ଭଗବାନ ! ଆମେ ବଞ୍ଚିବୁ କେମିତି । ଆରପାରିରେ ଭାଇ, ରୋଗଶଯ୍ୟାରେ ବାପାମାଆ । ପେଟ ପୋଷିବାକୁ ସ୍ମାଟସିଟି ରାଉରକେଲାରେ ସଂଘର୍ଷ କରୁଛନ୍ତି ୩ ଭଉଣୀ ।

744

କନକ ବ୍ୟୁରୋ: ପାଖରେ ନାହିଁ ବାସଗୃହ କି ସମ୍ବଳ ତଥାବି ବଂଚିବାର ରାହା ଖୋଜୁଛନ୍ତି ୩ ଭଉଣୀ । ବାପା,ମା ରୋଗାଗ୍ରସ୍ତ । ଡ଼ାକ୍ତରଖାନାରେ ରହି ଚିକିତ୍ସିତ ହେଉଛନ୍ତି । ବଡ଼ ଭାଇ ସେ ବି ଆରପାରରେ । ପରିବାର ପ୍ରତିପୋଷଣ ପାଇଁ ଅଂଟା ଭିଡ଼ିଛନ୍ତି ଏହି ୩ ଝିଅ । ହେଲେ ଉପାର୍ଜିତ ଅର୍ଥ ସମୁଦ୍ରକୁ ଶଙ୍ଖେ ପରି ।

ମୁଣ୍ଡ ଗୁଂଜିବାକୁ ଘର ନାହିଁ । ଘର ତୋଳିବାକୁ ସମ୍ବଳ ବି ନାହିଁ । ପଲିଥିନ ସାଙ୍ଗକୁ ବାଉଁଶ ଓ କେଇଖଣ୍ଡ ଟିଣରେ ଘେରା ଝାଟିମାଟିର କୁଡ଼ିଆ । ଆଉ ଚାରିପଟେ ଜଙ୍ଗଲ ଓ ଏକମାତ୍ର ପାଦଚଲା ଗଳି ରାସ୍ତା । ଏମିତି ଅସୁରକ୍ଷିତ ପରିବେଶ ଦାରିଦ୍ର୍ୟର ତାଡ଼ନା ଭିତରେ ଜୀବନଜୀବିକା ପାଇଁ ସଂଘର୍ଷ କରୁଛନ୍ତି ୩ ଭଉଣୀ ସୁଜ୍ଞାନୀ, ସୁବାସିନୀ ଓ ସୁଜାତା । ସ୍ମାର୍ଟସିଟି ରାଉରକେଲା ଉପକଣ୍ଠ ବନ୍ଧମୁଣ୍ଡାର ଶୀତଳ ନଗରରୁ ଆସିଛି ୩ ଭଉଣୀଙ୍କ ଏମିତି ସଂଘର୍ଷର କାହାଣୀ ।

ପରିବାର କହିଲେ ବାପା,ମା, ୩ ଭଉଣୀ, ଆଉ ଭାଇ । ଜନ୍ମ ସ୍ଥାନ- ଗଂଜାମ ଜିଲ୍ଲାର ପୋଲସରା । ରୋଜଗାର ଆଶାରେ ୩ ଝିଅ, ସ୍ତ୍ରୀ ଓ ପୁଅକୁ ଧରି ରାଉରକେଲା ଚାଲି ଆସିଥିଲେ କାଳିଆ ପ୍ରଧାନ । ଭଡ଼ା ଘରେ ରହୁଥିଲେ । ହେଲେ ଭାଗ୍ୟର ବିଡ଼ମ୍ବନା, ଗୋଟିଏ ବୋଲି ପୁଅ ରୋଗରେ ପଡ଼ି ଆରପାରିକୁ ଚାଲିଯିବା ପରେ ବାପା-ମାଆ ଭାଙ୍ଗି ପଡ଼ିଲେ, ଆଉ ସେମାନଙ୍କୁ ରୋଗ ଗ୍ରାସ କଲା । ସେମାନେ ଗାଁକୁ ଫେରି ଯିବା ପରେ ପରିବାର ଚଳାଇବାକୁ ଘରୁ ଗୋଡ କାଢ଼ିଲେ ୩ ଭଉଣୀ । ପାଖରେ ଅର୍ଥ ଅଭାବରୁ ଭଡ଼ା ଘର ଛାଡ଼ି ଏହି ଦଦରା ପଲାରେ ରହୁଛନ୍ତି ସୁଜ୍ଞାନୀ, ସୁବାସିନୀ ଓ ସୁଜାତା । ଚଳିବାକୁ ପାଖରେ ଟଙ୍କାଟିଏ ନଥିବା ବେଳେ ମୁଣ୍ଡ ଉପରେ ରହିଛି ବାପା କରିଥିବା ଋଣ ବୋଝ ଆଉ ବାପା, ମାଆଙ୍କ ଚିକିତ୍ସା ।