କନକ ବ୍ୟୁରୋ : ଶେଷରେ ପୁଲିସ ପଞ୍ଝାରେ ପଡିଛି ଡ୍ରାଇଭରରୁ ଲୁଟେରା ସାଜିଥିବା ଆଶିଷ ଦିଗାଲ । ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଆସିକା ରୋଡ୍ ଆକ୍ସିସ୍ ବ୍ୟାଙ୍କ ନିକଟରୁ ଏଟିଏମ୍ ଟଙ୍କା ଲୋଡିଂ ଭ୍ୟାନ୍ ଅପହରଣ ଓ ଲୁଟ୍ ଡ୍ରାମାର ପର୍ଦ୍ଦାଫାସ୍ କରିଛି ପୁଲିସ। ଭ୍ୟାନର ଡ୍ରାଇଭର୍ ଆଶିଷ ଦିଗାଲ ହିଁ ଏହି ଡ୍ରାମାର ମୁଖ୍ୟ ଖଳନାୟକ ବୋଲି ପୁଲିସ କହିଛି । ଆଶିଷ ଦୁଇଦିନ ଧରି ଭୁଆଁ ବୁଲାଇ ଚାଲିଥିବା ବେଳେ ପୁଲିସର ମାରାଥନ୍ ଜେରାରେ ସବୁ ସତ ଓଗାଳିଛି। ସେ ତାର ଦୁଇ ସହଯୋଗୀଙ୍କ ସହାୟତାରେ ଟଙ୍କା ଲୁଟ୍ କରିଥିବା ସ୍ୱୀକାର କରିଛି। ଆଶିଷର ବୟାନକୁ ଆଧାର କରି ବ୍ରହ୍ମପୁର ପୁଲିସର ଏକ ଟିମ୍ ଫୁଲବାଣୀ ଯାଇ ମାଟିତଳେ ପୋତା ହୋଇଥିବା ୨୧ ଲକ୍ଷ ଟଙ୍କା ଜବତ କରିଛି। ବ୍ରହ୍ମପୁର ପୁଲିସର ସୂଚନା ମୁତାବକ ଆଶିଷର ଘର କନ୍ଧମାଳ ଜିଲ୍ଲା ପାବୁରିଆର ଆଡସିକୂପା ହୋଇଥିବାବେଳେ ତାହାର ଦୁଇ ସହଯୋଗୀ ମାନ୍ୟବର ନାୟକ ଓ କାର୍ତ୍ତିକ ନାୟକକୁ ମଧ୍ୟ ପୁଲିସ ଗିରଫ କରିଛି ।
ମାନ୍ୟବରର ଘର ସାରଙ୍ଗଡ଼ର କ୍ରିଟିଆଙ୍ଗିଆ ହୋଇଥିବାବେଳେ କାର୍ତ୍ତିକାର ଘର ସାରଂଗଡ଼ର ରାଣୀପଡ଼ା ବୋଲି ପୁଲିସ କହିଛି । ଏମାନଙ୍କ ନିକଟରୁ ଲୁଟ ହୋଇଥିବା ୨୪ ଲକ୍ଷ ଟଙ୍କାରୁ ୨୦ ଲକ୍ଷ ୯୦ ହଜାର ଟଙ୍କା ଜବତ କରାଯାଇଥିବାବେଳେ ୪ଟି ମୋବାଇଲ ଫୋନ ଓ ଏକ ବାଇକ ଜବତ କରାଯାଇଛି । ସୂଚନା ଥାଉ କି ଏଜିଏସ୍ ସିକ୍ୟୋର୍ ନାମକ ଏକ ଘରୋଇ ସଂସ୍ଥା ବ୍ୟାଙ୍କରୁ ଟଙ୍କା ନେଇ ଏଟିଏମ୍ କାଉଣ୍ଟରରେ ଭର୍ତ୍ତି କରିଥାଏ। ଗତ ୧୮ ତାରିଖ ସକାଳ ପ୍ରାୟ ସାଢ଼େ ୧୦ଟା ବେଳେ ସଂସ୍ଥାର ୪ ଜଣ କର୍ମଚାରୀ ୨୬ ଲକ୍ଷ ଟଙ୍କା ଭ୍ୟାନରେ ଧରି ବାହାରିଥିଲେ। ସେମାନେ ପ୍ରଥମେ ରଜାସାହିସ୍ଥିତ ଏଟିଏମ୍ କାଉଣ୍ଟରରେ ୨ ଲକ୍ଷ ଟଙ୍କା ଭର୍ତ୍ତି କରିବା ପରେ ଆସିକା ରୋଡ଼ ଆକ୍ସିସ୍ ବ୍ୟାଙ୍କ ଏଟିଏମ୍ କାଉଣ୍ଟରକୁ ଯାଇଥିଲା। ଗନମ୍ୟାନ୍ ଓ ଦୁଇଜଣ କର୍ମଚାରୀ ବ୍ୟାଙ୍କ ଭିତରକୁ ଯାଇଥିଲା ବେଳେ ଡ୍ରାଇଭର୍ ଗାଡ଼ିରେ ବସିଥିଲେ।
କିଛି ସମୟ ପରେ ଆସି ଦେଖିବା ବେଳେ ଗାଡ଼ିଟି ସେଠାରୁ ଉଭାନ୍ ହୋଇ ଯାଇଥିଲା। ପରେ ଗାଡ଼ିଟି ଗିରିସୋଲା ନିକଟରୁ ଜବତ ହୋଇଥିବା ବେଳେ ଭ୍ୟାନ୍ରୁ ଟଙ୍କା ଗାଏବ ହୋଇଯାଇଥିଲା। ଗାଡ଼ିରୁ ଡ୍ରାଇଭର୍ଙ୍କୁ ପୁଲିସ ଅଚେତ ଅବସ୍ଥାରେ ଉଦ୍ଧାର କରି ଏମ୍କେସିଜି ମେଡିକାଲରେ ଭର୍ତ୍ତି କରିଥିଲେ। ଡ୍ରାଇଭର୍ଙ୍କ ବୟାନ୍ ଅନୁସାରେ ଦୁଇଜଣ ଦୁର୍ବୃତ୍ତ ତାଙ୍କ ମୁଣ୍ଡରେ ମାଉଜର୍ ଲଗାଇ ଗାଡ଼ିକୁ ଅପହରଣ କରି ନେଇଥିଲେ। ପରେ ତାଙ୍କୁ କିଛି ନିଶା ଦେଇ ଅଚେତ କରି ଦେଇଥିଲେ। ପୁଲିସ ଡ୍ରାଇଭର୍ଙ୍କ ବୟାନ ଅନୁସାରେ ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ସିସି କ୍ୟାମେରା ଫୁଟେଜ୍ ଯାଞ୍ଚ କରିଥିଲା। ସିସି କ୍ୟାମେରା ଫୁଟେଜ୍ରେ ଗାଡ଼ି ଭିତରେ ଡ୍ରାଇଭରଙ୍କ ବ୍ୟତୀତ ଅନ୍ୟ କେହି ନଥିବା ଜଣାପଡ଼ିଥିଲା। ଆଶିଷ ଚିକିତ୍ସା ପରେ ସୁସ୍ଥ ହୋଇ ଏମକେସିଜି ମେଡିକାଲରୁ ଡିସଚାର୍ଜ ହେବା ପରେ ପୁଲିସ ତାଙ୍କୁ ଜେରା କରିଥିଲା। ପୁଲିସ ତାର ମୋବାଇଲ୍ ନମ୍ବର୍ ଟ୍ରାକ୍ କରିବା ପରେ ଦୁଇଜଣ ସନ୍ଦିଗ୍ଧଙ୍କ ନମ୍ବର ପାଇଥିଲା। ଅଧିକ ଜେରା ପରେ ଶେଷରେ ଆଶିଷ ଟଙ୍କା ଲୋଭରେ ପଡ଼ି ତାର ଦୁଇଜଣ ସହଯୋଗୀଙ୍କ ସହିତ ଲୁଟ୍ କରିଥିବା ସ୍ବୀକାର କରିଥିଲା।