କନକ ବ୍ୟୁରୋ: ବଢୁଛି କି ଓଡ଼ିଆଙ୍କ ହାରାହାରି ଆୟୁଷ? ଏଭଳି ଏକ ପ୍ରଶ୍ନ ଏଇଥି ପାଇଁ ଆସୁଛି କାରଣ ଓଡ଼ିଶାର ତିନି ଜଣଙ୍କ ଆୟୁଷକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଏହି ୩ ଜଣ ହେଉଛନ୍ତି- ଚିକିଟି ଜମିଦାରୀର ଶେଷ ରାଜା ସଚିଦାନ୍ଦ ରାଜେନ୍ଦ୍ର ନାରାୟଣ ଦେବ । ଯାହାଙ୍କର ନିକଟରେ ୯୬ ବର୍ଷରେ ପରଲୋକ ହୋଇଛି । ନବରଙ୍ଗପୁରର ୧୨୧ ବର୍ଷର ବକଳଧାରୀ ରାମେଶ୍ୱର ବାବା ଏବଂ ଜଗତସିଂହପୁରର ୯୫ ବର୍ଷର ପାଲା ଗାୟକ ଜଗନ୍ନାଥ ବେହେରା । ତେବେ ଏମାନଙ୍କ ଆୟୁଷକୁ ନେଇ ବର୍ତ୍ତମାନ ଏଥିପାଇଁ ଚର୍ଚ୍ଚା ହେଉଛି, କାରଣ ଭାରତ ସ୍ୱାଧୀନ ହେବା ସମୟରେ ଭାରତୀୟଙ୍କ ହାରାହାରି ଆୟୁଷ ଥିଲା ମାତ୍ର ୩୨ ବର୍ଷ ଏବଂ ୨୦୧୯ର ପରିସଂଖ୍ୟାନ ଅନୁସାରେ ଏହା ପ୍ରାୟ ୬୭କୁ ପହଞ୍ଚିଛି । କିନ୍ତୁ ଆମେ ଯେଉଁ ତିନି ଜଣଙ୍କ ବିଷୟରେ ଜଣାଉଛୁ ଏମାନେ ସମସ୍ତେ ୯୦ବର୍ଷ ପାର କରିଛନ୍ତି ।

Advertisment

publive-image

ଚିକିଟି ଜମିଦାରୀର ଶେଷ ରାଜା ସଚିଦାନ୍ଦ ରାଜେନ୍ଦ୍ର ନାରାୟଣ ଦେବଙ୍କ ୯୬ ବର୍ଷରେ ପରଲୋକ ହୋଇଛି । ୧୯୨୩ ମସିହା ଅକ୍ଟୋବର ୧୫ ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ । ୧୯୩୪ ବର୍ଷରେ ତାଙ୍କ ପିତା ଗୌରଚନ୍ଦ୍ର ରାଜେନ୍ଦ୍ର ନାରାୟଣ ଦେବଙ୍କ ମୃତ୍ୟୁ ପରେ ମାତ୍ର ୧୧ ବର୍ଷ ବୟସରେ ସେ ଚିକିଟି ରାଜଗାଦିରେ ବସିଥିଲେ ।

publive-image

ଆଉ ଜଣେ ହେଉଛନ୍ତି ନବରଙ୍ଗପୁର ଉମରକୋଟ ବ୍ଲକ୍ ଭଣ୍ଡାରୀଗୁଡା ଗ୍ରାମପଞ୍ଚାୟତ ପୋଡାଗଡର ଘଞ୍ଚ ଅଞ୍ଚଳରେ ବାସ କରୁଥିବା ୧୨୧ ବର୍ଷର ବକଳଧାରୀ ରାମେଶ୍ୱର ବାବା । ପିଲାଟି ବେଳୁ ସମ୍ବଲପୁର ପୋଡାଗଡରୁ ଆସି ଆଶ୍ରମ ତିଆରି କରି ଏଠାରେ ରହୁଛନ୍ତି । ତେବେ ରମେଶ୍ୱର ବାବା ଉଭୟ ଓଡିଆ ଓ ହିନ୍ଦୀରେ କଥା ହେଉଥିବା ବେଳେ ତାଙ୍କୁ ଦେଖିବାକୁ ନବରଙ୍ଗପୁର ଛଡା ଓ ବାହାର ଜିଲ୍ଳାରୁ ମଧ୍ୟ ଭକ୍ତମାନେ ଆସିଥାନ୍ତି ।

publive-image

ସେହିଭଳି ଜଗତସିଂହପୁର ଏରସମା ଅଂଚଳର ମୂଳ ବାସିନ୍ଦା ଜଗନ୍ନାଥ ବେହେରାଙ୍କ ବୟସ ୯୫ ବର୍ଷ । ପରିଣତ ବୟସରେ ବି ପାଲା ପରିବେଷଣ ଜାରି ରଖିଛନ୍ତି ଜଗନ୍ନାଥ । ସାଥୀରେ ରହିଛି ୭୨ ବର୍ଷର ଅଭିଜ୍ଞତା । ହାତରେ ଚାମର ଧରି ପାଲା ପରିବେଷଣ କରୁଛନ୍ତି ଜଗନ୍ନାଥ ବେହେରା । ଓଡିଆ, ବଙ୍ଗଳା, ହିନ୍ଦୀ, ଇଂରାଜୀ ଓ ସଂସ୍କୃତ ଭାଷାରେ ପାରଙ୍ଗମ ।