ସାଥୀ ହୋଇ ଖେଳିଲେ, ସାଥୀ ହୋଇ ଚାଲିଗଲେ…ଖେଳ ସାରି ଘରକୁ ଫେରିଲା ବେଳେ ଚାପିଦେଲା ବସ୍, ଘଟଣାସ୍ଥଳରେ ହିଁ ଚାଲିଗଲା ୩ ଫୁଟବଲ ଖେଳାଳିଙ୍କ ଜୀବନ

1,079

କନକ ବ୍ୟୁରୋ: ସାଙ୍ଗ ହୋଇ ଖେଳୁଥିଲେ, ସାଙ୍ଗ ହୋଇ ଶୋଇଗଲେ । ଏ ନିଦ ଆଉ ଭାଙ୍ଗିବନି । କି ଏମାନେ ଆଉ ପଡିଆରେ ଫୁଟବଲ ପଛରେ ଆଉ ଦୌଡିବେ ନାହିଁ । କାରଣ ଏମାନେ ଆକାଶର ତାରା ହୋଇଯାଇଛନ୍ତି । ପରିବାର, ସାଙ୍ଗ ସାଥୀ ସମସ୍ତଙ୍କୁ ପରକରି ପରପାରିକୁ ଚାଲିଯାଇଛନ୍ତି । ଏକ ମର୍ମୁନ୍ତୁଦ ସଡକ ଦୁର୍ଘଟଣାରେ ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଦଲକି ଅଂଚଳର ୩ ଫୁଟବଲ ଖେଳାଳିଙ୍କ ମୃତ୍ୟୁ ହୋଇଛି ।

ସାଥୀ ହୋଇ ଖେଳିଲେ…ସାଥୀ ହୋଇ ଚାଲିଗଲେ…ପରପାରିରେ ୩ ଫୁଟବଲ ଖେଳାଳି…ରାଜଗାଙ୍ଗପୁରର ସାନବର୍ଷାଠାରେ ଆୟୋଜିତ ଏକ ଫୁଟବଲ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିବା ୪ ଜଣ ଫୁଟବଲ ଖେଳାଳି ହେମନ୍ତ ବାଡା, ସନ୍ଦୀପ ପ୍ରଧାନ, କ୍ରିଷ୍ଣା ପ୍ରଧାନ ଓ ଦେବେନ୍ଦ୍ର ରାଉତ ଏକ ଆକ୍ଟିଭା ସ୍କୁଟିରେ ଘରକୁ ଫେରୁଥିଲେ । ଫେରିବା ବାଟରେ ଲକ୍ଷ୍ମୀପୋଷ ନିକଟରେ ସେମନଙ୍କ ସ୍କୁଟି ସହ ମୁହାଁମୁହିଁ ଧକ୍କା ହୋଇଥିଲା ପବନପୁତ୍ର ନାମକ ଏକ ବସ୍ । ଧକ୍କା ଏତେ ଯୋରରେ ହୋଇଥିଲା ଯେ, ବସଟି ସ୍କୁଟି ଉପରେ ଚଢିଯାଇଥିଲା । ଆଉ ଘଟଣାସ୍ଥଳରେ ହେମନ୍ତ, ସନ୍ଦୀପ ଓ କ୍ରିଷ୍ଣାଙ୍କ ପ୍ରାଣବାୟୁ ଉଡିଯାଇଥିବା ବେଳେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ଦେବେନ୍ଦ୍ର ।

ଫୁଟବଲ ଖେଳାଳିଙ୍କ ମୃତଦେହର ବ୍ୟବଚ୍ଛେଦ ହେବା ପରେ ଆଜି ସକ୍ରାର କରାଯାଇଛି । ତିନି ସାଙ୍ଗଙ୍କୁ ଗୋଟିଏ ସ୍ଥାନରେ ପୋତି ଦିଆଯାଇଛି । ଆଉ ପୁଅଙ୍କୁ ହରାଇ ପରିବାରରେ ତ କାନ୍ଦବୋବାଳି ପଡିଛି ସାରା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।