ଆସୁଛି ଆକାଶର ବାହୁବଳୀ । ଆଜି ଭାରତରେ ପହଞ୍ଚିବ ଆଉ ୩ଟି ରାଫେଲ ବିମାନ ।

189

କନକ ବ୍ୟୁରୋ : ଭାରତ ଆସୁଛି ଆଉ ୩ଟି ରାଫେଲ ବିମାନ । ଏଗୁଡ଼ିକ ଆଜି ସକାଳେ ଫ୍ରାନ୍ସର ମେରିଗନାଗ ବାୟୁସେନା ଘାଟିରୁ ଉଡ଼ାଣ ଆରମ୍ଭ କରିଛନ୍ତି । ଏଗୁଡ଼ିକ ଆଜି ରାତିରେ ଜାମନଗର ବାୟୁସେନା ଘାଟିରେ ଓହ୍ଲାଇବ । ପରେ ଏଗୁଡ଼ିକୁ ଅମ୍ବାଲା ବାୟୁସେନା ଘାଟିକୁ ନିଆଯ଼ିବ । ତେବେ କିଛି ଦିନ ପରେ ଏଗୁଡ଼ିକୁ ପଶ୍ଚିମବଙ୍ଗରେ ଥିବା ହାସିମୋରା ବାୟୁସେନା ଘାଟିରେ ସ୍ଥାୟୀଭାବେ ମୁତୟନ କରାଯ଼ିବ । ଭାରତ ଆସିବା ବାଟରେ ଓମାନ ଉପସାଗର ଉପରେ ଉଡ଼ୁଥିବାବେଳେ ଏହି ବିମାନଗୁଡ଼ିକରେ ୟୁଏଇର ବାୟୁସେନାର ପରିବହନ ବିମାନ ଇନ୍ଧନ ଭର୍ତ୍ତି କରିଥିବା ସୂଚନା ମିଳିଛି ।

ଚଳିତ ମାସ ଶେଷ ସୁଦ୍ଧା ଆଉ ୪ଟି ରାଫେଲ ବିମାନ ଭାରତରେ ପହଞ୍ଚିବ । ସେଗୁଡ଼ିକ ଆସିବା ପରେ ଭାରତୀୟ ବାୟୁସେନା ପାଖରେ ଥିବା ରାଫେଲ ସଂଖ୍ୟା ୨୦ରେ ପହଞ୍ଚିବ । ତେବେ କରୋନା ମହାମାରୀ ଯ଼ୋଗୁଁ ଏସବୁ ବିମାନକୁ ଭାରତ ଆଣିବାକୁ ବାୟୁସେନା ପାଇଲଟମାନଙ୍କୁ ବେଶ କଷ୍ଟ କରିବାକୁ ପଡ଼ୁଛି । କାରଣ ସେମାନଙ୍କୁ ଫ୍ରାନ୍ସରେ କିଛି ଦିନ ଏକାନ୍ତବାସରେ ରହିବାକୁ ପଡୁଛି ।

ଭାରତ ଓ ଫ୍ରାନ୍ସ ମଧ୍ୟରେ ହୋଇଥିବା ଚୁକ୍ତି ଅନୁସାରେ ଭାରତ ପ୍ରାୟ ୫୯୦୦୦ କୋଟି ବିନିମୟରେ ମୋଟ ୩୬ଟି ରାଫେଲ ବିମାନ କିଣିବ । ଏହି ୩୬ଟି ବିମାନ ଆସନ୍ତା ୨୦୨୨ ସୁଦ୍ଧା ଭାରତରେ ପହଞ୍ଚିଯିବ ।

Comments are closed.