କନକ ବ୍ୟୁରୋ : ଶିକ୍ଷାନୁଷ୍ଠାନରେ ହିଜାବ ପିନ୍ଧିବାକୁ ନେଇ ଦେଶରେ ବିବାଦ ଦେଖାଦେଇଛି । କିଛି ଶିକ୍ଷାନୁଷ୍ଠାନରେ ହିଜାବ ପିନ୍ଧିବାକୁ ସମର୍ଥନ କରୁଥିବା ବେଳେ କିଛି ଲୋକ ବିରୋଧ କରୁଛନ୍ତି । ଆଉ ଏସବୁ ଭିତରେ ଦୁବାଇରୁ ଏକ ଆଶ୍ଚର୍ଯ୍ୟଚକିତ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି । ଦୁବାଇ ବିମାନବନ୍ଦରରେ ୩ ଜଣ ମହିଳାଙ୍କୁ ଗିରଫ କରାଯାଇଥିଲା, କିନ୍ତୁ ଯେତେବେଳେ ତାଙ୍କ ଚେହେରା ଉପରୁ ପରଦା ହଟାଗଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଲା ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଦୁବାଇ ବିମାନବନ୍ଦରରେ ଏକ ବିଚିତ୍ର ଘଟଣା ଦେଖିବାକୁ ମିଳିଥିଲା । ଏଠାରେ ପୋଲିସ ସନ୍ଦେହରେ ୩ ଜଣ ମହିଳାଙ୍କୁ ଗିରଫ କରିଥିଲା, ଯେଉଁମାନେ ପାଦରୁ ମୁଣ୍ଡ ଯାଏଁ ନିଜକୁ ଆରବ ମହିଳାଙ୍କ ଭଳି ପରଦା ପଛରେ ଢାଙ୍କି ରଖିଥିଲେ । କିନ୍ତୁ ଯେତେବେଳେ ଏମାନଙ୍କୁ ଗିରଫ କରାଯାଇ ପରଦା ହଟାଗଲା ସେତେବେଳେ ୩ ଜଣ ପୁରୁଷ ବାହାରିଲେ ।
ମିଳିଥିବା ସୂଚନା ମୁତାବକ, ଗିରଫ ହୋଇଥିବା ୩ ଜଣ ପୁରୁଷ ବେଆଇନ ଭାବେ ଦୁବାଇରେ ଏଣ୍ଟ୍ରି କରିବାକୁ ପ୍ରୟାସ କରିଥିଲେ । ଆଉ ଏଥିପାଇଁ ନିଜକୁ ଆରବ ମହିଳାଙ୍କ ଭଳି ବେଶ ହୋଇ ବିମାନବନ୍ଦରରେ ପଶିଥିଲେ । ମୁହଁରେ ରଙ୍ଗ ଲଗାଇବା ସହ ପୂରା ମହିଳାଙ୍କ ବେଶ ନେଇ ଆସିଥିଲେ ଏହି ୩ ପୁରୁଷ । ଆଉ ଏଭଳି କରିବାର ମୂଳ ଉଦ୍ଦେଶ୍ୟ ଥିଲା କେହି ଯେପରି ତାଙ୍କର ସତ ଧରିପାରିବେ ନାହିଁ । ଏହି ୩ ଜଣ ଅଧିକ ଟଙ୍କା ରୋଜଗାର କରିବା ଉଦ୍ଦେଶ୍ୟରେ ଦୁବାଇ ଯିବାକୁ ଚାହୁଁଥିଲେ । କାରଣ ଦୁବାଇରେ ଅଧିକ ଟଙ୍କା ରୋଜଗାର କରିବାର ବାଟ ରହିଛି ବୋଲି ଏମାନେ ଜାଣିଥିଲେ ।
ଦୁବାଇର ନିୟମ ଅନୁଯାୟୀ, ଆରବ ମହିଳାଙ୍କ ବେଶଭୂଷା ନେଇ ଦେଶରେ ପଶିବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ କଡା ଦଣ୍ଡ ଦିଆଯାଏ । ଏଥିପାଇଁ ୩ ବର୍ଷର ଜେଲଦଣ୍ଡ ସହ ଜରିମାନା ଗଣିବାକୁ ପଡିପାରେ ।