ଜେଲରେ ଯାଉଛି ଜୀବନ । ମାଲକାନଗିରି ଉପକାରାଗାରରେ ଏଇ ଡିସେମ୍ବର ମାସରେ ୩ ଜଣ ବିଚାରଧିନ କଏଦୀଙ୍କ ମୃତ୍ୟୁ । କଏଦୀଙ୍କ ମୃତ୍ୟୁ ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ ।

111

କନକ ବ୍ୟୁରୋ : ମାଲକାନଗିରି ଉପକାରାଗାର ପାଲୋଟିଛି ମରଣଯନ୍ତା । ମାସେ ମଧ୍ୟରେ ୩ ଜଣ ବିଚାରାଧୀନ କଏଦୀ ପ୍ରାଣ ହରାଇଛନ୍ତି । ଆଜି ମାଲକାନଗିରି ଉପକାରାଗାରରୁ ଜଣେ ମାଓ ବିଚାରାଧୀନ କଏଦୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ହୋଇଛି । ସେଲ୍ ଶୌଚାଳୟରୁ ମୃତଦେହ ମିଳିବା ପରେ ମାଲକାନଗିରି ଉପକାରାଗାରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଜେଲ ଭିତରକୁ କେମିତି ଧାରୁଆ ଅସ୍ତ୍ର ଗଲା? କାହିଁକି ବନ୍ଦୀଙ୍କ ଉଚିତ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉନାହିଁ? ଏମିତି ଅନେକ ପ୍ରଶ୍ନ ଏବେ ସାଧାରଣ ଜନତାଙ୍କ ମନରେ ଉଁଙ୍କି ମାରୁଛି ।

ଜେଲ ଭିତରେ ଏହି ଡିସେମ୍ବର ମାସରେ ୩ ବିଚାରଧିନ କଏଦୀଙ୍କ ମୃତ୍ୟୁ ଘଟଣା ମାଲକାନଗିରି ଜେଲର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛି । ଶନିବାର ଦିନ ମାଲାକନଗିରି କାରାଗାରର ସେଲ ଶୌଚାଳୟରୁ ବିଚାରାଧୀନ କଏଦୀ ଦାନୁ ଗୋଲରିଙ୍କୁ ରକ୍ତାର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ ଜେଲ କର୍ତୃପକ୍ଷ ।

ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦାନୁଙ୍କ ବେକ ୪୦ ପ୍ରତିଶତରୁ ଅଧିକ କଟି ଯାଇଥିବାରୁ ସେ କୌଣସି ଏକ ଧାରୁଆ ଅସ୍ତ୍ରରେ ଆତ୍ମହତ୍ୟା କରିଥିବା ସନ୍ଦେହ କରୁଛି ପୁଲିସ । ଗତ ଅକ୍ଟୋବର ୨୦ରେ ଖଜୁରୁଗୁଡା ଦାଶ ଖେମୁଣ୍ଡୁଙ୍କ ହତ୍ୟା ମାମଲା ସହ ମାଓ କାର୍ଯ୍ୟକଳାପରେ ସମ୍ପୃକ୍ତି ଅଭିଯୋଗରେ ଅକ୍ଟୋବର ୨୪ରେ ତାଙ୍କୁ ଗିରଫ କରି ଜେଲ ପଠାଇଥିଲା ପୁଲିସ ।

ଡିସେମ୍ବର ୩ରେ ସୋନୁ ବାଗରିଆ ନାମକ କଏଦୀଙ୍କ ମୃତ୍ୟୁ ମାଲକାନଗିରି ଉପକାରାଗରରେ ହୋଇଥିଲା । ସେହିପରି ଡିସେମ୍ବର ୧୭ରେ ମାଥିଲି ଥାନା ଜନ୍ଦ୍ରାଗୁଡା ଗାଁର ବାମନ କୁଂଜାମି ନାମକ ମାଓ ବିଚାରାଧୀନ କଏଦୀ ଡାକ୍ତରଖାନାରେ ପ୍ରାଣ ହରାଇଥିଲେ । ଆଉ ସେତେବେଳେ ଚିକିତ୍ସା ଅବହେଳା ଅଭିଯୋଗ ଆଣିଥିଲେ ବାମନଙ୍କ ପରିବାର ଲୋକେ । ତେବେ ଏନେଇ ଜେଲ ସୁପେରିନ୍ଟେଂଡେଂଟଙ୍କ ପ୍ରତିକ୍ରୀୟା ମିଳି ପାରିନାହିଁ ।