟକ ଦଉଡ଼ି ଏବଂ ଅନ୍ୟାନ୍ୟ ଉପକରଣ ସହ ୨୬ ତାରିଖରେ ଅଭିଯାନ ଆରମ୍ଭ ହୋଇଛି । ୨୭ ତାରିଖରେ ଥିବା ବାଲକୋନି ଏରିଆ ବା ୪ ନମ୍ବର କ୍ୟାମ୍ପରୁ ମରଶରୀରକୁ ୨ ନମ୍ବର କ୍ୟାମ୍ପକୁ ଆଣିବାକୁ ଉଦ୍ୟମ କରିବେ ଉଦ୍ଧାରକାରୀ ଦଳ । ଯଦି ସବୁ କିଛି ଠିକ୍ ଭାବେ ଚାଲେ, ତେବେ ୨୮ ତାରିଖ ଅର୍ଥାତ ମଙ୍ଗଳବାର ଦିନ ୨ ନମ୍ବର କ୍ୟାମ୍ପରୁ ହେଲିକପ୍ଟର ଜରିଆରେ କାଠମାଣ୍ଡୁକୁ ଆଣିବା ପରେ ମୃତଦେହର ପୋଷ୍ଟମର୍ଟମ କରାଯିବ । ପୋଷ୍ଟମର୍ଟମ ପାଇଁ ମଧ୍ୟ ପ୍ରାୟ ଦୁଇ ଦିନ ଅପେକ୍ଷା କରିବାକୁ ପଡ଼ିପାରେ ।

ପୋଷ୍ଟମର୍ଟମ ପରେ ଓଡ଼ିଶାରୁ ଯାଇଥିବା ଟିମକୁ ମୃତଦେହ ହସ୍ତାନ୍ତର କରାଯିବ । ୨୭ ତାରିଖରେ କଳ୍ପନାଙ୍କ ଭାଇ ପ୍ରଦୀପ ଦାଶ, କଳ୍ପନାଙ୍କ ସହଯୋଗୀ ରଣଜିତ୍ କାର୍ମୀ ଓ ପର୍ବତାରୋହୀ ଗଣେଶ ଜେନା କାଠମାଣ୍ଡୁ ଅଭିମୁଖେ ଯାତ୍ରା କରିବେ । ଏଥିଲାଗି ରାଜ୍ୟ ସରକାର ସଂପୂର୍ଣ୍ଣ ବ୍ୟବସ୍ଥା କରିଛନ୍ତି । କଳ୍ପନାଙ୍କ ସ୍ମୃତିଚାରଣ କରିବା ସହ ସେ ପାହାଡ଼ର କନ୍ୟା ଥିଲେ ବୋଲି କହିଛନ୍ତି ବାଲି ଦ୍ୱୀପକୁ ନୌକା ଯାତ୍ରା କରିଥିବା ପ୍ରଥମ ମହିଳା ନିବେଦିତା ଆଚାର୍ଯ୍ୟ ।