ଜରିମାନା ଆଦାୟ ଉପରେ ଲାଗିଲା ୩ ମାସର ବିରାମ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ କୋହଳ ହେଲା ବ୍ୟବସ୍ଥା, ୩ ମାସ ଭିତରେ କାଗଜପତ୍ର ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ

737

କନକ ବ୍ୟୁରୋ : ଟ୍ରାଫିକ୍ ଜରିମାନାକୁ ଭୟ ଓ ଜନତାଙ୍କ ମଧ୍ୟରେ ଅସନ୍ତୋଷକୁ ଦୃଷ୍ଟିରେ ରଖି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ ଘୋଷଣା କରିଛନ୍ତି । ଆସନ୍ତା ୩ ମାସ ପାଇଁ ଜରିମାନା ଆଦାୟକୁ କୋହଳ କରିବା ପାଇଁ ନିର୍ଦେଶ ଦେଇଛନ୍ତି । ଗଣମାଧ୍ୟମକୁ ପ୍ରେସ ରିଲିଜ୍ ଦେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି, ଜରିମାନା ଆଦାୟ କରୁଥିବା ଅଧିକାରୀମାନେ କଠୋର ଆଭିମୁଖ୍ୟରୁ ବିରତ ରହିବେ । ତେବେ ୩ ମାସ ଭିତରେ ଗାଡ଼ି ଗୁଡ଼ିକର ଅବଶ୍ୟକୀୟ କାଗଜପତ୍ର ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ଜନତାଙ୍କୁ ଅପିଲ୍ କରିଛନ୍ତି । କାଗଜପତ୍ର ପ୍ରସ୍ତୁତ କରିବା ପାଇଁ ଅଧିକ କାଉଂଟର ଖୋଲାଯିବ ଏବଂ ସରକାରୀ କ୍ୟାମ୍ପ ଲାଗିବ ବୋଲି ସୂଚନା ଦେଇଛନ୍ତି ।

ନୂଆ ନିୟମକୁ ନେଇ ୯ ଦିନ ଧରି ଯେଉଁ ସବୁ ଚିତ୍ର ଆସିଥିଲା, ସେଥିରେ କେଉଁଠି ନା କେଉଁଠି ଜନତାଙ୍କ ଭିତରେ ଏକ କୋକୁଆ ଭୟ ସ୍ପଷ୍ଟ ବାରି ହେଉଥିଲା । ସମ୍ବଲପୁରରେ ରେକର୍ଡ ପରିମାଣର ଫାଇନ୍, ଅଟୋ ଚାଳକଙ୍କୁ ୪୭, ୫୦୦ ଜୋରିମାନା, ବାପାଙ୍କ ଗାଡ଼ି ଚଳାଇ ଝିଅ ହଟହେବା ଭଳି ଘଟଣା ଯେମିତି ଲୋକଙ୍କୁ ବ୍ୟତିବ୍ୟସ୍ତ କରିଦେଉଥିଲା ।

ଆଉ ଏସବୁ ଭିତରେ ଆସିଛି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ଯେଉଁଥିରେ ଜରିମାନା ଆଦାୟକୁ ୩ ମାସ ପାଇଁ କୋହଳ କରାଯାଇଛି । ଅବଶ୍ୟ ଏହି ସମୟ ସୀମା ଭିତରେ ଗାଡ଼ିର କାଗଜପତ୍ର ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ, ଜନତାଙ୍କୁ ଅପିଲ କରିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସିଥିବା ଏହି ଚିଠିରେ ଲେଖା ଯାଇଛି-
– ଜରିମାନା ଆଦୟ ପ୍ରକ୍ରିୟାକୁ ୩ ମାସ ପାଇଁ କୋହଳ କରାଯାଇଛି
– ୩ ମାସ ଭିତରେ ଗାଡ଼ି ଚାଳକ ଆବଶ୍ୟକୀୟ କାଗଜପତ୍ର ପ୍ରସ୍ତୁତ କରନ୍ତୁ
– ଗାଡ଼ି କାଗଜପତ୍ର ପ୍ରସ୍ତୁତ କରିବା ପାଇଁ ଅଧିକ ସୁଯୋଗ ସୃଷ୍ଟି କରାଯିବ
– ଲୋକଙ୍କ ସୁବିଧା ପାଇଁ ଅଧିକ କାଉଂଟର ଖୋଲାଯିବ

ଏହା ସହ ଟ୍ରାଫିକ୍ ନିୟମକୁ ମାନିବାକୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ନିବେଦନ କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ନିର୍ଦ୍ଦେଶ ଆସିବା ପୂର୍ବରୁ ନିମୟକୁ କୋହଳ କରାଯିବା ନେଇ ସୂଚନା ଦେଇଥିଲେ ପରିବହନ ମନ୍ତ୍ରୀ । ନୂଆ ନିୟମକୁ ପ୍ରାୟତଃ ସମସ୍ତେ ସମର୍ଥନ କରୁଥିବା ବେଳେ ଏହାର ରୁପାୟନକୁ ନେଇ ଅନେକ ପ୍ରଶ୍ନ ଉଠୁଥିଲା । ଲୋକଙ୍କ ଅଭିଯୋଗ ଥିଲା, ନୂଆ ନିୟମ ଲାଗୁ କରିବା ପୂର୍ବରୁ ଅନ୍ତତଃ କିଛି ଦିନ ସମୟ ଦିଆଯାଉ । ଆଉ ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି, ହୁଏତ ମୁଖ୍ୟମନ୍ତ୍ରୀ ଏଭଳି ଏକ ନିର୍ଦ୍ଦେଶ ଜାରି କରିଛନ୍ତି ।୩ ମାସ ପାଇଁ ବ୍ୟବସ୍ଥାକୁ କୋହଳ କରାଯାଇଛି ସତ । କିନ୍ତୁ ତା’ ପରେ ହୁଏତ, ଆପଣଙ୍କୁ ଆଉ ସମୟ ମିଳିନପାରେ । ତେଣୁ ଯଦି ଆପଣ ଗାଡ଼ିର କାଗଜପତ୍ର କରି ନାହାଁନ୍ତି, ତୁରନ୍ତୁ କରି ନିଅନ୍ତୁ । ନହେଲେ ଆପଣଙ୍କୁ ଆଉ ପ୍ରଶ୍ନ ଉଠାଇବାର ସୁଯୋଗ ନଥିବ ।