ଖାକିରେ ପୁଣି ଲାଗିଲା କଳାଦାଗ । ନିଶା ବେପାରୀ ଓ ଖଣି ମାଫିଆଙ୍କ ସହ ଥିଲା ଥିଲା ସମ୍ପର୍କ, ଇନ୍ସପେକ୍ଟର ସମେତ ୩ ପୋଲିସ ଅଧିକାରୀ ନିଲମ୍ବିତ
କନକ ବ୍ୟୁରୋ : ପୁଲିସ ବର୍ଦିରେ ଲାଗିଛି ଦୁର୍ନୀତିର କଳା ଛିଟା। ଖାଲି ଦୁର୍ନୀତି ନୁହେଁ, କ୍ଷମତାର ଅପବ୍ୟହାର କରି ଅପରାଧୀଙ୍କୁ ଅହେତୁକ ଅନୁକମ୍ପା ଦେଖାଉଥିବା ନେଇ ସେମାନଙ୍କ ନାଁରେ ଥିଲା ପୁଳା ପୁଳା ଅଭିଯୋଗ। ତଦନ୍ତରୁ ଅଭିଯୋଗର ସତ୍ୟତା ପ୍ରମାଣିତ ହେବା ପରେ ସେମାନଙ୍କ ବିରୋଧରେ ଆରମ୍ଭ ହୋଇଛି ବିଭାଗୀୟ କାର୍ଯ୍ୟାନୁଷ୍ଠାନ। ପ୍ରଥମ ପଦକ୍ଷେପ ସ୍ୱରୂପ ପୁଲିସ୍ ଡିଜି ବିଜୟ କୁମାର ଶର୍ମା ଗୋଟିଏ ଦିନରେ ଜଣେ ଇନ୍ସପେକ୍ଟର୍, ଜଣେ ଏଏସ୍ଆଇ ଓ ଜଣେ କନଷ୍ଟେବଳଙ୍କୁ ନିଲମ୍ବିତ କରିଛନ୍ତି। ସେମାନେ ହେଲେ, ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନାର ପୂର୍ବତନ ଇନ୍ସପେକ୍ଟର୍ ରଣଜିତ କୁମାର ସାହୁ, କମିସନରେଟ୍ ପୁଲିସର ସ୍ପେସାଲ ସ୍କ୍ୱାଡରେ କାର୍ଯ୍ୟରତ ଏଏସ୍ଆଇ ଅର୍ଜୁନ କୁଅଁର ଓ କନଷ୍ଟେବଲ୍ ସଂଗ୍ରାମ ପରିଡ଼ା।
Kanak News is now on WhatsApp
Join and get latest news updates delivered to you via WhatsApp
କଟକସ୍ଥିତ ପୁଲିସ ମୁଖ୍ୟାଳୟରୁ ମିଳିଥିବା ସୂଚନା ମୁତାବକ, ନିଲମ୍ବିତ ଇନ୍ସପେକ୍ଟର୍ ରଣଜିତ୍ ଦୀର୍ଘ ଦିନ ଧରି ବେଆଇନ ଭାବେ ଛୁଟିରେ ଅଛନ୍ତି। ତାଙ୍କୁ ବରିଷ୍ଠ ପୁଲିସ ଅଧିକାରୀମାନେ ଯୋଗାଯୋଗ କରିବା ସମ୍ଭବ ହେଉନାହିଁ। ତେଣୁ ତାଙ୍କ ବିରୋଧରେ ଏଭଳି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କିନ୍ତୁ ପ୍ରକୃତ କଥା ହେଉଛି, ଖୋର୍ଧା ଟାଉନ୍ ଥାନା ଇନ୍ସପେକ୍ଟର୍ ଥିବା ବେଳେ ରଣଜିତଙ୍କର ନିଶା ବେପାରୀ ଓ ଖଣି ମାଫିଆଙ୍କ ସହ ସଂପର୍କ ଥିଲା। ଏ ନେଇ ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଚାଲିଥିଲା। ଏବେ ରିପୋର୍ଟ ଆସିବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତେବେ ଡିଜିଙ୍କ ଆଦେଶ ମୁତାବକ, ପରବର୍ତ୍ତୀ ଆଦେଶ(ନିଲମ୍ବନ ନ ଉଠିବା) ପର୍ଯ୍ୟନ୍ତ ସେ ପୂର୍ବାଞ୍ଚଳ ରେଞ୍ଜ ଆଇଜିଙ୍କ ଅଧୀନରେ ରହିବେ। ସେହିପରି କମିସନରେଟ୍ ପୁଲିସର ସ୍ପେସାଲ ସ୍କ୍ୱାଡ୍ ଏଏସ୍ଆଇ ଅର୍ଜୁନ କୁଅଁରଙ୍କୁ ମଧ୍ୟ ଡିଜି ଶ୍ରୀ ଶର୍ମା ନିଲମ୍ବିତ କରିଛନ୍ତି।
ପରବର୍ତ୍ତୀ ଆଦେଶ(ନିଲମ୍ବନ ନ ଉଠିବା) ପର୍ଯ୍ୟନ୍ତ ସେ ନବରଙ୍ଗପୁର ଜିଲ୍ଲା ପୁଲିସ ମୁଖ୍ୟାଳୟରେ ରହିବେ। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଶ୍ରୀ କହଁର ଦୀର୍ଘ ବର୍ଷ ହେବ ସ୍ପେସାଲ ସ୍କ୍ୱାଡରେ କାମ କରୁଥିଲେ। ବିଭିନ୍ନ ସମୟରେ ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ସହ ନିଶା ବେପାରୀ, ବନ୍ଧୁକ ବେପାରୀ ଓ ଗ୍ୟାଙ୍ଗଷ୍ଟରଙ୍କ ସହ ସମ୍ପର୍କ ଥିବା ଅଭିଯୋଗ ହୋଇ ଆସୁଥିଲା। ସେହିପରି ତାଙ୍କର ଖୋର୍ଧା ଜିଲ୍ଲାର କେତେକ ପଥର ଓ ନିଶା ମାଫିଆଙ୍କ ସହିତ ମଧ୍ୟ ସମ୍ପର୍କ ଥିଲା। କିନ୍ତୁ ସେ ସ୍ପେସାଲ ସ୍କ୍ୱାଡରେ କାମ କରୁଥିବାରୁ ତାଙ୍କ ବିରୋଧରେ ବରିଷ୍ଠ ଅଧିକାରୀମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଛଘୁଞ୍ଚା ଦେଉଥିଲେ। ସେହିପରି କମିସନରେଟ୍ ପୁଲିସରେ କାର୍ଯ୍ୟରତ କନଷ୍ଟେବଲ୍ ସଂଗ୍ରାମ ପରିଡ଼ାଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି। ତାଙ୍କ ବିରୋଧରେ କ’ଣ ଅଭିଯୋଗ ରହିଛି, ତାହା ଜଣା ପଡ଼ିନାହିଁ। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସେ ଦେବଗଡ଼ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ରହିବେ।
ପୁଲିସ ଅଧିକାରୀମାନଙ୍କ ନିଲମ୍ବନ ପରେ ପୁଲିସ ଓ ଅପରାଧୀମାନଙ୍କ ମଧ୍ୟରେ ଥିବା ସମ୍ପର୍କ ପୁଣିଥରେ ପଦାରେ ପଡ଼ିଛି। ଏହାଦ୍ୱାରା ପୁଲିସର ଛବି ମଧ୍ୟ ମଳିନ ହୋଇଛି। ୫ ଦିନ ତଳେ ନୂଆପଲ୍ଲୀ ଥାନା ପୁଲିସ ଜଣେ ପୁଲିସ କନଷ୍ଟେବଲ ଜେ.ଭାରିମଲ୍ଲକୁ ଗିରଫ କରିଥିଲା। ତାଙ୍କଠାରୁ ୩୦ ଗ୍ରାମର ବ୍ରାଉନସୁଗାର ଜବତ ହୋଇଥିଲା। ତାଙ୍କ ନାଁରେ ହତ୍ୟାଠାରୁ ଆରମ୍ଭ କରି ଲୁଟ୍, ମାରପିଟ ଓ ଚୋରି ଭଳି ଅଭିଯୋଗ ଥିଲେ ମଧ୍ୟ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିଲା। ଏ ସଂପର୍କରେ ଡିଜି ଶ୍ରୀ ଶର୍ମା କହିଛନ୍ତି, ଅପରାଧରେ ସଂପୃକ୍ତ କୌଣସି ପୁଲିସ କର୍ମଚାରୀଙ୍କୁ ବରଦାସ୍ତ କରାଯିବ ନାହିଁ। ରାଜ୍ୟ ସରକାର ମୋ’ ସରକାର ଓ ‘୫-ଟି’ ଲାଗୁ କରିବା ପରେ ସେପରି ଅଧିକାରୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଏବେ ସୁଦ୍ଧା ମୋ’ ସରକାର କାର୍ଯ୍ୟକ୍ରମରେ ୧୨ଜଣ ପୁଲିସ ଅଫିସରଙ୍କୁ ଗିରଫ କରାଯାଇ ସାରିଲାଣି। ଅନେକଙ୍କୁ ନିଲମ୍ବିତ ମଧ୍ୟ କରାଯାଇଛି। ଆଗାମୀ ଦିନରେ ଏଭଳି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଓ ଗିରଫଦାରୀ ବଢ଼ିବ। ଯେଉଁ ପୁଲିସ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆସୁଛି, ସେମାନଙ୍କ ପ୍ରତି କୌଣସି ଅନୁଗ୍ରହ ଦେଖାଯିବାର ପ୍ରଶ୍ନ ଉଠୁ ନାହିଁ ବୋଲି ପୁଲିସ ଡିଜି ଶ୍ରୀ ଶର୍ମା ସ୍ପଷ୍ଟ କରିଛନ୍ତି।