କନକ ବ୍ୟୁରୋ: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ପରଠୁ ଦଳରେ ନିର୍ବାଚନ ପ୍ରକ୍ରିୟାକୁ ନେଇ ସନ୍ଦେହ ଓ ମତଭେଦ ଦେଖିବାକୁ ମିଳିଛି । ଗତ ରବିବାର କଂଗ୍ରେସର ସିଡବ୍ଲୁସି ବୈଠକରେ ବରିଷ୍ଠ କଂଗ୍ରେସ ନେତା ଆନନ୍ଦ ଶର୍ମା, ମତଦାତା ସୂଚୀ ସାର୍ବଜନୀନ କରିବାକୁ ଦାବି କରିଥିଲେ । ଏବେ ସମାନ ଦାବି ଉଠାଇ ବରିଷ୍ଠ ନେତା ମନୀଷ ତିୱାରୀ, ଟ୍ୱିଟ୍ କରି ଲେଖିିଛନ୍ତି ମତଦାତାଙ୍କ ସୂଚୀ ସାର୍ବଜନୀନ ନକଲେ ନିରପେକ୍ଷ ନିର୍ବାଚନ ସମ୍ଭବ ନୁହେଁ । ଏନେଇ କଂଗ୍ରେସ ସାଂଗଠନିକ ନିର୍ବାଚନ ପ୍ରଭାରୀ ମଧୂସୂଦନ ମିସ୍ତ୍ରୀ କହିଛନ୍ତି, ଏହା ଦଳର ଆଭ୍ୟନ୍ତରୀଣ ବ୍ୟାପର, ଏହାକୁ ସାର୍ବଜନୀନ କରିବା ଠିକ ନୁହେଁ ।
ବିଶେଷ କରି ଜି-୨୩ ସଦସ୍ୟ ନେତା କଂଗ୍ରେସର ଅଧ୍ୟକ୍ଷ ନିର୍ବାଚନର ନିରପେକ୍ଷତାକୁ ନେଇ ସନ୍ଦେହ ଉଠାଉଛନ୍ତି । କଂଗ୍ରେସରେ କୋଣଠେସା ହୋଇଥିବା ଜି-୨୩ ନେତାଙ୍କ ଧାରଣା, ନିର୍ବାଚନ ନାମକୁ ମାତ୍ର କରାଯିବ, ଏହା କେବଳ ଦଳର କର୍ମକର୍ତାଙ୍କ ମନ ବୁଝାଇବା ପାଇଁ ହେବ, ହେଲେ ଏଥିରେ ଗଣତାନ୍ତ୍ରିକ ପଦ୍ଧତିର ପାଳନ ହେବ ନାହିଁ । ସେପଟେ ଦୀର୍ଘ ଦିନ ପରେ କଂଗ୍ରେସରେ ସାଂଗଠନିକ ନିର୍ବାଚନ ହେଉଥିବାରୁ ସମସ୍ତଙ୍କ ନଜର ରହିଛି । ଏହା ଦେଶ ଓ କଂଗ୍ରେସ ପାଇଁ ଶୁଭଙ୍କର ବୋଲି ରାଜନୈତିକ ବିଶେଷଜ୍ଞ କହିଛନ୍ତି ।
କଂଗ୍ରେସର ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ପରେ ଶୁଣାଗଲା, କଂଗ୍ରେସର ଅଧ୍ୟକ୍ଷ ହେବାକୁ ଗାନ୍ଧୀ ପରିବାରର କେହି ରାଜି ନାହାନ୍ତି । ତେଣୁ ଦଳ ଗାନ୍ଧୀ ପରିବାର ବାହାରୁ ଅଧ୍ୟକ୍ଷ ବାଛିବାକୁ ବିଚାରବିମର୍ଶ କରୁଛି । କିଛି ଦିନ ପରେ ବରିଷ୍ଠ କଂଗ୍ରେସ ନେତା ମଲ୍ଲକାର୍ଜୁନ ଖଡଗେ ବୟାନ ଦେଇ କହିଛନ୍ତି, ରାହୁଲ ଗାନ୍ଧୀଙ୍କୁ ଦଳର ଅଧ୍ୟକ୍ଷ ହେବାକୁ ବାଧ୍ୟ କରାଯିବ । ତେଣୁ ନିର୍ବାଚନର ନିରପେକ୍ଷତା ଉପରେ ଦଳର ନେତା ସନ୍ଦେହ ପ୍ରକାଶ କରୁଛନ୍ତି
ରବିବାର କଂଗ୍ରେସର ସିଡବ୍ଲୁସି ବୈଠକରେ ନିଷ୍ପତି ନିଆଯାଇଛି, ଅକ୍ଟୋବର ୧୭ ତାରିଖରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ହେବ । ଏଥିପାଇଁ ସେପ୍ଟେମ୍ବର ୨୪ ତାରିଖରୁ ସେପ୍ଟେମ୍ବର ୩୦ ତାରିଖ ଯାଏଁ ଦିନ ୧୧ଟାରୁ ଅପରାହ୍ନ ୩ଟା ଯାଏଁ ନାମାଙ୍କନ ଦାଖଲ ହେବ । ଅକ୍ଟୋବର ୧୯ ତାରିଖରେ ଭୋଟ ଗଣତି ଓ ଫଳାଫଳ ମଧ୍ୟ ସେହିଦିନ ପ୍ରକାଶ ପାଇବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/09/Capture-3.jpg)