ରେଳବାଇରେ ଚାକିରି କରାଇ ଦେବାକୁ କହି ୧୪ଲକ୍ଷ ଟଙ୍କା ଠକେଇ : ଫେସବୁକରେ ଜାଲ ବିଛାଇଥିଲେ ତିନି ଭାଇ ଭଉଣୀ

ଝାରସୁଗୁଡାର ଯୁବକଙ୍କ ଅଭିଯୋଗ ପରେ ଅଭିଯୁକ୍ତଙ୍କୁ ବରଗଡରୁ ବାନ୍ଧିଲା ପୋଲିସ

213

କନକ ବ୍ୟୁରୋ : ରେଳବାଇରେ ଚାକିରୀ କରାଇଦେବାକୁ କହି ଫେସବୁକ ଜରିଆରେ ୧୪ଲକ୍ଷ ଟଙ୍କା ଠକେଇ । ଏଭଳି ଅଭିଯୋଗ ଆସିଛି ଝାରସୁଗୁଡାରୁ । ଅଭିଯୋଗ ହେବା ପରେ ପୁଲିସ ତଦନ୍ତ କରି ଠକେଇ କରିଥିବା ୩ ଭାଇଭଉଣୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଫେସବୁକରେ ପ୍ରଥମେ ବନ୍ଧୁତା, ପରେ ବିଶ୍ୱାସ ଜନ୍ମାଇ ଯୁବକ ଯୁବତୀଙ୍କୁ ଏହି ଭାଇଭଉଣୀ ଠକ ଦଳ ଚୁନା ଲଗାଉଥିଲେ ।

ଅଭିଯୋଗ ଅନୁସାରେ ଝାରସୁଗୁଡାର ମାନସ ରଂଜନ ପଟେଲ ନାମକ ଯୁବକ ସହ ଜଣେ ଯୁବତୀ ଫେସବୁକରେ ବନ୍ଧୁତା କରିଥିଲେ । ନିୟମିତ ଫେସବୁକରେ ଚାଟିଂ ପରେ ବିଶ୍ୱାସ ଜନ୍ମାଇ ଯୁବତୀ ଜଣକ ଟଙ୍କା ଦେଲେ ରେଳବାଇରେ ଚାକିରୀ କରାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ତାଙ୍କ କଥାରେ ମାନସ ୧୪ ଲକ୍ଷ ଟଙ୍କା ଯୋଗାଡ଼ କରି ଗତ ୨୨ ତାରିଖ ଦିନ ଝାରସୁଗୁଡ଼ା ଆସିଥିଲେ ଓ ଉତ୍କଳ କଣ୍ଟିନେଣ୍ଟାଲ ହୋଟେଲରେ ସେମାନଙ୍କୁ ସାକ୍ଷାତ କରିଥିଲେ। ସେଠାରେ ଜଣେ ଯୁବତୀ ତାଙ୍କୁ ରିସେପସନ୍‌ କାଉଣ୍ଟର ନିକଟରେ ବସାଇ କାହାକୁ ଫୋନ୍‌ କରିଥିଲା। ଏହାପରେ ‌ଜଣେ ଯୁବକ ଆସି ତାଙ୍କ ଠାରୁ ଟଙ୍କା ନେଇଥିଲା ଓ ୨୧୨ ନମ୍ବର ରୁମ୍‌କୁ ନେଇ ସେଠାରେ ବସିବାକୁ ଅନୁରୋଧ କରିଥିଲା ଓ ତଳ ମହଲାରେ ଥିବା ଅଧିକାରୀଙ୍କ ପାଖରୁ ନିଯୁକ୍ତପତ୍ରର ଜେରକ୍ସ ଆଣୁଛି କହି ରୁମ୍‌ ଲକ୍‌ କରି ଚାଲି ଯାଇଥିଲା ।

ଦୀର୍ଘ ସମୟ ରୁମ୍ ଭିତରେ ରହିବା ପରେ ମଧ୍ୟ କେହି ନଆସିବାରୁ ବିକାଶ ଠକେଇର ଶିକାର ହୋଇଥିବା ଜାଣିଥିଲେ। ଲକ୍‌ ଖୋଲି ବାହାରକୁ ଆସି ହୋଟେଲ କର୍ମଚାରୀଙ୍କୁ ପଚରାଉଚୁରା ପରେ ସେମାନେ ଏକ ଇଣ୍ଡିଗୋ କାର୍‌ (ଓଆର୍‌ ୦୨ ବିଜେ ୦୫୦୭)ରେ ଫେରାର ହୋଇ ଯାଇଥିବା ଜାଣିବାକୁ ପାଇଥିଲେ। ଏହାପରେ ସେ ଝାରସୁଗୁଡ଼ା ଥାନାକୁ ଆସି ଏ ସଂପର୍କରେ ଅଭିଯୋଗ କରିଥିଲେ । ପୁଲିସ ତିନି ଅଭିଯୁକ୍ତଙ୍କୁ ବରଗଡରୁ ଗିରଫ କରିଛି । ସେମାନେ ସମସ୍ତେ ଭାଇ ଭଉଣୀ, ବାପା ମାଆଙ୍କ ଦେହାନ୍ତ ପରେ ଚଳିବା ସେମାନେ ଏଭଳି ଠକେଇ କରୁଥିଲେ ବୋଲି ପୁଲିସ କହିଛି ।