କନକ ବ୍ୟୁରୋ : ବିବାହ ଉତ୍ସବ ଯୋଗ ଦେବାକୁ ଯାଇଥିଲେ, କିନ୍ତୁ ବାଟରେ ଜଗି ରହିଥିଲା ମୃତ୍ୟୁ । ଏମିତି ଏକ ଦୁଃଖ ଖବର ଆସିଛି ଟିଟିଲାଗଡ଼ରୁ । ସରୋଜ ପଶାୟତ, ତାଙ୍କ ସ୍ତ୍ରୀ ଓ ଦୁଇ ପୁଅ-ଝିଅକୁ ବାଇକରେ ନେଇ ଯାଉଥିଲେ । ଜାତୀୟ ରାଜପଥ ଉପରେ ଏକ ଘରୋଇ ବସ, ତାଙ୍କ ବାଇକକୁ ଧକ୍କା ଦେଇଥିଲେ । ଘଟଣା ସ୍ଥଳରେ ସରୋଜଙ୍କର ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ଓ ଝିଅ ଡାକ୍ତରଖାନାରେ ଆଖି ବୁଜିଥିଲେ । ଗୁରୁତର ଆହତ ହୋଇଥିବା ଦେଢ଼ ବର୍ଷର କୁନିପୁଅ ମୃତ୍ୟୁ ସହ ସଂଗ୍ରାମ କରୁଛି ।
ଦୁର୍ଘଟଣାର ଏହା ଏପରି ଏକ ଦୁଃଖ କାହାଣୀ, ଯାହାକୁ ଶୁଣିଲେ ଆଖିରେ ଲୁହ ଆସିଯିବ । ବିବାହ ଉତ୍ସବରେ ଯୋଗ ଦେବା ପାଇଁ ଟିଟିଲାଗଡ଼ରୁ ସ୍ତ୍ରୀ-ପୁଅ-ଝିଅକୁ ନେଇ ସକାଳ ସକାଳୁ ବାହରିଥିଲେ ସରୋଜ ପଶାୟତ । ବାହାଘର ଭୋଜି ଖାଇବାକୁ ଖୁଜେନପାଲି ଯାଇଥାନ୍ତେ, କିନ୍ତୁ ବାଟରେ ସେମାନଙ୍କୁ ଜଗି ରହିଥିଲା ମୃତ୍ୟୁ । ଜାତୀୟ ରାଜପଥ ଉପରେ ସେମାନଙ୍କ ବାଇକ୍ ଗଡୁଥିଲା, ହଠାତ୍ ଧକ୍କା ଦେଇଥିଲା ଏକ ଘରୋଇ ବସ୍ । ଏହାପରେ ସବୁ କିଛି ଓଲଟପାଲଟ ହୋଇ ଯାଇଥିଲା । ହସଖୁସିର ପରିବାର ଉପରେ ଭାଙ୍ଗି ପଡିଥିଲା ଦୁଃଖର ପାହାଡ଼ । ଘଟଣା ସ୍ଥଳରେ ହିଁ ସରୋଜଙ୍କର ମୃତ୍ୟୁ ହୋଇ ଯାଇଥିଲା ।
ମୃତ ସରୋଜଙ୍କ ପତ୍ନୀ କରିସ୍ମା ପଶାୟତ ଓ ତାଙ୍କର ଦୁଇ ପୁଅ-ଝିଅ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ । ତିନି ଜଣଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ୍ କଲେଜରେ ଭର୍ତି କରାଯାଇଥିଲା । ଅବସ୍ଥା ଗୁରତର ହେବାରୁ ସେମାନଙ୍କୁ ବୁର୍ଲା ମେଡିକାଲରେ ଭର୍ତି କରାଯାଇଥିଲା । ସେଠାରେ କରିସ୍ମା ଓ ତାଙ୍କ ୩ ବର୍ଷର ଝିଅ ଆଖି ବୁଜିଛନ୍ତି ।
ମାତ୍ର କିଛି ସମୟ ଭିତରେ ଜଣଙ୍କର ସୁଖର ସଂସାର ଛାରଖାର ହୋଇଯାଇଛି । ବାପା-ମାଆ-ଝିଅଙ୍କ ମୃତ୍ୟୁ ହୋଇଥିବା ବେଳେ ପରିବାରରେ କେବଳ ରହିଯାଇଛି ଦେଢ଼ ବର୍ଷର କୁନିପୁଅ । ଦୁନିଆ କ’ଣ ଜାଣିନଥିବା ଏହି ଶିଶୁ ଏବେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛି । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।