୧୬ ଅକ୍ଟୋବର ୧୯୫୨ । କ୍ରିକେଟ ପାଇଁ ଏହାଥିଲା ଏକ ଐତିହାସିକ ଦିନ । ଦିଲ୍ଲୀର ଫେରୋଜ ଶାହା କୋଟଲା ଗ୍ରାଉଣ୍ଡରେ ଚାଲିଥିଲା ଏକ ମ୍ଯାଚ । ଏହି ଦିନ ପାକିସ୍ତାନ ତାର ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳୁଥିଲା । ତାଙ୍କ ସମ୍ମୁଖରେ ଥିଲା ଭାରତୀୟ ଦଳ ।  ଏହି ମ୍ଯାଚରେ ଏମିତି ତିନି ଜଣ ଖେଳାଳି ଥିଲେ ଯେଉଁମାନେ ଉଭୟ ଭାରତ ଏବଂ ପାକିସ୍ଥାନ ପାଇଁ ଟେଷ୍ଟ କ୍ରିକେଟ୍ ଖେଳିଥିଲେ। ସେମାନେ ହେଲେ  ଅବଦୁଲ ହାଫିଜ କରଦାର, ଅମୀର ଇଲାହି ଏବଂ ଗୁଲ ମହମ୍ମଦ ।  ଗୁଲ ମହମ୍ମଦ ଭାରତ ପାଇଁ ଖେଳୁଥିବାବେଳେ ଅବଦୁଲ ହାଫିଜ କରଦାର ଏବଂ ଆମୀର ଇଲାହି ପାକିସ୍ତାନ ପାଇଁ ଖେଳୁଥିଲେ ।

Advertisment

ପାକିସ୍ତାନ କ୍ରିକେଟର ପିତାମହ : ଅବଦୁଲ ହାଫିଜ କରଦାର

୧୯୫୨ ରୁ ୧୯୫୮  ପର୍ଯ୍ୟନ୍ତ ପାକିସ୍ତାନ ପାଇଁ ମୋଟ ୨୩  ଟି ଟେଷ୍ଟ ମ୍ୟାଚ୍ ଖେଳିଥିଲେ। ଏହି ସବୁ ମ୍ୟାଚରେ କରଦାର ପାକିସ୍ତାନର ଅଧିନାୟକ ଥିଲେ । କରଦାର ବିଭିନ୍ନ ଦଳ ପାଇଁ କ୍ରିକେଟ୍ ମଧ୍ୟ ଖେଳିଥିଲେ। ସେ ୧୭୪ଟି  ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳି ଆଠଟି ଶତକ ଶହ ୬୮୩୨  ରନ୍ ସ୍କୋର କରିଥିଲେ । ଏହା ବ୍ୟତୀତ ସେ ବୋଲର ଭାବରେ ୩୪୪  ୱିକେଟ୍ ନେଇଥିଲେ। ଅବଦୁଲ ହାଫିଜ କରଦାର ୧୯୪୬ ମସିହାରେ ଭାରତ ପାଇଁ ପ୍ରଥମ ମ୍ୟାଚ୍ ଖେଳିଥିଲେ । ଇଂଲଣ୍ଡ ଗସ୍ତ ପାଇଁ  ଭାରତୀୟ ଦଳରେ ସେ ସ୍ଥାନ ପାଇଥିଲେ । ଭାରତ ପାଇଁ ତିନୋଟି ଟେଷ୍ଟ ମ୍ୟାଚ୍ ଖେଳିଥିଲେ। ଏହି ତିନୋଟି ମ୍ଯାଚରେ ହାଫିଜ ୮୦ ରନ୍ ସଂଗ୍ରହ କରିଥିଲେ।କରଦାରଙ୍କ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ପାକିସ୍ତାନ କ୍ରିକେଟ୍ ର ଉନ୍ନତି ଦିଗରେ ଅନେକ କାର୍ଯ୍ୟ କରିଥିଲେ । କ୍ରିକେଟ ଛଡା ସେ ରାଜନୀତିରେ ମଧ୍ୟ ସଫଳ ହେଇଥିଲେ । ସେ ୧୯୭୦ ରେ ପଞ୍ଜାବ ବିଧାନସଭା ସଦସ୍ୟ ଭାବରେ ନିର୍ବାଚିତ ହୋଇଥିଲେ। ସେ ସ୍ୱିଜରଲ୍ୟାଣ୍ଡରେ ପାକିସ୍ତାନର ରାଷ୍ଟ୍ରଦୂତ ମଧ୍ୟ ଥିଲେ।

ଗୁଲ ମହମ୍ମଦ

୫ ଅକ୍ଟୋବର ୧୯୨୧ରେ ଲାହୋରରେ ଜନ୍ମଗ୍ରହଣ କରିଥିବା ଏହି ପଞ୍ଜାବୀ କ୍ରିକେଟର ମଧ୍ୟ ସେହି ବିଶେଷ ଆନ୍ତର୍ଜାତୀୟ କ୍ରିକେଟରମାନଙ୍କ ମଧ୍ୟରୁ ଜଣେ ଯିଏ ଉଭୟ ଭାରତ ଏବଂ ପାକିସ୍ଥାନ ପାଇଁ ଆନ୍ତର୍ଜାତୀୟ କ୍ରିକେଟ୍ ଖେଳିଛନ୍ତି । ଗୁଲ ମହମ୍ମଦ ଭାରତ ପାଇଁ ଆଠଟି ଏବଂ ପାକିସ୍ତାନ ପାଇଁ ଗୋଟିଏ ଟେଷ୍ଟ ମ୍ୟାଚ ଖେଳିଛନ୍ତି। ଗୁଲ ମହମ୍ମଦ ୧୭ ବର୍ଷ ବୟସରେ ତାଙ୍କର ପ୍ରଥମ ରଣଜୀ ମ୍ୟାଚ୍ ଖେଳିଥିଲେ । ପ୍ରଥମ ଶ୍ରେଣୀ କ୍ରିକେଟ୍ (ଘରୋଇ ମାଟିରେ) ରେ ଗୁଲ ମହମ୍ମଦ ଚମତ୍କାର ପ୍ରଦର୍ଶନ କରିଥିଲେ ।  ଅନେକ ବର୍ଷର ନିରନ୍ତର ପ୍ରଦର୍ଶନ ପରେ ସେ ୧୯୪୬ ମସିହାରେ ଇଂଲଣ୍ଡ ଗସ୍ତ ପାଇଁ ମନୋନୀତ ହୋଇଥିଲେ । ସେ ପ୍ରଥମ ଟେଷ୍ଟ ମ୍ୟାଚରେ ସେତେ ଭଲ ପ୍ରଦର୍ଶନ କରିପାରି ନଥିଲେ। ଭାରତର ସ୍ଵାଧୀନତା ପରେ ସେ ୧୯୪୭-୪୮ ମସିହାରେ ଲାଲା ଅମରନାଥଙ୍କ ନେତୃତ୍ବରେ ଭାରତୀୟ ଦଳରେ ସାମିଲ ହୋଇ ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିଲେ ।  ୧୯୫୬-୫୭ ମସିହାରେ ସେ ପାକିସ୍ତାନ ଦଳ ପାଇଁ ମନୋନୀତ ହୋଇଥିଲେ । କରାଚିରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ସେ ଉଭୟ ଇନିଂସରେ ୩୯ ରନ୍ ସଂଗ୍ରହ କରିଥିଲେ।

  ଅମୀର ଇଲାହି

ଅମୀର ଇଲାହିଙ୍କ ଜନ୍ମ ୧ସେପ୍ଟେମ୍ବର ୧୯୦୮ ରେ ଲାହୋରରେ ହେଇଥିଲା । ଆମୀର ଇଲାହି ଭାରତ ପାଇଁ ଥରେ ଏବଂ ପାକିସ୍ତାନ ପାଇଁ ପାଞ୍ଚ ଥର ଖେଳିଛନ୍ତି । ୧୯୪୭ ମସିହାରେ ପାକିସ୍ତାନୀର  ନାଗରିକତା ଗ୍ରହଣ କରିବା  ଠିକ୍ ପୂର୍ବରୁ ତାଙ୍କର ଚମତ୍କାର ପ୍ରଦର୍ଶନ ବରୋଦାକୁ  ରଣଜୀ ଟ୍ରଫି ଜିତିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ​​।