ରାଜ୍ୟରେ କାର୍ଯ୍ୟକ୍ଷମ ହେଲା ଆଉ ୩ କୋଭିଡ୍ ହସ୍ପିଟାଲ: ସୁନ୍ଦରଗଡରେ, ତାଳଚେର ଓ ନବରଙ୍ଗପୁରରେ ଯୋଗାଇବେ ସେବା; ପାଣ୍ଠି ଯୋଗାଇ ଦେଇଛନ୍ତି ଏନିଟିପିସି, ନାଲକୋ ଓ ଏମସିଏଲ

481

କନକ ବ୍ୟୁରୋ: ରାଜ୍ୟର ୩ଟି ସ୍ଥାନରେ ଆଜି କୋଭିଟ ହସପିଟାଲ କାର୍ଯ୍ୟକ୍ଷମ ହୋଇଛି । ସୁନ୍ଦରଗଡ, ତାଳଚେର ଓ ନବରଙ୍ଗପୁରରେ ଏହି ହସପିଟାଲ ଆରମ୍ଭ ହୋଇଛି । ଏନଟିପିସି ସହୟତାରେ ସୁନ୍ଦରଗଡ ଓ ନବରଙ୍ଗପୁରର କୋଭିଡ ହସପିଟାଲ ୨ ଶହ ଶଯ୍ୟା ବିଶିଷ୍ଟ ହୋଇଥିବା ବେଳେ ନାଲକୋ ଏଥିପାଇଁ ପାଣ୍ଠି ଯୋଗାଇଦେଇଛି । ସେହିଭଳି ତାଳଚେର ୧୫୦ ଶଯ୍ୟା ବିଶିଷ୍ଟ ହୋଇଥିବାବେଳେ ଏମସିଏଲ ପାଣ୍ଠି ଯେଗାଇଦେଇଛି । ସୁନ୍ଦରଗଡ କୋଭିଡ ହସପିଟାଲରେ ବି ୨ ଶହ ବେଡ ରହିଛି ।

ଓଡିଶାରେ ଆଜି ୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ ରାଜ୍ୟର ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୮କୁ ବୃଦ୍ଧି ପାଇଛି । ଗତକାଲି ପରୀକ୍ଷା ହୋଇଥିବା ୯୫୧ଟି ନମୁନା ମଧ୍ୟରୁ ଏହି ନୂଆ ଆକ୍ରାନ୍ତ ଚିହ୍ନଟ କରାଯାଇଛି । ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ନୂଆ ସଂକ୍ରମିତଙ୍କ ସମ୍ପର୍କରେ ସୂଚନା ଦିଆଯାଇଛି । ୭ଜଣଙ୍କ ମଧ୍ୟରୁ ଭଦ୍ରକରୁ ୫ଜଣ ରହିଥିବାବେଳେ ବାଲେଶ୍ୱରରୁ ୨ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବଂ ଏମାନେ କେଉଁଆଡେ ଯାଇଥିଲେ ଓ କାହା କାହା ସଂଶସ୍ପର୍ଶରେ ଆସିଥିଲେ ତାର ଅନୁସନ୍ଧାନ ଜାରି ରଖିଛି ପ୍ରଶାସନ ।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ୧୯ ତାରିଖ ରାତି ସୁଦ୍ଧା ୧୦ ହଜାର ୬୪୧ଟି ନମୁନା ପରୀକ୍ଷା କରାଯାଇଛି । ସେଥିରୁ ୧୦ ହଜାର ୫୭୩ଟି ନେଗେଟିଭ୍ ଆସିଥିବାବେଳେ ୬୮ ଜଣଙ୍କର ପଜିଟିଭ୍ ରିପୋର୍ଟ ଆସିଛି । ସେପଟେ ଏପର୍ଯ୍ୟନ୍ତ ୨୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ଜଣଙ୍କର ମୃତ୍ୟୁ ହୋଇଛି । ଅର୍ଥାତ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ୪୩ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଗୋଟିଏ ଦିନରେ ଏତେ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେବା ରାଜ୍ୟର ତୃତୀୟ ଘଟଣା । ଏପ୍ରିଲ ୫ ତାରିଖରେ ୧୮, ଏପ୍ରିଲ ୩ରେ ୧୫ ଓ ଏପ୍ରିଲ ୧୯ ଅର୍ଥାତ ଗତକାଲି ରାତିରେ ୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।