କରୋନାକୁ ମାତ ଦେଉଛନ୍ତି ବୃଦ୍ଧ । ଗତ ପାଞ୍ଚଦିନ ମଧ୍ୟରେ କରୋନାକୁ ହରେଇଲେଣି ୩ ଜଣ ବରିଷ୍ଠ ନାଗରିକ । ଜଣେ ୯୩ ବର୍ଷ, ଜଣେ ୮୩ ଓ ଜଣେ ୮୬ ବର୍ଷିୟ ବୃଦ୍ଧ ସୁସ୍ଥ ।

104

କନକ ବ୍ୟୁରୋ : ହାରୁଛି କରୋନା ଜିତୁଛନ୍ତି ବୃଦ୍ଧ । କରୋନାକୁ ମାତ ଦେଉଛନ୍ତି ବରିଷ୍ଠ ନାଗରିକ । ଗତ ୫ ଦିନ ମଧ୍ୟରେ ରାଜ୍ୟରେ ୩ ଜଣ ବରିଷ୍ଠ ନାଗରିକ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଲେଣି । ସେମାନଙ୍କ ମଧ୍ୟରୁ ଜଣେ ୯୩ ବର୍ଷ, ଜଣେ ୮୩ ଓ ଜଣେ ୮୬ ବର୍ଷର ବୃଦ୍ଧ । ତେବେ ଏହି ଘଟଣା ଏବେ ରାଜ୍ୟବାସୀଙ୍କ ପାଇଁ ଖୁସି ଖବର ଭାବେ ଉଭା ହୋଇଛି ।

ଅକ୍ଟୋବର ୭ ତାରିଖରେ ୯୬ ବର୍ଷିୟ ସ୍ୱାଧୀନତା ସଂଗ୍ରାମୀ ଲୋକନାଥ ନାୟକ କୋଭିଡରୁ ସୁସ୍ଥ ହୋଇଥିଲେ । ସେ କୋଭିଡ ପଜିଟିଭ ଆସିବା ପରେ ସମ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କୁ ଜ୍ୱର ହୋଇଥିବା ବେଳେ କିଡନୀ ଓ ଡାଏବେଟିସ ଭଳି ରୋଗରେ ମଧ୍ୟ ସେ ଆକ୍ରାନ୍ତ ଥିଲେ । ତେବେ ତାଙ୍କୁ ଆୟୁସିୟୁରେ ରଖି ଚିକିତ୍ସା କରାଯାଇଥିଲା । ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଥିଲେ ।

ଏହାପରେ ଅକ୍ଟୋବର ୯ ତାରିଖରେ ସତ୍ୟଭାମା ନାମକ ଜଣେ ୮୬ ବର୍ଷିୟ ମହିଳା କରୋନାରୁ ସୁସ୍ଥ ହୋଇଛନ୍ତି । ସେପ୍ଟେମ୍ବର ୨୯ ତାରିଖରେ ତାଙ୍କର ପଜିଟିଭ ବାହାରିବା ପରେ ସେ ସମ କୋଭିଡ ହସ୍ପିଟାଲରେ ଭିର୍ତ୍ତି ହୋଇଥିଲେ । ତାଙ୍କର ଡାଏବେଟିସ, ବ୍ଲଡପ୍ରେସର, ଶ୍ୱାସ ଓ ଗ୍ୟାସ ଜନିତ ସମସ୍ୟା ରହିଥିଲା । ଏପରିକି ତାଙ୍କର ଗୋଡ ଭାଙ୍ଗିଥିବାରୁ ସେ ପୂର୍ବରୁ ଶର୍ଯ୍ୟାଶାୟୀ ଥିଲେ । ଏପରି ସ୍ଥଳରେ ଡାକ୍ତରଙ୍କ ଉପଯୁକ୍ତ ଚିକିତ୍ସା ଯୋଗୁଁ ସେ ଏବେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସେହିପରି ଆଜି ଜଳେଶ୍ୱର ବିଧାୟକଙ୍କ ମା ବାସନ୍ତୀ ପାତ୍ର କରୋନାରୁ ସୁସ୍ଥ ହୋଇଛନ୍ତି । ତାଙ୍କ ବୟସ ୯୩ ବର୍ଷ । ଅକ୍ଟୋବର ୫ ତାରିଖରେ ତାଙ୍କୁ ସମ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କର ଡାଏବେଟିସ, ବ୍ଲଡପ୍ରେସର, ହୃଦଜନିତ ରୋଗ ଓ କିଡନୀ ରୋଗ ରହିଥିଲା । ତେଣୁ ଡାକ୍ତର ଓ ନର୍ସଙ୍କ ଉପଯୁକ୍ତ ଚିକିତ୍ସା ଯୋଗୁଁ ସେ ଏବେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ତେବେ କରୋନାରେ ଅଧିକାଂଶ ବୃଦ୍ଧ ଲୋକମାନେ ଜୀବନ ହରାଉଥିବା ବେଳେ ଏପଟେ ବୃଦ୍ଧ ମାନେ ସୁସ୍ଥ ହୋଇ ଘରକୁ ଫେରିବା ଘଟଣା ଅତ୍ୟନ୍ତ ଆଶ୍ୱସ୍ତିକର ଖବର । ତେବେ ଗତ କିଛିଦିନ ହେବ ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ କମିବାରେ ଲାଗିଛି ।