ପରିତ୍ୟକ୍ତ କୂଅରୁ କଇଁଛ ମାରିବା ହେଲା କାଳ : ଶ୍ୱାସ ରୁଦ୍ଧ ହୋଇ ବାପ-ପୁଅ, ଜ୍ୱାଇଁ ମୃତ

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଆନନ୍ଦପୁର ଗାଁରେ ଘଟିଛି ଅଘଟଣ

165

କନକ ବ୍ୟୁରୋ : ପରିତ୍ୟକ୍ତ କୂଅକୁ କଇଁଛ ମାରିବାକୁ ଯିବା ହେଲା କାଳ, କୂଅରେ ପଡି ତିନି ଜଣଙ୍କର ମୃତ୍ୟୁ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ କୁଇବାହାଲ ପଂଚାୟତର ଆନନ୍ଦପୁର ଗାଁରେ ଏପରି ଅଘଟଣ ଘଟିଛି । ମୃତକମାନେ ଗୋଟିଏ ପରିବାରର ବୋଲି ଜଣାପଡିଛି । ମୃତକ ମାନେ ହେଲେ ଆନନ୍ଦପୁର ଗାଁର ସାଧୁ କାଲେସେ, ପୁଅ ଆଲୋକ ରଞ୍ଜନ କାଲସେ ଏବଂ ଜ୍ୱାଇଁ ନବୀନ ମୋଟାରୀ । କୂଅ ଭିତରକୁ ଯାଇଥିବା ବେଳେ ଶ୍ୱାସରୁଦ୍ଧ ହୋଇ ଏହି ତିନି ପ୍ରାଣ ହରାଇଥିବା ଜଣାପଡିଛି । ପାଖରେ ଥିବା ଲୋକମାନେ ଏ ନେଇ ଖବର ଦେବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ଉଦ୍ଧାର କରିଛି ।

ଏହି ଘଟଣାକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । କୁହିବାହାଲ ନିକଟ ଆନନ୍ଦପୁରର ଏକ ପରିତ୍ୟକ୍ତ କୂଅରେ କଇଁଛ ଥିବା ସାଧୁ ‌ଦେଖିବାକୁ ପାଇଥିଲେ । ମଙ୍ଗଳବାର ଦିନ ସେ କଇଁଛ ଧରିବାକୁ କୂଅକୁ ପଶିଥିଲେ । କିନ୍ତୁ ସେ ଆଉ ବାହାରକୁ ବାହାରି ପାରିନଥିଲେ। ଫଳରେ ପୁଅ ଆଲୋକ ଏବଂ ଜ୍ୱାଇଁ ନବୀନ ପୁଣି କୂଅ ଭିତରକୁ ପଶିଥିଲେ । ସେମାନେ ବି ବାହାରି ନଥିଲେ । କୌଣସିମତେ ଖବର ପାଇ କିଛି ଲୋକ ସେଠାରେ ପହଞ୍ଚି ଥିଲେ । ସେମାନଙ୍କ ମଧ୍ୟରୁ ଗୁପ୍ତେ କାଲସେ ଏହି ୩ ଜଣଙ୍କୁ ଉଦ୍ଧାର କରିବାକୁ କୂଅକୁ ପଶିଯାଇଥିଲେ । ମାତ୍ର ସେ ଅଣନିଃଶ୍ବାସୀ ଅନୁଭବ କରିବାରୁ ପାଖରେ ଥିବା ଅନ୍ୟମାନେ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାକୁ ନେଇଥିଲେ ।

ଖବର ପାଇ ବିନିକା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସାଧୁ, ଆଲୋକ ଓ ନବୀନଙ୍କୁ କୂଅରୁ ଉଦ୍ଧାର କରି ବିନିକା ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ତେବେ, ରାତି ହୋଇଯିବାରୁ ଶବ ବ୍ୟବଚ୍ଛେଦ ହୋଇପାରି ନାହିଁ । ବୁଧବାର ଶବ ବ୍ୟବଚ୍ଛେଦ ହେବ ବୋଲି ଜଣାଯାଇଛି। ରାମପୁର ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ। ଏ ନେଇ ଥାନାରେ ଏକ ମାମଲା ରୁଜୁ ହୋଇ ଘଟଣାର ତଦନ୍ତ ଚାଲିଥିବା ଜଣାଯାଇଛି ।