ଆହୁରି ମଜଭୁତ ହେବ ଭାରତୀୟ ବାୟୁସେନା । ଆଜି ଫ୍ରାନ୍ସରୁ ଭାରତ ଆସିବ ଆଉ ୩ ଟି ରାଫାଲ ଫାଇଟର ଜେଟ୍

122

କନକ ବ୍ୟୁରୋ :  ଚୀନ୍ ସହିତ ଚାଲିଥିବା ସୀମା ବିବାଦ ଭିତରେ ଭାରତୀୟ ବାୟୂୁସେନା ଆହୁରି ମଜଭୁତ ହେବାକୁ ଯାଉଛି । ଯୁଦ୍ଧ ବିମାନ ରାଫାଲର ୩ ଟି ନୂଆ ସଂସ୍କରଣ ଆଜି ଫ୍ରାନ୍ସରୁ ଭାରତ ଆସୁଛି । ସୂଚନା ମୁତାବକ ଆଜି ୩ ଟି ରାଫାଲ ବିମାନ ଆମ୍ବଲା ଏୟାରବେସ୍ ରେ ଲ୍ୟାଣ୍ଡ କରିବ । ଏହି ୩ ଟି ବିମାନ କେଉଁଠି ନ ଅଟକି ସିଧା ୭ ହଜାର କିଲୋମିଟର ଆସି ଭାରତରେ ପହଂଚିବ । ଏହାର ଇନ୍ଧନ ଏୟାର ଟୁ ଏୟାର ରିଫିଲିଙ୍ଗ କରାଯିବ ବୋଲି କୁହାଯାଇଛି ।

କହିରଖୁ କି ଭାରତ ସରକାର ଫ୍ରାନ୍ସରୁ ୩୬ ରାଫାଲ ବିମାନ କିଣିଛି । ଯାହା ମଧ୍ୟରୁ ଫ୍ରାନ୍ସ ତରଫରୁ ଏପର୍ଯ୍ୟନ୍ତ ୨୧ ଟି ବିମାନ ଭାରତକୁ ହସ୍ତାନ୍ତର କରିସାରିଛି । ହେଲେ ଏହାମଧ୍ୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୧ ଟି ବିମାନ ଭାରତୀୟ ବାୟୁସେନାରେ ସାମିଲ ହୋଇଛି ।  ଏହି ୧୪ ଟି ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ବିମାନକୁ ଭାରତୀୟ ବାୟୁସେନା ଆବଶ୍ୟକ ଅନୁସାରେ କେଉଁଠି ବି ବ୍ୟବହାର କରିପାରିବ ।

ଏହି ଯୁଦ୍ଧ ବିମାନ ଆଉଏକ ନୂଆରୂପରେ ଏପ୍ରିଲ ମାସରେ ଭାରତ ଆସିବ ବୋଲି କୁହାଯାଇଛି । ଏପ୍ରିଲ ମାସରେ ପୁଣି ୫ ଟି ରାଫାଲ ବିମାନ ଭାରତରେ ପହଂଚିବ ବୋଲି ସୂଚନା ମିଳିଛି । ଏହି ବିମାନଗୁଡିକ ପଶ୍ଚିମବଙ୍ଗର ହାସିମରା ଏୟାରବେସ୍ ରେ ନିୟୋଜିତ କରାଯିବ ।

ଭାରତୀୟ ବାୟୁସେନା ପାଇଁ ଏହି ରାଫାଲ ବିମାନ ଗେମ୍ ଚେଞ୍ଜର ବୋଲି କୁହାଯାଉଛି । ଏହା ଭାରତୀୟ ବାୟୁସେନାରେ ସାମିଲ ହେବା ପରେ ଅନ୍ୟଦେଶ ତୁଳନାରେ ଭାରତର ଶକ୍ତି ବୃଦ୍ଧି ପାଇଛି । ଲଦାଖରେ ଉଡାଣ ଭରି ରାଫାଲ ଏହା ପ୍ରମାଣିତ କରିସାରିଛି ।