ଦିଲ୍ଲୀ ଦରବାରରେ ସମ୍ମାନିତ ହେବେ ୩ ଓଡ଼ିଆ ଝିଅ  । ସାଧାରଣତନ୍ତ୍ର ଦିବସରେ ୩ ସାହସୀ ଝିଅଙ୍କୁ ମିଳିବ ଜାତୀୟ ପୁରସ୍କାର ।

422

କନକ ବ୍ୟୁରୋ  : ଦିଲ୍ଲୀ ଦରବାରରେ ସମ୍ମାନିତ ହେବେ ସାହସୀ ଝିଅ । କେନ୍ଦ୍ରାପଡ଼ାର ଦୁଇ ସାହସୀ ଭଉଣୀ ସବିତା ଗିରି ଓ ପୂର୍ଣ୍ଣିମା ଗିରି, ଅନୁଗୁଳର ସାହସୀ ଝିଅ ଶ୍ରୀମତୀ ବଦ୍ରାଙ୍କୁ ସାଧାରଣତନ୍ତ୍ର ଦିବସରେ ସମ୍ମାନିତ କରାଯିବ । ମୋଟ ୨୨ ଜଣଙ୍କୁ ସମ୍ମାନିତ କରାଯିବାକୁ ଥିବା ବେଳେ ଏମାନଙ୍କ ମଧ୍ୟରେ ଅଛନ୍ତି ୧୦ ଝିଅ, ୩ ଓଡିଆ । ଅନ୍ଧାର ରାତିରେ ଡଙ୍ଗା ବୁଡି ଘଟଣାରେ ସାହସ ଦେଖାଇ ୧୨ ଜଣ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ ସବିତା ଓ ପୂର୍ଣ୍ଣିମା । ସେହିିଭଳି ଟ୍ରେନ ତଳୁ ଛାତ୍ରୀଙ୍କ ଜୀବନ ବଞ୍ଚାଇ ସାହସିକତାର ପରିଚୟ ଦେଇଛନ୍ତି ଶ୍ରୀମତୀ ।

ଜାନୁଆରୀ ୨, ୨୦୧୯ । କେନ୍ଦ୍ରାପଡାର ନିପାଣିଆ । ଅନ୍ଧାର ରାତିରେ ନଦୀରେ ଓଲଟି ପଡ଼ିଲା ଡଙ୍ଗା ସଂଧ୍ୟା ବେଳେ ଘରେ ପାଠପଢିବା ପାଇଁ ବସିଥିଲେ ସବିତା ଗିରି ଓ ପୂର୍ଣ୍ଣିମା ଗିରି । ଲୋକଙ୍କ ଚିକ୍ରାର ଶୁଣି ଦୌଡି ଆସିଲେ. ଦେଖିଲେ ନିପାଣିଆ ନଈରେ ଡଙ୍ଗା ବୁଡି ଯାଉଛି । ଆଖି ଆଗରେ ଜୀବନ ମୃତ୍ୟୁର ସଂଘର୍ଷ ଦେଖି କିଛି ନଭାବି ପାଣିକୁ କୁଦା ମାରିଥିଲେ ଦୁଇ ଭଉଣୀ । ଆଉ ପାଣିରେ ବୁଡିଯାଉଥିବା ୧୨ ଜଣ ଲୋକଙ୍କୁ ଉଦ୍ଧାର କରିଥିଲେ । ଆଉ ଏହି ଦୁଇ ଜଣ କୁନି ଝିଅ ସାହସିକତାର କାହାଣୀକୁ ଲୋକଙ୍କ ସାମ୍ନାକୁ ଆଣିଥିଲା କନକ ନ୍ୟୁଜ ।

୨୦୧୮, ୧୪ ଡିସେମ୍ବର । ଅନୁଗୁଳର ତାଳଚେର । ଛାତ୍ରୀଙ୍କ ଆଡ଼କୁ ମାଡି଼ ଆସିଥିଲା ମାଲବାହୀ ଟ୍ରେନ ।  କିନ୍ତୁ ଟ୍ରେନ ତଳୁ ଛାତ୍ରୀଙ୍କ ଜୀବନ ବଂଚାଇ ବୀରତ୍ୱର ପ୍ରମାଣ ଦେଇଥିଲେ ଅନୁଗୁଳ ଜିଲ୍ଲା ତାଳଚେରର କୁନି ଝିଅ ଶ୍ରୀମତୀ । ତାଳଚେର ଘନ୍ତାପଡା ନୋଡାଲ ଉଚ୍ଚ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀର ଶ୍ରମତୀ ଓ ଷଷ୍ଠ ଶ୍ରେଣୀ ଛାତ୍ରୀ ପ୍ରମିଳା ମୁଣ୍ଡା ଘରକୁ ଫେରିବା ବାଟରେ ଠିଆ ହୋଇଥିବା ମାଲବାହୀ ଟ୍ରେନ ତଳେ ଗଳି ରେଳ ଲାଇନ୍ ପାରି ହେଉଥିଲେ । ସେହି ସମୟରେ ହଠାତ୍ ଟ୍ରେନଟି ଗଡିବା ଆରମ୍ଭ କରିଥିଲା । ଶ୍ରୀମତି ନିଜେ ଟ୍ରେନ ତଳୁ ବାହାରି ଆସିବା ସହ ପ୍ରମିଳାଙ୍କୁ ଟ୍ରେନ ତଳୁ ଟାଣିଆଣି ତାଙ୍କ ଜୀବନ ବଂଚାଇ ଦେଇଥିଲେ । ଆଉ ଏଭଳି ବୀରତ୍ୱ ପାଇଁ ଏବେ ୩ ଓଡ଼ିଆ ଝିଅଙ୍କୁ ମିଳିବ ସାହସିକତା ପୁରସ୍କାର ।